ଓଡିଆନ୍ ନ୍ୟୁଜ

146

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ କଲେ ଲକ୍ଷାଧିକ ଭକ୍ତ

Team Odian News |

 ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି  ନୂଆବର୍ଷ ଆରମ୍ଭ କଲେ ଲକ୍ଷାଧିକ ଭକ୍ତ
ପୁରୀ,୧/୧(ଓଡ଼ିଆନ ନ୍ୟୁଜ): ଆଜି ନୂଆବର୍ଷ ୨୦୧୯। ନୂଆ ବର୍ଷରେ କୋଟି ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଇଂରାଜୀ ନୂଆବର୍ଷ ଆରମ୍ଭ କରିବା ପାଇଁ ଲୋକଙ୍କ ଅଗ୍ରହ ପରିଲକ୍ଷିତ ହୋଇଛି। ଏଥିପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ, ସିଂହଦ୍ୱାର ଓ ଶ୍ରୀମନ୍ଦିର। ଲକ୍ଷଲକ୍ଷ ଭକ୍ତ ଶ୍ରୀମନ୍ଦିର ଯାଇ ବଡ଼ ଠାକୁର ବଳଦେବ, ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ମା ଶୁଭଦ୍ରାଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଭକ୍ତିମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥଇପାଇଁ ବ୍ୟବସ୍ଥା କରାଯାଇଛି। ନୂଆବର୍ଷ ଆରମ୍ଭରେ ଭକ୍ତଙ୍କ ଭିଡ଼ ଓ ଆଗ୍ରହକୁ ଆଖି ଆଗରେ ରଖି ଶ୍ରୀମନ୍ଦିରର ଦ୍ୱାରଫିଟା ସହଳ ହୋଇଥିଲା। ନୂଆବର୍ଷର ନୂତନ ସୂର୍ଯ୍ୟୋଦୟର ଯଥେଷ୍ଟ ପୂର୍ବରୁ ରାତି ୧୨ଟା ୧୭ ମିନିଟ୍‌ରେ ଶ୍ରୀମନ୍ଦିର ଖୋଲାଯାଇଥିବାରୁ ଭକ୍ତମାନେ ସେମାନଙ୍କ ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିଛନ୍ତି।ନୂଆବର୍ଷକୁ ସ୍ୱାଗତ କରିବା ସହିତ ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ, ମହୋଦଧୀରେ ସ୍ନାନ ସହିତ ୨୦୧୯ ମସିହାର ନୂତନ ସୂର୍ଯ୍ୟଙ୍କୁ ସ୍ୱାଗତ କରିବା ପାଇଁ ଗତକାଲି ଠାରୁ ପୁରୀରେ ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭକ୍ତ ଓ ଶ୍ରଦ୍ଧାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭିଆଇପି ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଗାଡ଼ିକୁ ସିଂହଦ୍ଵାର ପର୍ଯ୍ୟନ୍ତ ଏବଂ ବିଚାରପତିମାନଙ୍କ ଗାଡ଼ିକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ଦିଆଯିବ। ସେହିପରି ଅନ୍ୟ ଭିଆଇପିମାନଙ୍କୁ ଟାଉନ ଥାନା ପର୍ଯ୍ୟନ୍ତ ଛଡ଼ାଯିବ। ବାଇ୍‌କରେ ଆସୁଥିବା ଶ୍ରଦ୍ଧାଳୁମାନେ ମରିଚିକୋଟ ଛକରୁ ମାର୍କେଟ ଛକ ମଝି ବଡ଼ଦାଣ୍ଡ ବାମପଟେ ପାର୍କିଂ କରି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇପାରିବେ। ଚାରିଚକିଆ ଯାନଗୁଡ଼ିକୁ ଆଜି ରାତି ୨ଟାରୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ରହିବାକୁ ସୁଯୋଗ ଦିଆଯାଇଛି।
ସେହିପରି ଯାତ୍ରୀବାହୀ ବସଗୁଡ଼ିକ ଅଠରନଳା ଦେଇ ବସଷ୍ଟାଣ୍ଡକୁ ଆସି ଯାଉଛନ୍ତି। କେନ୍ଦ୍ରାଞ୍ଚଳ ଆଇଜି ସେମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୁରୀ ଏସ୍‌ପିି ଡା. ସାର୍ଥକ ଷଡ଼ଙ୍ଗୀ ଟ୍ରାଫିକ୍‌ ବ୍ୟବସ୍ଥାର ତଦାରଖ କରୁଛନ୍ତି।