ଓଡିଆନ୍ ନ୍ୟୁଜ

262

ନିର୍ଯାତନା ସହିନପାରି କଲିକତାରେ ଆତ୍ମହତ୍ୟା କଲେ ଓଡ଼ିଆ ମହିଳା ।

Team Odian News |

ନିର୍ଯାତନା ସହିନପାରି କଲିକତାରେ ଆତ୍ମହତ୍ୟା କଲେ ଓଡ଼ିଆ ମହିଳା  । 
ରାଜକନିକା,୨୮ା୧୨(ଓଡ଼ିଆନ୍ ନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ ଅନ୍ତର୍ଗତ ଓଳାଭର ଦେଉଳସାହି ଗ୍ରାମର ଶୁକଦେବ ନାୟକଙ୍କ ଝିଅ ସୁପ୍ରିୟା  ସ୍ୱାମୀ, ଦିଅର, ଯାଆଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ କଲିକତା ଠାରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଛନ୍ତି  । ଏହି ଘଟଣାରେ ପଶ୍ଚିମବଙ୍ଗ ପୁଲିସ କୌଣସି ପଦକ୍ଷେପ ନେଉନଥିବାରୁ ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି  । ଖବରମୁତାବକ ଦେଉଳସାହି ଗ୍ରାମର ଶୁକଦେବ ନାୟକଙ୍କ ଝିଅ ଗତ ୨୦୧୧ ନଭେମ୍ବର ମାସରେ ପଟ୍ଟାମୁଣ୍ଡାଇ, ବନ୍ତପାଟଣା ଗ୍ରାମର କ୍ଷେତ୍ରବାସୀ ନାଥଙ୍କ ମଝିଆ ପୁଅ ରଞ୍ଜନ ନାଥଙ୍କ ସହିତ ବିବାହ କରିଥିଲେ  । ସ୍ୱାମୀ ରଞ୍ଜନ କଲିକତାରେ ରହି ଏକ ହୋଟେଲରେ କାର୍ଯ୍ୟକରୁଥିଲେ  । ପୂର୍ବରୁ ସେ ବିବାହିତ ଥିଲେ  । ତାଙ୍କର ଗୋଟିଏ ୧୪ ବର୍ଷର ଝିଅ ମଧ୍ୟ ରହିଛି  । ପ୍ରଥମ ସ୍ତ୍ରୀଙ୍କ କ୍ୟାନ୍‍ସରରେ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ  । ହେଲେ କଲିକତାରେ ସୁପ୍ରିୟାଙ୍କୁ ବିଭିନ୍ନ କାରଣ ପାଇଁ ମାନସିକ ଭାବେ ନିର୍ଯାତନା ଦିଆହୋଇ ଆସୁଥିଲା  । ଗତ ୨୩ ତାରିଖ ଦିନ ସକାଳ ୯ଟାରେ କିରାସିନି ଦେଢହରେ ଢ଼ାଳି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ହେଲେ ପାଞ୍ଚଦିନ କାଳ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଗତ ୨୮ ତାରିଖ ଦିନ ଆଖି ବୁଜିଦେଇଛନ୍ତି ସୁପ୍ରିୟା  । ଏହି ଘଟଣା ଜଣାପଡ଼ିବା ପରେ ଓଳାଭର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି  । ପ୍ରଥମ ସ୍ତ୍ରୀର ଝିଅ ରଶ୍ମିତା, ଦାଦା ମହେନ୍ଦ୍ର ନାଥ, ଦେଢ଼ଶୁର ବିଚିତ୍ର ନାଥ ଏବଂ ଯାଆଙ୍କ ନିର୍ଯାତନାରେ ସୁପ୍ରିୟା ଆତ୍ମ ହତ୍ୟା କରିଥିବାର ନେଇ କଲିକତାର ୨୪ ପ୍ରଗଣା, ସନ୍ତୋଷପୁର ମହେଶତାଲା ଥାନାରେ ପରିବାର ପକ୍ଷରୁ ଏକ ଏତଲା ଦିଆଯାଇଛି  । ଏହା ସହିତ ସଙ୍କଟାପନ୍ନ ଅବସ୍ଥାରେ ସୁପ୍ରିୟା ମଧ୍ୟ ମୃତ୍ୟୁକାଳୀନ ଜମାନବନ୍ଦୀରେ ମଧ୍ୟ ଅଭିଯୋଗ କରିଥିବାର ଜଣାପଡ଼ିଛି  । ହେଲେ ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନଷ୍ଠାନ ନେଉନଥିବାର ଅଭିଯୋଗ ହୋଇଛି  । ଏହି ଘଟଣାରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ଗରିବ ଝିଅକୁ ନ୍ୟାୟ ଦେବା ପାଇଁ ସାଧାରଣରେ ଦାବି ହେଉଛି  ।