ଓଡିଆନ୍ ନ୍ୟୁଜ

194

ଗାର୍ମେଣ୍ଟ ପ୍ରଡକ୍ସନ

Team Odian News |

ଗାର୍ମେଣ୍ଟ ପ୍ରଡକ୍ସନ


ପୂର୍ବେ ବସ୍ତ୍ର ଉତ୍ପାଦନ ବା ଗାର୍ମେଣ୍ଟ ପ୍ରଡକସନ କ୍ଷେତ୍ରରେ ଅଧିକରୁ ଅଧିକ ଶ୍ରମିକମାନଙ୍କୁ ସାମିଲ କରାଯାଉଥିଲା । ଶ୍ରମିକମାନେ କନା କାଟିବା, ସିଲେଇ କରିବା ଆଦି କାମ କରୁଥିଲେ । ମାତ୍ର ଏବେ ବୈଷୟିକ ଜ୍ଞାନ କୌଶଳର ବିକାଶ ହେବା ଫଳରେ ଏହି କାମ ଅତି ସହଜରେ ହୋଇପାରୁଛି । ଏହାର ମାନ ବି ଖୁବ୍ ଉଚ୍ଚ ରହୁଛି । ନିଯୁକ୍ତି ସୁଯୋଗ ସହ କାର୍ଯ୍ୟକ୍ଷେତ୍ର ବଢୁଛି । କମ୍ପ୍ୟୁଟର ଦ୍ୱାରା ବିଭିନ୍ନ କାମର ଡିଜାଇନ ବା ଫ୍ରେମ୍ ୱାର୍କ ତିଆରି ହେଉଛି । ବସ୍ତ୍ର ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ କିଣିବା, କପଡ଼ା ଡିଜାଇନ କରି ନମୁନା ପ୍ରସ୍ତୁତ କରିବା, ପରିଧାନ ଉତ୍ପାଦନ ଓ ବିତରଣ ବ୍ୟବସ୍ଥା, ତିଆରି ବସ୍ତ୍ରର ମାର୍କେଟିଂ କରିବା ଆଦି ବସ୍ତ୍ର ଉତ୍ପାଦନ ବା ଗାର୍ମେଣ୍ଟ ମାନୁଫାକ୍ଚରିଂ ଅଧୀନରେ ଆସିଥାଏ । କମ୍ପାନୀର ଚାହିଦାକୁ ନେଇ କର୍ମଚାରୀ ନିଯୁକ୍ତି ଦିଆଯାଇଥାଏ । ଏଥର ଜାଣନ୍ତୁ କେମିତି ଗଢ଼ିବେ ଗାର୍ମେଣ୍ଟ୍ ପ୍ରଡକ୍ସନରେ କ୍ୟାରିୟର...

କ’ଣ ଏହି ପାଠ୍ୟକ୍ରମ
ଏଭଳି ବ୍ୟାବସାୟିକ ଉଦ୍ୟୋଗ କରିବାକୁ ହେଲେ ବିଏସ୍ସି (ଜିପିପି ବା ଗାର୍ମେଣ୍ଟ ପ୍ରଡକସନ ଆଣ୍ଡ ପ୍ରୋସେସିଂ) ପାଠ ପଢ଼ିବାକୁ ପଡ଼ିବ । ଏହା ହେଉଛି ତିନି ବର୍ଷୀୟା ଡିଗ୍ରୀ ପାଠ୍ୟକ୍ରମ । ଏହି ପାଠ୍ୟକ୍ରମରେ କପଡ଼ା ଡିଜାଇନ, ଉନ୍ନତମାନର କପଡ଼ା ଉତ୍ପାଦନ ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । କପଡ଼ା ଶିଳ୍ପର ଚାହିଦା ଅନୁସାରେ ଜ୍ଞାନ କୌଶଳ ବିକଶିତ ଓ ଆଧୁନିକୀକରଣ କରାଯାଇଥାଏ । ଭାରତର ଏକ ପ୍ରମୁଖ ସଂସ୍ଥା ଏନ୍ଆଇଏଫ୍ଟି ପକ୍ଷରୁ ଏନେଇ ଏକ ଚାରି ବର୍ଷୀୟା ପାଠ୍ୟକ୍ରମ ବିଏଫ୍ ଟେକ୍ (ଗାର୍ମେଣ୍ଟ ମାନୁଫାକଚରିଂ) ପ୍ରଦାନ କରାଯାଉଛି । କପଡ଼ା ପ୍ରସ୍ତୁତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ଏହି ପାଠ୍ୟକ୍ରମରେ ସାମିଲ କରାଯାଇଛି । ଏହି ପାଠ୍ୟକ୍ରମରେ କପଡ଼ା ଉତ୍ପାଦନ, ଯୋଜନା ଓ ପରିଚାଳନା ଦାୟିତ୍ୱର ନିୟନ୍ତ୍ରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଅନେକ ଇନ୍ଷ୍ଟିଚ୍ୟୁଟ୍ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ମାତ୍ର ସେମାନେ କେବଳ କପଡ଼ା ସିଲେଇ ଉପରେ ଗୁରୁତ୍ୱ ଦେଇଥାନ୍ତି । 
ଶିକ୍ଷାଗତ ଯୋଗ୍ୟତା
ଏହ ପାଠ୍ୟକ୍ରମ କରିବାକୁ ହେଲେ ଜଣେ ଯେକୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । 
ଦକ୍ଷତା ଥିବା ଜରୁରୀ
ସାଧାରଣ ଜ୍ଞାନ ନଥିଲେ ଜଣେ ଯେକୌଣସି କ୍ଷେତ୍ରରେ ପ୍ରବେଶ କରୁ ନା କାହିଁକି, ସେଥିରେ କେବେହେଲେ ସଫଳ ହୋଇପାରିବା ନାହିଁ । ସେହିଭଳି ବସ୍ତ୍ର ଉତ୍ପାଦନ କ୍ଷେତ୍ରରେ ବି ସଫଳ ହେବାକୁ ହେଲେ  ଶାରୀରିକ ସୌନ୍ଦର୍ଯ୍ୟ ଉପରେ ଭଲ ଆଇଡିଆ ରହିବା ଜରୁରୀ । ବସ୍ତ୍ର ତିଆରି ଉପରେ ମଧ୍ୟ ଧାରଣା ଥିବା ଦରକାର । ଏହା ସହ କମ୍ପ୍ୟୁଟରରେ ଦକ୍ଷତା, ବସ୍ତ୍ର ଠିକ୍ ଭାବେ ପ୍ରସ୍ତୁତ କରିବା ପାଇଁ ପ୍ଲାନିଂ ଓ ଉତ୍ପାଦ ପ୍ରସ୍ତୁତି ନେଇ ଧ୍ୟାନ ସବୁବେଳେ ରହିବା ଉଚିତ୍ । 

ନିଯୁକ୍ତି ସୁଯୋଗ
ଏହି କ୍ଷେତ୍ରରେ ତାଲିମପ୍ରାପ୍ତ ଛାତ୍ରଛାତ୍ରୀମାନେ ଉଭୟ ଘରୋଇ ଓ ବସ୍ତ୍ର ରପ୍ତାନି ଇଣ୍ଡଷ୍ଟ୍ରୀରେ ପ୍ରଡକ୍ସନ ମ୍ୟାନେଜର, ଏକ୍ସପୋର୍ଟ ମ୍ୟାନେଜର, ବିଜିନେସ୍ ଆଣ୍ଡ କ୍ୱାଲିଟି ଆନାଲିସିଷ୍ଟ ଭାବେ କାମ କରିପାରିବେ । ସେହିପରି ଜଣେ ପାଠ ପରେ ସ୍ୱାଧୀନ ଭାବେ ମଧ୍ୟ ନିଜର ଉଦ୍ୟୋଗ ଆରମ୍ଭ କରିପାରିବେ । ଏ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ଉଚ୍ଚ ଦରମା ପାଇଥାନ୍ତି । ଜଣାଶୁଣା ଇନଷ୍ଟିଚ୍ୟୁଟ୍ରୁ ତାଲିମ ପାଇଥିବା ଛାତ୍ରଛାତ୍ରୀ ମାସିକ ୨୫ରୁ ୩୦ ହଜାର ଟଙ୍କା ଦରମାରେ କ୍ୟାରିୟର ଆରମ୍ଭ କରିଥାନ୍ତି । 

କେଉଁଠି ପଢ଼ିବେ
-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାଶନ ଟେକ୍ନୋଲୋଜି (ଏନ୍ଆଇଏଫ୍ଟି), ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର, ଅହମ୍ମଦାବାଦ
-ଇନଷ୍ଟିଚ୍ୟୁଟ ଅଫ୍ ଆପାରେଲ ମ୍ୟାନେଜମେଣ୍ଟ (ଆଇଏଏମ୍), ଗୁଡ଼ଗାଓଁ
-ପର୍ଲ ଏକାଡେମୀ ଅଫ୍ ଫ୍ୟାଶନ, (ପିଏଏଫ୍), ଦିଲ୍ଲୀ, ଜୟପୁର, ଚେନ୍ନାଇ
-ନର୍ଥ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ଏନ୍ଆଇଆଇଏଫ୍ଟି), ମୋହାଲି, ପଞ୍ଜାବ
-ଅହିଂସା ୱିମେନ ପଲିଟେକନିକ, ନୂଆଦିଲ୍ଲୀ
-ଭୋଗ୍ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାଶନ ଟେକ୍ନୋ୍ଲୋଜି, ବାଙ୍ଗାଲୋର
-ଜେଡି ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାଶନ ଟେକ୍ନୋଲୋଜି, ଦିଲ୍ଲୀ
-ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକ, ଔରଙ୍ଗାବାଦ
-ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାଶନ ଟେକ୍ନୋଲୋଜି, କେରଳ
-ଏସ୍ଆର୍ଏସ୍ ଗଭର୍ଣ୍ଣମେଣ୍ଟ ପଲିଟ୍କେନିକ କଲେଜ ଫର ଗାର୍ଲସ, ଲୁଧିଆନା