15

ଖଇରୀକୁ ଝୁରି ହେଉଛନ୍ତି ନିହାରନଳିନୀ

ଭୁବନେଶ୍ୱର,୨୮ା୬ (ଶୁଭ୍ରାଂଶୁ ସୂତାର):ଲୋ ଖଇରୀ…ଲୋ ଖଇରୀ…ଆଆ । ଏମିତି କହି ମଝିରେ ମଝିରେ ବିଳିବିଳେଇ ହେଉଛନ୍ତି ବାଘୁଣୀ (ଖଇରୀ)କୁ ନିଜ ଝିଅଭଳି ପାଳିଥିବା ନିହାରନଳିନୀ ଦେବୀ । ବୟସ ୯୦ ଛୁଇଁଲାଣି । ବିଛଣାରୁ ଉଠିବାକୁ ଯୁ’ ନାହିଁ । ହେଲେ ଖଇରୀକୁ ଭୁଲିପାରୁ ନାହାନ୍ତି । କେତେବେଳେ କେତେକଥା କହି ବାହୁନି ହେଉଛନ୍ତି । ପୁଣି ନିରବୀ ଯାଉଛନ୍ତି । କଟକ ସିଦ୍ଧେଶ୍ୱର ସାହି ଘରେ ବିଛଣାରେ ଶୋଇ ଆଖିରୁ ଲୁହ ଝରାଇ ଅତୀତକୁ ଭାବି ଖନିଖନି ହୋଇ ଖଇରୀ ସମ୍ପର୍କରେ କହିଯାଉଛନ୍ତି କେତେ କଥା । ଆଜିକୁ ୪୬ ବର୍ଷ ତଳେ ନିଜ ଝିଅଭଳି ଖଇରୀକୁ ସେ ଲାଳନପାଳନ କରିଥିଲେ । ମଣିଷ ମେଳରେ ବାଘ ରହିବା ନେଇ ସେତେବେଳ ସମଗ୍ର ଦେଶରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଶିମିଳିପାଳ ଜଙ୍ଗଲର ବାଘ ଆଉ ମଣିଷ ଭିତରେ ସୃଷ୍ଟି କରିଥିଲା ଅପୂର୍ବ ସଂପର୍କ । ସେଦିନର ସେହି ମା’ ଆଉ ଝିଅର ସଂପର୍କ ଚିରଦିନ ପାଇଁ ଅଭୁଲା ରହିଛି । ଇତିମଧ୍ୟରେ ଶିମିଳିପାଳ ଜଙ୍ଗଲ ଛାଡ଼ିବାରେ ନିହାରନଳିନୀଙ୍କର ପୂରିଗଲାଣି ୩୯ ବର୍ଷ । ଆଜି ଖଇରୀ ନାହିଁ କି ମଣିଷ-ପଶୁର ସମ୍ପର୍କ ଦେଖିବାକୁ ମିଳୁନି ଶିମିଳିପାଳରେ । ବାଘ ପୁଣି ମଣିଷ ସହ ରହୁଥିଲା, ଗୋଟିଏ ବିଛଣାରେ ଶୋଉଥିଲା । ହୁଏତ ଏହା ଆଜି ମଣିଷ ସମାଜ ପାଇଁ ଅସମ୍ଭବ ହୋଇପାରେ । ୮୦ ଦଶକରେ ଏଭଳି ବିରଳ ଦୃଶ୍ୟ କିନ୍ତୁ ଦେଖିବାକୁ ମିଳିଥିଲା ଓଡ଼ିଶାର ବଣପାହାଡ଼ ଘେରା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ । ଯାହା ଆଜି ଇତିହାସ ପାଲଟିଯାଇଛି ।
୧୯୭୪ ମସିହା ଅକ୍ଟୋବର ମାସ ୫ ତାରିଖରେ ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ ଉପରୁ ଏକ ବାଘ ଛୁଆକୁ ପାଇ ଯଶୀପୁର ଫରେଷ୍ଟ ବଙ୍ଗଳାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦେଶକ ସରୋଜରାଜ ଚୌଧୁରୀଙ୍କୁ ଦେଇଥିଲେ । ଖଇରୀ ନଦୀକୂଳରୁ ଉଦ୍ଧାର ହୋଇଥିବାରୁ ତାହାର ନାମ ରଖାଯାଇଥିଲା ‘ଖଇରୀ’ । ବାଘଛୁଆର ଲାଳନପାଳନ ଦାୟିତ୍ୱରେ ଥିଲେ ସରୋଜରାଜଙ୍କ ସ୍ତ୍ରୀ ନିହାରନଳିନୀ ଦେବୀ । ମାଂସରେ ଅମୁଲ ଗୋଲାଇ ତାକୁ ଖାଇବାକୁ ଦେଉଥିଲେ ତ ପୁଣି ବୋତଲରେ କ୍ଷୀର ପିଆଇ ଦେଉଥିଲେ । ମଣିଷ ଛୁଆଙ୍କ ପରି ହାତରୁ ଖାଦ୍ୟ ଖାଉଥିଲା ଖଇରୀ । କୋଳରେ ଶୋଉଥିଲା । ବେଳେବେଳେ ଗାଲରେ ମୁହଁ ଘସି ଗେଲ ହେଉଥିଲା । ଜଙ୍ଗଲରେ ବୁଲୁଥିବା ବେଳେ ଡାକ ଛାଡ଼ିଲେ ପୁଣି ଆସି ହାଜର ହୋଇଯାଉଥିଲା । କେବଳ ଖଇରୀ ନୁହେଁ ଗୋଟିଏ ହରିଣଛୁଆ ଠାରୁ ଆରମ୍ଭ କରି ହେଟା (ଭାଇନା), କୁକୁର (ବ୍ଲାକି)କୁ ନିଜ ପୁଅଝିଅ ଭଳି ପାଳୁଥିଲେ ନିହାରନଳିନୀ ଦେବୀ । କ୍ରମେ ଖଇରୀ ବଡ଼ ହେଲା । ସେ ହିଂସ୍ର ନଥିଲେ ବି କାଳେ କେତେବେଳେ ଅଘଟଣ ଘଟାଇବ, ସେଥିପାଇଁ ତାକୁ ଜଙ୍ଗଲରେ ଛାଡ଼ିବା ପାଇଁ ମନସ୍ଥ କରାଗଲା । ହେଲେ ମଣିଷଠାରୁ ସ୍ନେହ ଆଦର ପାଇ ବଡ଼ ହୋଇଥିବା ଖଇରୀ ଆଉ ଜଙ୍ଗଲକୁ ଯିବାକୁ ପସନ୍ଦ କଲାନାହିଁ । ଯେତେବାର ତାକୁ ଜଙ୍ଗଲରେ ଛଡ଼ାଗଲା, ସେ ପୁଣି ଫେରି ଆସୁଥିଲା ନଳିନୀଦେବୀଙ୍କ ପାଖକୁ । ସବୁ ଉଦ୍ୟମ ନିରାଶ ପରେ ଖଇରୀ ରହିଲା ନିହାରନଳିନୀଙ୍କ ପାଖରେ । ନିହାରନଳିନୀ ଏବଂ ସରୋଜରାଜଙ୍କ ଗେହ୍ଲାଝିଅ ପାଲଟିଯାଇଥିଲା ଖଇରୀ । ଏମିତିକି ସରୋଜରାଜ ନିଜ ଡ୍ୟୁଟି ସମୟରେ ଜଙ୍ଗଲ ପରିଦର୍ଶନରେ ଯିବାବେଳେ ଖଇରୀ ତାଙ୍କ ସହିତ ଜିପ୍‌ରେ ଯାଉଥିଲା । ଖଇରୀକୁ ନିଜ ଜିପ୍‌ରେ ବସାଇ କଟକକୁ ଆଣିବା ସହିତ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ ମଧ୍ୟ ଭେଟିଥିଲେ ତାଙ୍କ ସରକାରୀ ବାସଭବନରେ । ଏଭଳି ଦୃଶ୍ୟ ଆଜି ଆଉ ଦେଖିବାକୁ ମିଳୁନାହିଁ କି ମିଳିବ ନାହିଁ । ଖଇରୀକୁ ଲାଳନପାଳନ କରିବା ଠାରୁ ତାର ମୃତ୍ୟୁ ପର୍ଯ୍ୟନ୍ତ ନିହାରନଳିନୀ ଦେବୀ କେବେବି ତାକୁ ପାଖରୁ ଦୂରେଇ ଦେଇନଥିଲେ । ଜଣେ ମଣିଷ ମା’ର ସ୍ନେହ ଆଗରେ ହାର ମାନିଥିଲା ପଶୁତ୍ୱର ହିଂସ୍ରତା । ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସୁଥିଲେ ଶିମିଳିପାଳ ଖାସ୍ ଖଇରୀ ପାଇଁ । ନାନା ଜାତିର ପଶୁପକ୍ଷୀ ସହିତ ସବୁଠୁ ବଡ଼ ଆକର୍ଷଣ ଥିଲା ଖଇରୀ । ନିହାରନଳିନୀଙ୍କ ବାତ୍ସଲ୍ୟ ମମତା ଆଗରେ ହାର ମାନିଥିଲା ଖାଦ୍ୟ ଆଉ ଖାଦକର ଭେଦଭାବ ।
ଖଇରୀକୁ ଯେତେବେଳେ ୭ବର୍ଷ ହେଲା, ତା ଜୀବନରେ ମାଡ଼ିଆସିଲା ବିପଦ । ଏକ ପାଗଳ କୁକୁର କାମୁଡ଼ାରେ ଖଇରୀ ରୋଗାକ୍ରାନ୍ତ ହୋଇପଡ଼ିଥିଲା । କିଛିଦିନ ପରେ ଜଳାନ୍ତଙ୍କ ରୋଗରେ ଆକ୍ରାନ୍ତ ହେଲା । ଆଉ ବୋଲ ମାନିଲା ନାହିଁ । ଏଣେତେଣେ ଧାଇଁଲା । ତା’କୁ କାବୁ କରିବା ପାଇଁ ମାତ୍ରାଧିକ ଟ୍ରାଙ୍କୁଲାଇଜର ଦିଆଗଲା । ୧୯୮୧ ମାର୍ଚ୍ଚ ୨୮ ତାରିଖରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା ଖଇରୀ । ଏଭଳି ପରିସ୍ଥିତିରେ ଭାଙ୍ଗିପଡ଼ିଥିଲେ ସରୋଜରାଜ ଚୌଧୁରୀ । ଖଇରୀକୁ ଝୁରିଝୁରି ବର୍ଷକ ପରେ ଚାଲିଗଲେ ସରୋଜରାଜ । ଖଇରୀ ଓ ସ୍ୱାମୀଙ୍କ ମୃତ୍ୟୁ ପରେ ନିହାରନଳିନୀ ଦେବୀ ଶିମିଳିପାଳ ଛାଡ଼ି ଭୁବନେଶ୍ୱର ଚାଲିଆସିଥିଲେ । ଯେଉଁଠାରୁ ଶିକ୍ଷୟିତ୍ରୀ ଚାକିରି ଛାଡ଼ି ଚାଲିଯାଇଥିଲେ ଶିମିଳିପାଳ । ପୁଣି ସେଇ (୨ ନମ୍ବର ବାଳିକା ବିଦ୍ୟାଳୟକ)କୁ ଫେରି ଶିକ୍ଷୟିତ୍ରୀ ଭାବେ ଯୋଗଦେଇଥିଲେ । ଅବସର ପରେ ସ୍କାଉଟ୍ ଏବଂ ଗାଇଡ୍ସରେ ପ୍ରଶିକ୍ଷିକା ଭାବେ କାର୍ଯ୍ୟ ତୁଲାଇଥିଲେ । ବଣର ହିଂସ୍ର ପଶୁ ବି ସ୍ନେହ ମମତା ପାଇଲେ ମଣିଷ ପରି ଆଚରଣ କରିପାରେ ବୋଲି ପ୍ରମାଣିତ କରିଛନ୍ତି ନିହାରନଳିନୀ ଦେବୀ । ଶିମିଳିପାଳରେ ରହିଥିବା ‘ଖଇରୀ ନିବାସ’ ତାର ସମ୍ମୁଖରେ ରହିଥିବା ‘ଖଇରୀ କବରସ୍ଥଳୀ’ ହିଁ ତାର ସ୍ମୃତି ବହନ କରୁଛି । ଖଇରୀ ସ୍ମୃତିରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ବୃତଚିତ୍ର ନିର୍ମାଣ କରାଯାଇଛି ।
ଜଙ୍ଗଲ ଅଭାବ, ଖାଦ୍ୟ ଅଭାବ ଯୋଗୁଁ ପ୍ରତିଦିନ ପଶୁ-ମଣିଷ ଲଢ଼େଇ ଚାଲିଛି । ବାଘଙ୍କୁ ମନେଇବାରେ ନାଁ ବନ ବିଭାଗ ଉଦ୍ୟମ କରୁଛି । ସରକାର ବି ବାଘକୁ ନେଇ ବଡ଼ ଚିନ୍ତାରେ ରହିଛନ୍ତି । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ପୁଣି ଫେରିଯିବ । ସୁନ୍ଦରୀ ନାଁରେ ମଣିଷ ମାରିବା ଅଭିଯୋଗ ରହିଛି । ଏହି କାରଣରୁ ଏନ୍‌କ୍ଲୋଜରରେ ରହିଛି ସୁନ୍ଦରୀ । ସୁନ୍ଦରୀ ପାଇଁ ଖର୍ଚ୍ଚ ହେଲାଣି ୧୦କୋଟି । ହେଲେ ସବୁ ପାଣିରେ ପଡ଼ିବା ହିଁ ସାର । ପୂର୍ବରୁ ମହାବୀର ବାଘ ବି ଆସିଥିଲା ମଧ୍ୟପ୍ରଦେଶରୁ । ହେଲେ ତିନି ବର୍ଷ ପରେ ସେ ଆଖି ବୁଜିଦେଇଛି । ୨୦୧୪ ଗଣନା ଅନୁଯାୟୀ ଓଡ଼ିଶାରେ ବାଘ ସଂଖ୍ୟା ୨୮ରେ ପହଂଚିଛି । ୨୦୦୬ରେ ରହିଥିଲା ୪୫ । ପ୍ରତିବର୍ଷ କମିକମି ଯାଉଛି ବାଘ ସଂଖ୍ୟା । ଏଭଳି ଏକ ଘଡ଼ିସନ୍ଧି ସମୟରେ ଜଙ୍ଗଲୀ ଜୀବଙ୍କ ପ୍ରତି ନିହାରନଳିନୀ ଦେବୀଙ୍କ ଆଦରକୁ ମନେପକାଇବାର ସମୟ ଆସିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!