ଓଡିଆନ୍ ନ୍ୟୁଜ

117

କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ଏବେବି ଜଣେ ନିଖୋଜ

Team Odian News |

କେନ୍ଦ୍ରାପଡ଼ା ୩/୧(ଓଡ଼ିଆନ୍ ନ୍ୟୁଜ): ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି ୪୫ ଜଣ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ହେଉ କିମ୍ବା ଡଙ୍ଗା ବୁଡ଼ି ସବୁବେଳେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାର ଅନେକ କାରଣ ସମ୍ନାକୁ ଆସିଥାଏ। ସେଥିମଧ୍ୟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା କାରଣଟି ପ୍ରାୟ ମୁଖ୍ୟ କାରଣ ହୋଇଥାଏ। ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏହି ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ୬ ବର୍ଷର ଶିଶୁ ନିଖୋଜ ଅଛନ୍ତି।କେନ୍ଦ୍ରାପଡ଼ା ଏସ୍‌ପି ନୀତିନ୍‌ ଶେଖର କହିଛନ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର କିଛି ଲୋକ ପିକ୍‌ନିକ୍‌ କରିବାକୁ ୨ଟି ଡଙ୍ଗାରେ ଯାଇଥିଲେ। ତେବେ ଫେରିଲା ବେଳେ ଗୋଟିଏ ଡଙ୍ଗାରେ ଫେରିଥିଲେ। ଡଙ୍ଗାଟି ଛୋଟ ଥିଲା ଏବଂ ସେଥିରେ ୧୦ ଜଣରୁ ଅଧିକ ଲୋକ ଯିବା ଭଳି କ୍ଷମତା ମଧ୍ୟ ନଥିଲା। ତେବେ କେଉଁଭଳି ପରିସ୍ଥିତିରେ ଏତେ ଲୋକ ସେଥିରେ ଆସିଲେ, ତା’ର ତଦନ୍ତ କରାଯିବ ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି। ଅନ୍ୟପଟେ, କ୍ଷମତାଠାରୁ ଡଙ୍ଗାରେ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡଙ୍ଗାର କ୍ଷମତା ୧୦ ଥିବା ବେଳେ ୫୫ ଜଣ ସେଥିରେ ଯାଇଥିଲେ ବୋଲି କୁହାଯାଉଛି। ସେପଟେ, ଡଙ୍ଗା ଚାଳକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।