ଓଡିଆନ୍ ନ୍ୟୁଜ

137

ସେକ୍‍ ଚାନ୍ଦଙ୍କ ସବୁଜ ସକାଳର ସ୍ୱପ୍ନ । ପଶୁପକ୍ଷୀଙ୍କ ପାଇଁ ବ୍ୟବହାର କରୁନାହାଁନ୍ତି ମୋବାଇଲ ଫୋନ୍‍ ।

Team Odian News |

ସେକ୍‍ ଚାନ୍ଦଙ୍କ ସବୁଜ ସକାଳର ସ୍ୱପ୍ନ  ।
ପଶୁପକ୍ଷୀଙ୍କ ପାଇଁ ବ୍ୟବହାର କରୁନାହାଁନ୍ତି ମୋବାଇଲ ଫୋନ୍‍  ।  

କେନ୍ଦ୍ରାପଡ଼ା,୨୮ା୯(ଶୁଭ୍ରାଂଶୁ ସୂତାର):‘ପୃଥିବୀକୁ ମାଡିଆସୁଛି ଅଚିହ୍ନା ରୋଗ, କମିଚାଲିଛି ଅମ୍ଳଜାନ୍‍,  ଗଛ ହିଁ ଜୀବଜଗତର ରକ୍ଷକ, ଦୟାକରି ଗଛ କାଟନ୍ତୁ ନାହିଁ  । ପ୍ରତିଦିନ ଗଛ ଲଗାନ୍ତୁ ନହେଲେ ନିସ୍ତାର ନାହିଁ  ।’ ଏଭଳି କେଇ କଥା ସଚେତନ ବାର୍ତ୍ତା ପ୍ରଚାର କରି ଘରୁ ଚାଲି ଚାଲି ପଦାକୁ ବାହାରିପଡନ୍ତି ନୂଆ ଚେହେରାରେ ସେକ୍‍ ଚାନ୍ଦ  ।  ମୁଣ୍ଡରେ ଗୋଲେଇ ଟୋପି, ଆଉ ତା’ ଉପରେ ପୃଥିବୀର ଗ୍ଲୋବ  । ବାମ ହାତରେ ଗଛ ନକାଟିବା ସହ ଗଛର ଉପକାରିତା ସଂପର୍କରେ ସଚେତନତା ପାଇଁ ପ୍ଲାଇକାର୍ଡ  । ଡାହାଣ ହାତରେ ଚାରା ଟିଏ  ।  ସବୁଜ ପୋଷାକ ଉପରେ ମଧ୍ୟ ଗଛର ସୁରକ୍ଷା ଏବଂ ବୃକ୍ଷ ରୋପଣ ପାଇଁ ବିଭିନ୍ନ ବାର୍ତ୍ତାର ପ୍ଲାଇକାର୍ଡ ପିଠି ଆଉ ଦେହସାରା ଛାଇ ହୋଇଯାଇଛି  । ସତେ ଯେମିତି କେନ୍ଦ୍ରାପଡା ପୁରୁଣାବସ୍‍୍‍ଷ୍ଟାଣ୍ଡ ଅଞ୍ଚଳର ୩୬ ବର୍ଷୀୟ ଯୁବକ ସେକ୍‍ଙ୍କ ସବୁଜ ସକାଳ ପାଇଁ ଅଭିନବ ପ୍ରୟାସ  । 
ନିଜ ଘରୁ ତିନିମୁହାଁଣି ପର୍ଯ୍ୟନ୍ତ ସବୁଦିନ ସକାଳେ ସେ ଗଛର ଚାରା ଲାଗାଇବା ପାଇଁ ସମସ୍ତଙ୍କୁ ବାଣ୍ଟିବାଣ୍ଟି ସଚେତନବାର୍ତ୍ତା ପ୍ରଚାର କରି ପହଞ୍ଚନ୍ତି ନିଜ ଦୋକାନରେ  । ବାଟରେ ଚାରାଟିଏ ଦେଇ ଲାଗାଇବା ପାଇଁ ଅନୁରୋଧ କରନ୍ତି  । ତାଙ୍କ କଥା କିଏ ଶୁଣୁ ଅବା ନଶୁଣୁ ସେଥିପ୍ରତି ତାର ନିଘା ନଥାଏ  । ତିନିମୁହାଁଣି ଠାରେ ରହିଥିବା ତାଙ୍କ ଦୋକାନରେ ଚଷମା, ବେଲ୍ଟ ଏବଂ ଅନ୍ୟାନ୍ୟ ଜିନିଷପତ୍ର ବିକ୍ରି କରି ନିଜ ସଂସାର ଚଳାଇଥିବା ସେକ୍‍ ଦୁଇ ବର୍ଷ ହେବ ମୋବାଇଲ୍‍ ବ୍ୟବହାରରୁ ନିଜକୁ ଦୂରେଇ ରଖିଛନ୍ତି  । ତାଙ୍କ ମତରେ ମୋବାଇଲ୍‍ ବ୍ୟବହାର କାରଣରୁ  ପଶୁପକ୍ଷୀଙ୍କ ଅକାଳ ମୃତ୍ୟୁ ଘଟୁଛି  । ଏହା ସହିତ ପୃଥିବୀ ପୃଷ୍ଠରୁୁ ଅନେକ ପଶୁପକ୍ଷୀ ଆଉ ଦେଖିବା ପାଇଁ ମିଳୁନାହାଁନ୍ତି  । ସେହି କାରଣରୁ ସେ ଆଉ ମୋବାଇଲ୍‍ ବ୍ୟବହାର କହୁନାହାଁନ୍ତି  ।  ସମାଜରେ ଏବେ ମୋବାଇଲ୍‍ ପ୍ରତିମୁହୂର୍ତ୍ତରେ ଆବଶ୍ୟକତା ମେଣ୍ଟାଉଥିବା ବେଳେ ପରିବେଶ ଏବଂ ପଶୁପକ୍ଷୀଙ୍କ ପାଇଁ ସେକ୍‍ଙ୍କ ଭଳି ଯୁବକ ମୋବାଇଲ୍‍ ଠାରୁ ଦୂରେଇ ରହିବା ଘଟଣା  ଆଶ୍ଚର୍ଯ୍ୟ ସୃଷ୍ଟି କରିଛି  । କେବଳ ପ୍ରତିଦିନ ସକାଳେ ନୁହେଁ ବିଭିନ୍ନ ବିଭାଘର, ବ୍ରତ ଏବଂ ଅନ୍ୟ ଉତ୍ସବମାନଙ୍କରେ ପହଞ୍ଚିଯାଆନ୍ତି ସେକ୍‍ ନିଜର ସବୁଜମୟ ପରିପାଟୀରେ, ଚାରାଟିଏ ହାତକୁ ବଢ଼ାଇ ଦେଇ ଗଛ ଲଗାଇବାକୁ ଅନୁରୋଧ କରି  ପ୍ରଚାର କରନ୍ତି ତାଙ୍କ ସ୍ୱପ୍ନର ସବୁଜ ପରିବେଶ ପାଇଁ  । ପ୍ରଦୁଷିତ ପରିବେଶରେ ସନ୍ତୁଳିତ ହେଉଥିବା ପାଣିପାଗ ପାଇଁ ସେକ୍‍ ଚାନ୍ଦଙ୍କ  ଏଭଳି ପ୍ରୟାସ ନିଶ୍ଚୟ ଆମ ସମାଜରେ ପ୍ରଭାବ ପକାଇବାର ସମ୍ଭାବନା ରଖୁଛି  ।