ଓଡିଆନ୍ ନ୍ୟୁଜ

202

ସଡ଼କ ଦୁର୍ଘଟଣା : ଜାତୀୟ ହାରଠାରୁ ଓଡ଼ିଶା ଆଗରେ

Team Odian News |

ଭୁବନେଶ୍ୱର,୨୯/୧୨(ଓଡ଼ିଆନ୍ ନ୍ୟୁଜ୍‍): ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା। ୨୦୧୭ରେ ଦେଶରେ ଦୁର୍ଘଟଣାରେ ୧.୪୮ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୪ ହଜାର ୮୦୦ ରହିଥିଲା। ୫ ହଜାର ଲୋକ ଗୁରୁତର ଆହତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଦୁର୍ଘଟଣାରେ ରାଜ୍ୟରେ ୩୦ ହଜାର ‌ଲୋକଙ୍କ ପ୍ରାଣହାନି ଘଟିଛି। ଦେଶରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୨୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ୪୪ ଜଣ ମରୁଛନ୍ତି। ଦେଶ ତୁଳନାରେ ରାଜ୍ୟରେ ଦୁର୍ଘଟଣା ହାର ବଢ଼ିଥିବାରୁ ଏବେ ଚିନ୍ତା ପ୍ରକଟ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏନେଇ ସମୀକ୍ଷା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୧୪ରେ ଗଠିତ ରାଧାକ୍ରିଷ୍ଣନ୍‌ କମିଟି ନିୟମିତ ଭାବେ ଦୁର୍ଘଟଣା ହାର ହ୍ରାସ କରିବା ଦିଗରେ ବିଭିନ୍ନ ସୂତ୍ରରୁ ସମୀକ୍ଷା କରିବା ସହ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୦ ସୁଦ୍ଧା ଦୁର୍ଘଟଣା ହାର ୫୦ପ୍ରତିଶତ ହ୍ରାସ କରିବା ପାଇଁ କମିଟି ଗୁରୁତ୍ୱାରୋପ କରିଥିବା ବେଳେ ରାଜ୍ୟରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ୨୦୧୫ ତୁଳନାରେ ୨୦୧୬ ଓ ୨୦୧୭ ମସିହାରେ ଦୁର୍ଘଟଣା ହାର ୭.୩୩% ବୃଦ୍ଧି ହୋଇଛି। ୨୦୧୮ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୪୨୭୦ଟି ଦୁର୍ଘଟଣା ଘଟିଛି। ୨୦୧୭ ତୁଳନାରେ ୮.୪୩% ପ୍ରତିଶତ ବଢ଼ିଛି। ଦୁର୍ଘଟଣା ହାର ପ୍ରତିବର୍ଷ ୧୦% ହ୍ରାସ କରିବାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେବା ପରେ ବି କୌଣସି ସୁଧାର ଆସି ନଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି।