ଓଡିଆନ୍ ନ୍ୟୁଜ

142

କେନ୍ଦ୍ରର ସବୁ ପ୍ରକାର ସହାୟତା ସତ୍ତ୍ୱେ ଓଡ଼ିଶାରେ ବିକାଶ କାହିଁ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Team Odian News |

କେନ୍ଦ୍ରର ସବୁ ପ୍ରକାର ସହାୟତା ସତ୍ତ୍ୱେ ଓଡ଼ିଶାରେ ବିକାଶ କାହିଁ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 
ଖୋର୍ଦ୍ଧା,୨୪ /୧୨(ଓଡିଆନ ନ୍ୟୁଜ) : ଦିନିକିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାର ନାଇଜର ଷ୍ଟାଡିୟମରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ବେଳେ ନବୀନ ସରକାରକୁ ସିଧାସଳଖ ଟାର୍ଗେଟ କରି ନଥିଲେ ବି ବୁଲେଇ ବଙ୍କେଇ ପ୍ରଶ୍ନବାଣ ମାରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପଛରେ ପଡିଥିବା ମୋଦି କହିବା ସହ ୨୦୧୯ ନିର୍ବାଚନରେ ଭାଜପାକୁ କ୍ଷମତାକୁ ଆଣିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କାହା ନାଁ ନ ନେଇ ବିକାଶରୁ କୁପୋଷଣ, ଚାଷୀରୁ ଚିଟ୍‌ଫଣ୍ଡ ଯାଏ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।କେନ୍ଦ୍ରର ସବୁ ପ୍ରକାର ସହାୟତା ସତ୍ତ୍ୱେ ଓଡ଼ିଶାରେ ବିକାଶ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।ଦେଶରେ ସ୍ୱଚ୍ଛତା ହାର ୯୭% ଥିବାବେଳେ ଓଡ଼ିଶା କାହିଁକି ପଛରେ ପଡ଼ିଛି ବୋଲି ମୋଦି ପଚାରିଛନ୍ତି।

ରାଜ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ଅନ୍ୟାନ୍ୟ ନଦୀ ଥିବାବେଳେ ତା’ ମାଧ୍ୟମରେ ଜଳ ସମସ୍ୟାର ସମାଧାନ ହୋଇପାରୁନି। ଓଡ଼ିଶାର ଲୋକମାନେ ବୁନ୍ଦାଏ ପଇବା ପାଣି ପାଇଁ କାହିଁକି ଡହଳବିକଳ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟର ଯୁବକମାନେ ଘର ଛାଡିବାକୁ କାହିଁକି ବାଧ୍ୟ ହେଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରି ପରୋକ୍ଷରେ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଚିଟଫଣ୍ଡ ଓ ପିସି କଲଚର ଏବେ ରାଜ୍ୟରେ ପ୍ରଭାବ ବିସ୍ତାର କରୁଛି। ଏହି ଚିଟଫଣ୍ଡ ଓ ପିସି କଲଚର ରୂପକ ଦାନବକୁ କିଏ ଦାନା ଯୋଗାଉଛି ? ସେ କିଏ ଯାହା ପାଇଁ ଦୁର୍ନୀତି ଏଠି ଏତେ ବଳବାନ ବୋଲି ମୋଦି ପ୍ରଶ୍ନ କରିଛନ୍ତି।