ଓଡିଆନ୍ ନ୍ୟୁଜ

111

କାଲାମ ଧାରା ବୟସରେ କଅଁଳା ଶିଶୁର ବୋଝ; ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ

Team Odian News |

କାଲାମ ଧାରା ବୟସରେ କଅଁଳା ଶିଶୁର ବୋଝ;  ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ 


କନ୍ଧମାଳ,୧୩/୧(ଓଡ଼ିଆନ ନ୍ୟୁଜ):କନ୍ଧମାଳ ଦାରିଙ୍ଗିବାଡ଼ି ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଖବର  ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ କନ୍ଧମାଳ ଦାରିଙ୍ଗିବାଡ଼ି ଛକରେ ସ୍ଥାନୀୟ ବାସିନ୍ଦା ଆଜି ସକାଳେ ରାସ୍ତାରୋକ କରିଥିଲେ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶଅ ନୋଟିସ୍‌,୨ ମାଟ୍ରନ, ୧ ANM, ୨ CCA, ଜଣେ ୱାର୍ଡେନଙ୍କୁ  ବହିଷ୍କୃତ କରାଯାଇଛି । ଏହାସହ ୩ ମହିଳା ସହକାରୀ ଅଧୀକ୍ଷକ ନିଲମ୍ବିତ କରାଯାଇ  ଘଟଣାର ତଦନ୍ତ ନିର୍ଦେଶ  ଦେଲେ SC/ST ବିକାଶ ମନ୍ତ୍ରୀ ରମେଶ ମାଝୀ। ଗର୍ଭ ଯନ୍ତ୍ରଣା ପାଉଥିବା ଛାତ୍ରୀ ଜଣକ ଆଜି ଭୋର ସମୟରେ ସେବାଶ୍ରମ ଶୌଚାଳୟରେ କନ୍ୟା ସନ୍ତାନ ଜନ୍ମ ଦଇଥିଲେ । ଘରଠାରୁ ସ୍କୁଲ ଦୂର ହୋଇଥିବାରୁ ଆଦିବାସୀ ହଷ୍ଟେଲ୍‌ରେ ରୁହନ୍ତି। ୮ ମାସ ତଳେ ସ୍କୁଲ ଛୁଟି ହୋଇଥିବାରୁ ଝିଅଟି ଘରକୁ ଯାଇଥିଲା। ଗାଁ ନିକଟରେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଲୋକ ଲଜ୍ଜା ଭୟରେ ଝିଅଟି ଘଟଣା ସମ୍ପର୍କରେ କାହାକୁ କିଛି କହିନଥିଲା। ଫଳର ଝିଅଟି ଗର୍ଭବତୀ ହୋଇଥିବାର ଜଣାପଡିଛି । ସ୍କୁଲ କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ଘଟଣାକୁ ପ୍ରଥମେ ଚାପି ରଖିବାକୁ ଚେଷ୍ଟା କରିଥିଲେ। ମାତ୍ର ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଲୁଚାଇ ଏକ ଅଟୋରେ ମାଆ ଓ ଶିଶୁକୁ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହଷ୍ଟେଲ୍‌ରେ ପ୍ରସବ  ଖବର ପ୍ରଚାରିତ ହେବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଅଭିଭାବକ ଓ ସ୍ଥାନୀୟ ଲୋକେ ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ କ୍ୱାର୍ଟର୍ସ ଘେରାଉ କରିଥିଲେ। ପରେ ଟାୟାର ଜାଳି ଏନ୍ଏଚ୍ ୫୯ ଅବରୋଧ କରିଥିଲେ। ଦାରିଙ୍ଗବାଡ଼ି ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ବୟାନ ଆଧାରରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରୁଛି। ଏବେ ପରିସ୍ଥିତି ସ୍ୱଭାବିକ ରହିଛି।