ଓଡିଆନ୍ ନ୍ୟୁଜ

229

ଜାନୁଆରୀ ୨୬ରେ ଜାତୀୟ ସାହସିକତା ପୁରସ୍କାର ପାଇବେ ସିତୁ

Team Odian News |

ଜାନୁଆରୀ ୨୬ରେ ଜାତୀୟ ସାହସିକତା ପୁରସ୍କାର ପାଇବେ ସିତୁ 
ପ୍ରିୟବ୍ରତ ଓଝାଙ୍କ ରିପୋର୍ଟ 
ରାଜନଗର,୧୨ା୧୨(ଓଡ଼ିଆନ୍ ନ୍ୟୁଜ୍): କେନ୍ଦ୍ରପଡ଼ା ଜିଲା ରାଜନଗର ବ୍ଲକ କଣ୍ଡିରାର ସାହସୀ ସୁନାପୁଅ ସିତୁ ମଳିକ ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଛି । ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀଠାରେ ତାକୁ ଏହି ପୁରସ୍କାର ଦିଆଯିବ । ମେଘନାଦ ମଳିକ ଓ ମାତା ଅବଳୀ ମଳିକଙ୍କ ପୁଅ ସିତୁ ୨୦୧୮ ଫେବୃଆରୀ ୧୯ତାରିଖ   ଦାଦା ବିନୋଦ ସହ ଧାନଖଳା ଜଗିବାକୁ ଯାଇଥିବା ବେଳେ ପାଟଶାଳା ସେତୁ ନିକଟ ଦାରୁଓରା ନାଳରେ ରାତି ପ୍ରାୟ ୯ଟା ସମୟରେ ଦାଦା ବିନୋଦକୁ କୁମ୍ଭୀର ଧରି ଟାଣି ନେଉଥିବା ବେଳେ ସାହସର ସହିତ ସିତୁ ଟର୍ଚ୍ଚ ପକାଇ ଟେକାଫିଙ୍ଗିଥିଲା ଓ ବାଡିରେ ବାଡାଇବାରୁ କୁମ୍ଭୀର ବିନୋଦକୁ ଛାଡି ଦେଇଥିଲା । ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସିତୁର ସାହସିକତାକୁ ସମସ୍ତେ ଭୂରିଭୂରି ପ୍ରଶଂସା କରିଥିଲେ ।  ସେ ପାଠ ପଢୁଥିବା ସ୍ଥାନୀୟ ବାସୁଦେବ ନୋଡାଲ ଉଚ୍ଚବିଦ୍ୟାଳୟ ପକ୍ଷରୁ ତାକୁ ପ୍ରଧାନ ଶିକ୍ଷକ ମହେଶ୍ୱର ରାଉତଙ୍କ ନେତୃତ୍ୱରେ ପ୍ରଥମେ ସମ୍ବର୍ଦ୍ଧିତ କରାଯାଇଥିଲା । ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ଅନ୍ୟ ଅନୁଷ୍ଠାନ ଗୁଡିକ ପକ୍ଷରୁ ମଧ୍ୟ ତାକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏନେଇ ଗତ ୧୦ତାରିଖ ଦିନ ଜାତୀୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ ତାକୁ ଆସନ୍ତା ଜାନୁଆରୀ ୧୬ସୁଦ୍ଧା ଦିଲ୍ଲୀରେ ପହଞ୍ଚିବା ପାଇଁ ତାକୁ ଚିଠି କରାଯିବା ସହ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଜଣାଇଦିଆଯାଇଛି । ଏନେଇ ଜିଲ୍ଲାପାଳ ଦାଶରଥୀ ଶତପଥୀ ସିତୁ ମଳିକ ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଶୁଭେଛା ଜଣାଇଛନ୍ତି । ଏହାଛଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ବିଡିଓ ମନ୍ଦରଧର ମହାଳିକ, ବାସୁଦେବ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମହେଶ୍ୱର ରାଉତଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାକୁ ଶୁଭେଛା ଜଣାଇବା ସହ ସିତୁ ପାଇଁ ଆମେ ଗର୍ବିତ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ସୂଚନା ଥାଉକି, ଏହି ବ୍ଲକ ଡାଙ୍ଗମାଳ ପଚାଂୟତ ବାଙ୍କୁଆଳ ଗ୍ରାମର ମମତା ଦଳାଇ ତାର ବଡ ଭଉଣୀ ଅଶାନ୍ତି ଦଳାଇକୁ କୁମ୍ଭୀର କବଳରୁ ଉଦ୍ଧାର କରି ଜାତୀୟ ପୁରସ୍କାର ପାଇସାରିଛି ।