ଓଡିଆନ୍ ନ୍ୟୁଜ

207

‘ନିଷ୍ଠା ଆଉ ଅଧ୍ୟବସାୟ ଦ୍ୱାରା ସବୁ ଅସାଧ୍ୟ ସାଧିତ ହେବ’ -ସୁବ୍ରତ ତରାଇ,

Team Odian News |

‘ନିଷ୍ଠା ଆଉ ଅଧ୍ୟବସାୟ ଦ୍ୱାରା ସବୁ ଅସାଧ୍ୟ ସାଧିତ ହେବ’
-ସୁବ୍ରତ ତରାଇ,

ପୂର୍ବତନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
 ପ୍ରଶ୍ନ- ସରକାରୀ ଚାକିରୀ,ପ୍ରତିମାସରେ ମୋଟା ଅଙ୍କର ଦରମା ବହୁ ସୁବିଧା । ହେଲେ ପ୍ରାର୍ଥୀ ହୋଇ ଜିତିବା ହାରିବା ଭଳି ଅନିଶ୍ଚିନ୍ତତା ଭିତରକୁ କେମିତି ମନ ଦେଲେ ?
ଉ-ପିଲାଦିନୁ ସମାଜ ସେବା ପାଇଁ ମନ ଥିଲା । ବଣେଇଁ କୃଷି ଅଧିକାରୀ ଭାବେ କାମ କରୁଥିଲି । କୃଷକମାନଙ୍କୁ ବହୁଭାବରେ ସହଯୋଗ କରୁଥିଲି । ସୁଯୋଗ ଆସିଲା ୨୦୦୯ ମସିହାରେ ରଘୁନାଥପାଲ୍ଲୀ ବିଧାନସଭା ଆସନରୁ ଲଢ଼ିବା ପାଇଁ । ବ୍ୟାପକ ଭାବେ ସାଧାରଣ ଲୋକମାନଙ୍କ କାମ କରିବା ପାଇଁ ଭାବନା ରଖି ସରକାରୀ ଚାକିରୀ ଛାଡ଼ିଲି,ଆଉ ବିଜେଡ଼ି ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଲି ।
ପ୍ରଶ୍ନ- ଏକଦା ସରକାରୀ କର୍ମଚାରୀ ପୁଣି ମନ୍ତ୍ରୀ ଏବେ ବିଧାୟକ । ମାତ୍ର କିଛି ବର୍ଷ ଭିତରେ ଏତେ ଫରକ,କେମିତି ଲାଗୁଛି  ?
ଉ-ବହୁତ ଖୁସି ଲାଗୁଛି ।ସମାଜ ସେବା କରିବାର ଯେଉଁ କାମନା ଥିଲା,ତାହା ପରିପୂର୍ଣ୍ଣ ହେଲା ।
ପ୍ରଶ୍ନ- ଆପଣ କୃଷି ଅଧିକାରୀ ଥିଲେ,କୃଷି ବିଜ୍ଞାନରେ ସ୍ନାତକତର ଡ଼ିଗ୍ରୀ ହାସଲ କରିଛନ୍ତି । କୃଷି ବିଭାଗ କାମ କରିଥିଲେ ଭଲ ହୋଇଥାନ୍ତା କି ?
ଉ- ନିଶ୍ଚିନ୍ତ ଭାବେ ଭଲ ହୋଇଥାନ୍ତା । ଯେହେତୁ ମନ୍ତ୍ରୀମଣ୍ଡଳ ଗଠନ ସଂପୂର୍ଣ୍ଣଭାବେ ମୁଖ୍ୟମନ୍ତ୍ରୀଙ୍କ ଇଛାଧୀନ ବ୍ୟାପାର । ତାଙ୍କ ବିଚାରଧାରା ଅନୁଯାୟୀ ବିଭାଗ ବଣ୍ଟନ ହୋଇଛି । ନମିଳିଛି ବୋଲି କିଛି ଅନୁଶୋଚନା ନାହିଁ ।
ପ୍ରଶ୍ନ-ସାଧାରଣ ଭାବେ ଦେଖାଯାଉଛି ଯେ, ରାଜନୌତିକ ପରିବାରରୁ ଆସିଥିବା ବ୍ୟକ୍ତିମାନେ ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରୁଛନ୍ତି । ଏ କ୍ଷେତ୍ରରେ ଆପଣ ସଂପୂର୍ଣ୍ଣ ଓଲଟା । ସାଧାରଣ ମଧ୍ୟବିତ୍‍ ପରିବାରରୁ ଆସି ଆପଣ ଏ ପ୍ରକାର ସଫଳତା ପାଇଛନ୍ତି  । ଏ ସଫଳତାକୁ କିଭଳି ଭାବେ ଗ୍ରହଣ କରିବେ । 
ଉ- ଏ କଥାରେ ମୁଁ ଏକ ମତ ନୁହେଁ । କାରଣ ବହୁ ଯୋଗ୍ୟ ବ୍ୟକ୍ତି ଆଜି ସାଧାରଣ ପରିବାରରୁ ଆସି ସଫଳତା ହାସଲ କରିଛନ୍ତି । ରାଜନୀତି ହେଉକି ଅନ୍ୟ କିଛି । ଏ ଦିଗରେ ନିଜର ସାଧନା ରହିବା ଦରକାର । ଇଶ୍ୱରଙ୍କ ଉପରେ ସଂପୂର୍ଣ୍ଣଭାବେ ବିଶ୍ୱାସ ରହିବା ଦରକାର । 
ପ୍ରଶ୍ନ- ଆଉ ଦୁଇ ବର୍ଷ ଭିତରେ ନିର୍ବାଚନ,ମନ୍ତ୍ରୀପଦ ସମ୍ଭାଳିବା ସହିତ ନିଜ ନିର୍ବାଚନ ଲୋକମାନଙ୍କ କଥା ବୁଝିବା । କେମିତି ପ୍ରସ୍ତୁତ ହେଉଛନ୍ତି ।
ଉ- ନିଶ୍ଚିନ୍ତଭାବେ କଷ୍ଟକର ବ୍ୟାପାର,ହେଲେ ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ବିଶ୍ୱାସ ଏବଂ ଆସ୍ଥା ରଖିଛନ୍ତି । ଏ ଦିଗରେ ମୁଁ ଅଧିକ ପରିଶ୍ରମ କରିବି । ବର୍ତ୍ତମାନ ଆମ ବିଭାଗର ଅଧିକାରୀଙ୍କ ସହିତ ବସି ବିଭିନ୍ନ ସମସ୍ୟାର ସମାଧାନ ସହିତ ଓଡ଼ିଶା ସରକାରଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି କାମ କରିବି । ଦୁଇ ତିନି ମାସ ଭିତରେ ସବୁକିଛି ଠିକ୍‍ ଠାକ୍‍ ହେଲା ପରେ ପୂର୍ବ ସମୟ ପରି ମୋ ନିର୍ବାଚନ ଲୋକମାନଙ୍କ କଥା ବୁଝିବି । ଆଶା କରୁଛି ଲୋକମାନଙ୍କ କଥା ଠିକ୍‍ ଭାବେ ବୁଝିପାରିଲେ,ଆଗାମୀ ନିର୍ବାଚନ ମୈଦାନ ପାର ହେବାରେ କୌଣସି ଅସୁବିଧା ହେବ ନାହିଁ । ଆଜିବି ମତେ ବହୁ ଜ୍ଞାନ ଆହରଣ କରିବାକୁ ପଡ଼ୁଛି । ନିଷ୍ଠାର ସହିତ ଅଧ୍ୟବସାୟ ଜାରି ରଖିଲେ  ସବୁ ଅସାଧ୍ୟ ସାଧନ ହୋଇପାରିବ ବୋଲି ମୋର ବିଶ୍ୱାସ ରହିଛି ।