ଓଡିଆନ୍ ନ୍ୟୁଜ

173

ଶିକାରୀ ଗୁଳିରେ ଦନ୍ତାହାତୀର ମୃତ୍ୟୁ!

Team Odian News |

ଶିକାରୀ ଗୁଳିରେ ଦନ୍ତାହାତୀର ମୃତ୍ୟୁ! ଗଞ୍ଜାମ ,୧୬/୧୨(ଓଡ଼ିଆନ ନ୍ୟୁଜ): ଆଜି ବଡିଭୋରରୁ ନୂଆଗାଁ ଥାନା ଦିଗପହଣ୍ଡି ବନ୍ୟାଞ୍ଚଳ ଅଧିନରେ ଥିବା ନିମଖଣ୍ଡି ପେଣ୍ଠ ଓ ମେଘଝୋଳି ଗ୍ରାମର ଧାନବେଡା ପୋଖରୀ ନିକଟରେ ଶିକାରୀର ଗୁଳିମାଡରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ କୋୖଣସି ଦୁର୍ବୃତ୍ତ ଦନ୍ତାହାତୀକୁ ୪ ଟି ଗୁଳି ମାରି ହତ୍ୟା କରିଥିବା ସହ ହାତୀର ଦାନ୍ତକୁ ଓପାଡି ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସୁଫଳ ହୋଇପାରିନାହିଁ ବୋଲି ଜଣାପଡିଛି । ହାତୀଟିର ବୟସ ପାଖାପାଖି ୫/୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଦୀର୍ଘଦିନ ହେଲା ୬ ଟିକିଆ ହାତୀପଲ ଦିଗପହଣ୍ଡି ନିକଟସ୍ଥ ଚାଙ୍ଗୁଡିଦେଇ ପାହାଡ଼ରେ ରହି ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ପାଚିଲା ଧାନ ଖାଇବା ସହିତ ନଷ୍ଟ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ୍ କରି ଫେରିବା ସମୟରେ ୬ ଟିକିଆ ହାତୀପଲ ମଧ୍ୟରୁ ଦନ୍ତାହାତୀକୁ ଦେଖିନଥବା ବନବିଭାଗ ପକ୍ଷରୁ କୁହାଯାଇଛି । କିନ୍ତୁ ଆଜି ଭୋର ସମୟରେ ଦନ୍ତାହାତୀର ମୃତଦେହ ନିମଖଣ୍ଡିପେଣ୍ଠ ଓ ମେଘଝୋଳି ଗ୍ରାମର ଏକ ବିଲ ହୁଡାରେ ମରିପଡିଥିବା ଦେଖି ଗ୍ରାମବାସୀମାନେ ଦିଗପହଣ୍ଡି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ବନ୍ୟାଞ୍ଚଳ ଅଧିକାରୀ ପରମାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଫରେଷ୍ଟର ସୀତାରାମ ପାତ୍ର ଓ ନୀଳମାଧବ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ହାତୀଟିର ମୁଣ୍ଡ , କାନ ,ବେକ ଓ ଗୋଡ ପ୍ରମୁଖ ୪ ଟି ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ହାତୀଟିର କୋୖଣସି ଶିକାରୀ ଗୁଳି କରିଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ବେଳେ ବନବିଭାଗ ପକ୍ଷରୁ ଏହାକୁ ଅସ୍ବୀକାର କରିବା ସହ ଦୁଇଟି ହାତୀ ମଧ୍ୟରେ ସଂଘର୍ଷ ଘଟି ଦନ୍ତାହାତୀ ମୃତ୍ୟୁବରଣ କରିଥିବା କହୁଥିବା ବେଳେ ଗ୍ରାମବାସୀମାନେ ଶିକାରୀ ଗୁଳିରେ ହାତୀ ମରିଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ଅଧିକାରୀ ଦେବାଶିଷ ମହାନ୍ତି, ନୂଆଗାଁ ଥାନା ଅଧିକାରୀ ସୁଜିତ କୁମାର ନାୟକ , ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା , ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ କୁମାର ପନ୍ଥ , ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋଜ ଜେନା , ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପକ୍ଷରେ ହାତୀର ମୃତଦେହକୁ ଉଦ୍ଧାର କରି ଶବବ୍ଯବଚ୍ଛେଦ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିପାରିଛି ।