ଓଡିଆନ୍ ନ୍ୟୁଜ

220

ଭୀମକାନ୍ତ ରୂପର ଅପୂର୍ବ ସ୍ଥଳୀ ‘ହୁକିଟୋଲା’ସମୁଦ୍ର ପଥରେ ବିପଦପୂର୍ଣ୍ଣ ଯାତ୍ରା ।

Team Odian News |

ଭୀମକାନ୍ତ ରୂପର ଅପୂର୍ବ ସ୍ଥଳୀ  ‘ହୁକିଟୋଲା’ସମୁଦ୍ର ପଥରେ ବିପଦପୂର୍ଣ୍ଣ ଯାତ୍ରା ।  
କେନ୍ଦ୍ରାପଡ଼ା,୫ା୧(ଓଡ଼ିଆନ୍‍ ନ୍ୟୁଜ୍‍):  ଯେଉଁ ଆଡ଼େ ଚାହିଁବେ ପାଣି ଆଉ ପାଣି , ଅଥଳ ନଦୀ ସମୁଦ୍ର ମଧ୍ୟରେ ଡ଼ଙ୍ଗାରେ ଗଲେ ପଡ଼େ ହୁକିଟୋଲା  । ଚଳିତ ଶୀତଋତୁ ଆରମ୍ଭରୁ ଶହ ଶହ ପର୍ଯ୍ୟଟକ ମାନେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‍ରେ ରହିଥିବା ନଦୀ, ସମୁଦ୍ର  ମଧ୍ୟରେ ଭୀମକାନ୍ତ ରୂପର ମିଳନସ୍ଥଳ ଭାବେ ପରିଚିତ ହୁକିଟୋଲା ଦେଖିବା ପ୍ରବଳ ଭିଡ଼ ଲଗାଉଛନ୍ତି  । ପ୍ରତିଦିନ ଶହଶହ ପର୍ଯ୍ୟଟକ ମାନେ ପାଇଁ ଡ଼ଙ୍ଗାରେ ଯାତାୟତ କରୁଛନ୍ତି  । କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୁକିଟୋଲା  । ହେଲେ ଯାତାୟତର ସୁବିଧା ନଥିବା କାରଣରୁ ଗତ ୨ ତାରିଖ ଦିନ ଡ଼ଙ୍ଗା ବୁଡ଼ିରେ ଅକାଳରେ ସମୁଦ୍ରରେ ସଲିଳ ସମାଧିନେଇଛନ୍ତି ୧୦ଟି ନିରିହ ଜୀବନ  । ଯାହାକି ନୂଆ ବର୍ଷରେ ସମସ୍ତଙ୍କୁ ଦେଇଛି ଅନେକ ହୃଦୟ ବିଦାରକ ଦୃଶ୍ୟାବଳୀ  । ହେଲେ ବିଡ଼ମ୍ବନା ଏହିକି ହୁକିଟୋଲାକୁ ପର୍ଯ୍ୟଟକଙ୍କୁ ପହଁଞ୍ଚିବା ପାଇଁ ନା ବନବିଭାଗ ନା ପର୍ଯ୍ୟଟନ ବିଭାଗ କୈାଣସି ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ସମସ୍ୟାରେ ପଡ଼ୁଛନ୍ତି  ।   ପର୍ଯ୍ୟଟକମାନେ ବେସରକାରୀ ବୋଟ୍ ସହାୟତାରେ ହୁକିଟୋଲାରେ ଯେତେ ବେଳେ ପହଞ୍ଚନ୍ତି ସେଠାରେ ସେମାନେ ନାହିଁ ନଥିବାର ସମସ୍ୟାର ସମୁଖିନ ହୋଉଛନ୍ତି । ହୁକିଟୋଲାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ସହିତ ବିପଦପୂର୍ଣ୍ଣ ଯାତ୍ରା କରି ସେଠାରେ ପହଞ୍ଚୁଛନ୍ତି । ଅନେକ ସମୟରେ  ଜୁଆର ଛାଡି ଦେଲେ ଡ଼ଙ୍ଗା ଚଟକାରେ ଲାଖିଯାଇ ଅଟକି ରହିଯାଇଥାଏ । ଫଳରେ ପର୍ଯ୍ୟଟକମାନେ ବୋଟ୍ ଭିତରେ ପରବର୍ତ୍ତୀ ଜୁଆର ଆସିବା ପାଇଁ ଅପେକ୍ଷା କରିଥାଏ । ବହୁ ବର୍ଷତଳେ ବନବିଭାଗ ହୁକିଟୋଲା ଠାରେ ଏକ ଜେଠି ନିର୍ମାଣ କରିଥିଲା ସମୁଦ୍ରର ଜୁଆରରେ ବୋଟ୍ ଗୁଡିକ ଜେଠି ନିକଟରେ ପହଞ୍ଚିବା ପାଇଁ ସୁବିଧା ହୋଇଥାଏ । ତାହା ଆସ୍ତେ ଆସ୍ତେ ସମୁଦ୍ର ପୋତି ହେବା ସହିତ ଜେଠି ଭାଙ୍ଗି ଯିବାରୁ ବୋଟ୍ ଗୁଡିକ ଜେଠି ପାଖରେ ପହଞ୍ôଚ ପାରୁନାହିଁ । ଫଳରେ ପର୍ଯ୍ୟଟକ ମାନେ କାଦୁଅ ପାଣିରେ ପଶି ହୁକିଟୋଲରେ   ପହଞ୍ôଚବା ପାଇଁ ସକ୍ଷମ ହୋଇଥାନ୍ତି । ଏହା ଛଡା ପର୍ଯ୍ୟଟକ ମାନଙ୍କ ଖାଦ୍ୟପେୟ  ବ୍ୟବସ୍ଥା ନଥିବାରୁ ସଙ୍ଗରେ ଖାଦ୍ୟ ନେଇନଥିବା ପର୍ଯ୍ୟଟକ ମାନେ ଉପାସ ଭୋକରେ ଫେରିଆସିବାକୁ ବାଧ୍ୟ ହେଉଛନ୍ତି  ।  ଯଦି ପର୍ଯ୍ୟଟନ ବିଭାଗ କିମ୍ବା ବନ ବିଭାଗ ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ ନୂତନ ଜେଠି ନିର୍ମାଣ କରାଯିବା ସହିତ ପୋତି ହୋଇଯାଉଥିବା ନିକଟସ୍ଥ ସାମୁଦ୍ରିକ ଅଞ୍ଚଳକୁ ଖନନ କରଯାଇ ବୋଟ୍ ଗୁଡିକୁ ଯାତାୟତ କରିବା ପାଇଁ ସୁବିଧା ସୃଷ୍ଟି କରିବା ସହିତ ପର୍ଯ୍ୟଟନ ସ୍ଥଳୀରେ ଖାଦ୍ୟପୟେର ବ୍ୟବସ୍ଥା ଓ ରହିବାର ବ୍ୟବସ୍ଥା କରାଗଲେ ହୁକିଟୋଲା ଦେଶବିଦେଶରେ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକୃଷ୍ଠ କରିପାରନ୍ତ ।  
ପ୍ରକାଶ ଥାଉକି ୧୮୬୬ ମସିହାରେ ଓଡ଼ିଶାରେ ଦେଖାଦେଲା ଦୁର୍ଭିକ୍ଷ । ଯାହାକି ନ’ଅଙ୍କ ଦୁର୍ଭିକ୍ଷ ଭାବେ ପରିଚିତ । ସେହି ସମୟରେ ପ୍ରତିଦିନ ଖାଦ୍ୟଅଭାବରୁ ଲୋକେ ପୋକମାଛି ପରି ମରିବାକୁ ଲାଗିଲେ । ଇଂରେଜ ସରକାର ଚିନ୍ତାରେ ପଡ଼ିବା ସହିତ ବାହାର ରାଜ୍ୟରୁ ଖାଦ୍ୟଶସ୍ୟ ଆସିବା ପାଇଁ କୌଣସି ବିକଳ୍ପ ରାସ୍ତା ପାଇଲେ ନାହିଁ । ଶେଷରେ ଇଂରେଜ ସରକାର ଏକ ବନ୍ଦର ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କଲେ । ସେତେବେଳେ ଓଡ଼ିଶାର କମିଶନ ଥାଆନ୍ତି ରେଭେନ୍ସା ସାହେବ । କଟକର କଲେକ୍ଟର ଥାଆନ୍ତି  ମ୍ୟାକ୍‍ ଫରସନ । ପୂର୍ତ୍ତ ଏବଂ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଥାଆନ୍ତି ହୁକି ୱାକର । ତୁରନ୍ତ ଓଡ଼ିଶାରେ ଏକ ବନ୍ଦର ନିର୍ମାଣ କରିବା ପାଇଁ ଏହି ତିନି ଅଧିକାରୀ କଟକରୁ ମହାନଦୀରେ ଷ୍ଟିମର ଲଞ୍ଚରେ ଆସିବା ପରେ ଯେଉଁ ଦ୍ୱୀପଟି ନିରୂପଣ କଲେ ତାହାହିଁ ପ୍ରଥମ ବନ୍ଦର ‘ହୁକିଟୋଲା । ମୁଖ୍ୟଯନ୍ତ୍ରୀ ହୁକିଙ୍କ ନାମଅନୁସାରେ ହୁକିଟୋଲା ଦିଆଯାଇଥିଲା । ଯାହାକି  ଓଡ଼ିଶା କମିଶନ ଦ୍ୱାୟିତ୍ୱରେ ରହିଥିବା ଜନ୍‍ ବିମସ୍‍ ତାଙ୍କ ଲିଖିତ ପୁସ୍ତକ ‘ମେମୋରିଜ୍‍ ଅଫ୍‍ ଏ ବେଙ୍ଗଲ ସିଭିଲିଆନ୍‍’ରେ ଏସଂପର୍କରେ ଉଲ୍ଲେଖ କରିଛନ୍ତି । ବର୍ଷକ ଭିତରେ ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହି ବନ୍ଦରରେ ବାରବାଟୀ ଦୁର୍ଗରୁ ଆସିଥିବା ପଥରରେ ବନ୍ଦର ଅଫିସ୍‍, କଷ୍ଟମ ଅଫିସ୍‍, ପୋଷ୍ଟ ଅଫିସ୍‍, ଗୋଦାମ ଘର, ବର୍ଥ ଏବଂ ଏହା ସହିତ କର୍ମଚାରୀମାନଙ୍କ ରହିବା ଘର ନିର୍ମିତ ହୋଇଥିଲା । ଏହି ବନ୍ଦରକୁ ରାଜଧାନୀ କଟକ ସହିତ ଯୋଗାଯୋଗ କରିବା ପାଇଁ କଟକ-ମାର୍ଶାଘାଇ କେନାଲକୁ ଖୋଳାଯାଇ ଜମ୍ବୁ ମୁହାଁଣ ସହିତ ମିଶାଇ ଦିଆଯାଇଥିଲା । ଏହି ହୁକିଟୋଲା ବନ୍ଦରକୁ ସେତେବେଳେ ବ୍ରିଟିଶ ଏବଂ ପରାସୀ ଦେଶରୁ ଜାହାଜ ଆସୁଥିଲା । ବର୍ମା ଏବଂ ଅନ୍ୟ ଦେବମାନଙ୍କରୁ ହୁକିଟୋଲାକୁ ଚାଉଳ ସହିତ ଖାଦ୍ୟ ଶସ୍ୟ ଆସିବା ଫଳରେ ନ’ଅଙ୍କ ଦୁର୍ଭିକ୍ଷରୁ ବର୍ତ୍ତିଯାଇଥିଲା ଓଡ଼ିଶା । ବନ୍ଦରରେ ଖାଦ୍ୟ ଶସ୍ୟ ରହିବା ପାଇଁ ଏକ ବଡ଼ ଭଣ୍ଡାର ଘର ରହିଥିଲା । ଏହା ସହିତ ବର୍ଷା ଜଳକୁ ବର୍ଷସାରା ଏଠାରେ ଘରର ଛାତ ଉପରେ ସଂରକ୍ଷଣ ରଖାଯିବାର ବ୍ୟବସ୍ଥା କରାଯାଇ ବ୍ୟବହାର ଉପଯୋଗୀ କରାଯାଉଥିଲା । ୧୯୨୪ ମସିହା ପର ଠାରୁ ଏହି ବନ୍ଦର ଅକାମୀ ହୋଇପଡ଼ିଲା । ଫଳରେ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ହୁକିଟୋଲା ଏକ ପ୍ରକାର ଶ୍ରୀହୀନ ହୋଇପଡ଼ିଥିଲା  ।