ଓଡିଆନ୍ ନ୍ୟୁଜ

104

ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା

Team Odian News |

ନୂଆଦିଲ୍ଲୀ,୧୧/୧(ଓଡ଼ିଆନ ନ୍ୟୁଜ): ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ସିଲେକ୍ସନ୍ କମିଟି ୨-୧ ଭୋଟରେ ବର୍ମାଙ୍କୁ ପଦଚ୍ୟୁତ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସିଲେକ୍ସନ କମିଟିରେ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ଅଛନ୍ତି। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି କରୁଥିବାରୁ ଜଷ୍ଟିସ ଏ୍.କେ. ସିକ୍ରୀ ତାଙ୍କ ପ୍ରତିନିଧିତ୍ୱ କରିଥିଲେ।ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍‌ଗେ ବର୍ମାଙ୍କ ସପକ୍ଷରେ ମତ ଦେଇଥିବାବେଳେ ଜଷ୍ଟିସ ସିକ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିରୋଧରେ ମତ ଦେଇଥିଲେ। ଦୁର୍ନୀତି ଓ ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ସିବିଆଇ ନିର୍ଦ୍ଦେଶକ ଥିବା ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହି ବିବାଦ ତୀବ୍ର ହେବା ପରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଓ ସିଭିସିଙ୍କ ପ୍ରସ୍ତାବ କ୍ରମେ କେନ୍ଦ୍ର ସରକାର ଗତ ଅକ୍ଟୋବର୍ ୨୩ ତାରିଖରେ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ। ତେବେ ଗତ ମଙ୍ଗଳବାର ସୁପ୍ରିମକୋର୍ଟ ବର୍ମାଙ୍କୁ ବିନା କ୍ଷମତାରେ ସିବିଆଇ ମୁଖ୍ୟପଦରେ ପୁନଃ ଅବସ୍ଥାପିତ କରିଥିଲେ। ମାତ୍ର ୭ ଦିନ ମଧ୍ୟରେ ଉଚ୍ଚକ୍ଷମତା ସଂପନ୍ନ ସିଲେକ୍ସନ୍ କମିଟିର ବୈଠକ ଡାକି ବର୍ମାଙ୍କ ସଂପର୍କରେ ନିଷ୍ପତ୍ତି ନେବାକୁ କହିଥିଲେ। ଗତକାଲି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିବା ବେଳେ ଆଜିର ବୈଠକରେ ୨-୧ ଭୋଟରେ ବର୍ମାଙ୍କୁ ବିଦା ହେବାକୁ ପଡ଼ିଛି। ଅନ୍ୟପଟେ ବର୍ମାଙ୍କ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନି ଏବଂ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି।