ଓଡିଆନ୍ ନ୍ୟୁଜ

199

ଅଧାରୁ ଭାରତ ବିଦା, ନେଦରଲାଣ୍ଡ୍ ସେମିରେ

Team Odian News |

ଭୁବନେଶ୍ବର ୧୪ /୧୧(ଓଡିଆନ ନ୍ୟୁଜ): କଳିଙ୍ଗ ସ୍ତବ୍‌ଧ ହୋଇଗଲା, ୧୩୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ ବି ଅଟକିଗଲା। ସମୟର ଘଣ୍ଟା ଅଟକଯିବା ଭଳି ନିରବତା ବି ଛାଇଗଲା ହକି ପ୍ରେମୀଙ୍କ ମନ, ପ୍ରାଣ ଓ ହୃଦୟରେ। ୪୩ ବର୍ଷର ଅଧୁରା ସ୍ବପ୍ନକୁ ବି କଳିଙ୍ଗ ମାଟିରେ ସାକାର କରିବାର ଆଶା ପାଣି ଫୋଟକା ଭଳି ଉଭେଇଗଲା। କଳିଙ୍ଗ ହକି କଂପ୍ଳେକ୍ସରେ ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌’ର ସ୍ମରଣୀୟ ପଦାର୍ପଣ ବି ଭାରତ ପାଇଁ ଯଥା ପୂର୍ବଂ ତଥା ପରଂର ‘ଶ୍ଲୋକ’ ଦୋହରାଇଦେଲା। କ୍ବାର୍ଟରଫାଇନାଲ୍‌ଠାରୁ ଆଗକୁ ବଢ଼ି ପାରିଲା ନାହିଁ ଭାରତ। ‘ଖାଲି ହାତରେ ଫେରିବୁ ନାହିଁ’ର ଦମ୍ଭୋକ୍ତି କେବଳ କଥାରେ ରହିଗଲା। ଭାରତୀୟ ହକିର ସୁବର୍ଣ୍ଣ ଯୁଗ ଫେରୁ ଫେରୁ ହାତ ପାହାନ୍ତାରୁ ଖସିଗଲା। ଗୁରୁବାର ମ୍ୟାଚ୍ ଆରମ୍ଭରୁ ଭାରତୀୟ ଖେଳାଳିଙ୍କ ଶାରୀରିକ ଭାଷା ଫଳାଫଳର ଆଭାସ ଦେଇ ସାରିଥିଲା। ଜୋସରେ ନ ଥିଲେ, ‌େହ‌ାସରେ ନ ଥିବା ଭଳି ଖେଳିଥିଲେ କଳିଙ୍ଗର ସୁନୀଳ ଟର୍ଫରେ। ଫିକା ନୀଳ ଜର୍ସି ବି ୬୦ ମିନିଟରେ ଫିକା ପଡ଼ିଯାଇଥିଲା। କମଳା ରଙ୍ଗରେ ଖେଳିଥିବା ଗତ ଥରର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ୍‌ ବି ବିଜୟ ଛଡ଼ାଇନେବାକୁ ଅଧିକ କିଛି ପରିଶ୍ରମ କରିନଥିଲା। ଭାରତକୁ ୨-୧ ଗୋଲ୍‌ରେ ଦଳି ଦେଇଥିଲା। ଏହି ବିଜୟ ସହିତ ଶନିବାର ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ସହ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନେଇଛି ନେଦରଲାଣ୍ଡ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲରେ ବେଲଜିୟମ ଭେଟିବ ଇଂଲଣ୍ଡକୁ। ଭାରତର ବିଦାୟ ପୂର୍ବରୁ ୨ ଥର ବିଜେତା ଜର୍ମାନିକୁ ସମାନ ୧-୨ ଗୋଲ୍‌ରେ ବିଦାୟ ରାସ୍ତା ‌ଦେଖାଇଥିଲା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ବେଲଜିୟମ୍।