ଓଡିଆନ୍ ନ୍ୟୁଜ

211

ଶାରଦୀୟ ଦୂର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

Team Odian News |

ଶାରଦୀୟ ଦୂର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର
କଟକ୨୯/୯(ଓଡ଼ିଆନ୍‍ ନ୍ୟୁଜ୍‍): ଶାରଦୀୟ ଦୂର୍ଗାପୂଜା ପାଇଁ ଏବେ ସାରା ରାଜ୍ୟ ଉତ୍ସବ ମୁଖର । ଶୁକ୍ରବାର ପୂଜା ମଣ୍ଡପରେ ମହାନବମୀ ପୂଜା ଅୁଷ୍ଠିତ ହେଉଛି । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହିତ ମାଆଙ୍କ ପୂଜା ଆରାଧନା କରାଯାଉଛି । ଆଜି ସକାଳୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । ମା’ ଦୁର୍ଗାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ଲାଗି ପୂଜାମଣ୍ଡପ ଆଗରେ ଲମ୍ବା ଧାଡ଼ି ଲାଗିଥିବାର ଦେଖିବାକୁ ମିଳିଛି । କଟକ ସହରରେ ଦୁର୍ଗାପୂଜା ଧୂମଧାମରେ ପାଳନ କରାଯାଉଛି । ସୁନା ଓ ଚାନ୍ଦିରେ ଚମକୁଛନ୍ତି ମା’ ଦୁର୍ଗା । ଅନୁକୂଳ ପାଗ ଯୋଗୁଁ ଆଜି ପ୍ରବଳ ଭିଡ ଲାଗିରହିଛି । ଚଳିତବର୍ଷ ସହରରେ ମୋଟ ୧୫୮ଟି ମଣ୍ଡପରେ ମା’ ଦୁର୍ଗା ଓ ହରପାର୍ବତୀଙ୍କ ମୃଣ୍ମୟମୂର୍ତ୍ତି ପୂଜା ପାଉଛନ୍ତି । ମା’ଙ୍କ ପୂଜା ଆକର୍ଷଣୀୟ କରିବା ପାଇଁ ଅଧିକାଂଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି । ଗତବର୍ଷ ସହରରେ ୨୩ଟି ପୂଜା କମିଟି ପକ୍ଷରୁ ଚାନ୍ଦିମେଢ ନିର୍ମାଣ ହୋଇଥିବାବେଳେ ଚଳିତବର୍ଷ ଗଣେଶଘାଟ ପୂଜା କମିଟି ଏଥିରେ ସାମିଲ ହୋଇଛି । ଚଳିତବର୍ଷ ଚାନ୍ଦିମେଢ ସଂଖ୍ୟାରେ ୨୪ରେ ପହଞ୍ଚିଛି । ଚାନ୍ଦିମେଢ ସହିତ ଆକର୍ଷଣୀୟ ତୋରଣ ତିଆରି କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଅନେକ ପୂଜା କମିଟି ଏଥର ପ୍ରଚେଷ୍ଟା କରିଛନ୍ତି । ଖାନନଗର, ବାଦାମବାଡି, ଚାଉଳିଆଗଞ୍ଜ, ମାଲଗୋଦାମ ପୂଜା କମିଟି ପକ୍ଷରୁ ନିର୍ମିତ ତୋରଣ ଏଥର ମଧ୍ୟ ବେଶ ଆକର୍ଷଣୀୟ ହୋଇଛି । ପୂଜାରେ ମୋଟ ୬୯ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଚାନ୍ଦିମେଢ ମଣ୍ଡପ ନିକଟରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖାଯାଇ ସେଠାରେ ଆର୍ମଡ ପୁଲିସ(ବନ୍ଧୁକଧାରୀ)ଙ୍କୁ ନିୟୋଜିତ ହୋଇଛନ୍ତି । ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ପାର୍ବଣ ସମାପନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୨୮ଟି ଅସ୍ଥାୟୀ ଟ୍ରାଫିକ ପୋଷ୍ଟ ନିର୍ମାଣ କରାଯାଇଛି । ଏହିସବୁ ଟ୍ରାଫିକ ପୋଷ୍ଟକୁ ୮ଟି ସେକ୍ଟର ଓ ୪ଟି ଜୋନରେ ଭାଗ କରାଯାଇଛି । ଏଥିସହିତ ସୁରକ୍ଷା ଦାୟିତ୍ୱରେ ୭ଜଣ ଅତିରିକ୍ତ ପାହ୍ୟାର ଡିସିପି, ୩୯ଜଣ ଏସିପି, ୫୫ଜଣ ଇନସପେକ୍ଟର, ୩୫୦ଜଣ ସବଇନସପେକ୍ଟର, ୫୫ଜଣ ହାବିଲଦାର, ୫୫୦ଜଣ କନଷ୍ଟେବଳ ଓ ୬୦୦ଗୃହରକ୍ଷୀ ନିୟୋଜିତ ହୋଇଛନ୍ତି । କୁଇକଆକ୍ସନ ଟିମ, ବନ୍ଧୁକଧାରୀ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଆଣ୍ଟି ଟେରରିଷ୍ଟ ଓ ଆଣ୍ଟି ଲିକର ସ୍କ୍ୱାଡ ଗଠିତ ହୋଇଛି । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨୨ଟି ସିସିଟିଭି ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଶୈଳୀରେ ଆକର୍ଷଣୀୟ ପୂଜାମଣ୍ଡପମାନ ନିର୍ମାଣ କରାଯାଇଛି । ସୁସଜ୍ଜିତ ଆଲୋକମାଳାରେ ପୂଜାମଣ୍ଡପଗୁଡ଼ିକ ଝଲସି ଉଠୁଛି । ଭୁବନେଶ୍ୱରରେ ମୋଟ ୧୭୨ଟି ପୂଜାମଣ୍ଡପରେ ପୂଜା ହେଉଥିବା ବେଳେ ସେଥିମଧ୍ୟରୁ ୧୪ଟି ମଣ୍ଡପରେ ଜନସମାଗମ ଅଧିକ ହେବାର ସମ୍ଭାବନାକୁ ଆଖିଆଗରେ ରଖାଯାଇ ଉକ୍ତ ମଣ୍ଡପଗୁଡ଼ିକରେ କଡ଼ା ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଛି । ସେହିପରି ସହରରେ ୧୦ଟି ମଣ୍ଡପରେ ଚାନ୍ଦି ମେଢ଼ ହେଉଥିବାରୁ ସେଠାରେ ସଶସ୍ତ୍ର ପୁଲିସ ମୁତୟନ କରାଯିବ । ପୂଜା ଅବସରରେ ସାନ୍ଧ୍ୟ ପ୍ରାଟ୍ରୋଲିଂକୁ ତ୍ୱରାନ୍ୱିତ କରାଯିବା ସହ ୧୧ଟି ପାଟ୍ରୋଲିଂ ଭ୍ୟାନ୍‌ ସହରରେ ପଇଁତରା ମାରିବ । ଏତଦ୍‌ବ୍ୟତୀତ କୁଇକ୍‌ ରେସ୍ପନ୍ସ ଟିମ୍ (କ୍ୟୁଆରଟି), କ୍ୟୁଏଟି ବା କୁଇକ ଆକ୍ସନ୍‌ ଟିମ୍‌ଙ୍କୁ ମୁତୟନ କରାଯିବ । ପ୍ରାୟ ସମସ୍ତ ପୂଜା ମଣ୍ଡପରେ ଅପରାଧ ନିୟନ୍ତ୍ରଣ ଲାଗି କମିଟି ପକ୍ଷରୁ ସିସିଟିଭି କ୍ୟାମେରା ଲାଗିବା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ସମୁଦାୟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ଲାଗି ବ୍ୟବସ୍ଥା ହୋଇଥିବାବେଳେ କଟକ ସହରରେ ୫୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇ ପ୍ଲାଟୁନ ସିଆରପିଏଫ୍‌, ଏସ୍‌ଓଜି ଓ କୁଇକ୍‌ ରେସ୍‌ପନ୍ସ ଟିମ୍‌କୁ ମୁତୟନ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି । ବିଳମ୍ବିତ ରାତି ପର୍ୟ୍ୟନ୍ତ ଲୋକେ ସାଜସଜା ଓ ଠାକୁର ଦେଖିବା ପାଇଁ ବୁଲୁଛନ୍ତି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବା ପାଇଁ ମଧ୍ୟ ଲୋକଙ୍କ ଭିଡ ଲାଗିରହୁଛି ।