ଓଡିଆନ୍ ନ୍ୟୁଜ

218

ନଷ୍ଟ ହେଉଛି ତାଳପତ୍ର ପୋଥି,ସଂସ୍କୃତି ବିଭାଗର ନାହିଁ ନିଘା ।

Team Odian News |

ନଷ୍ଟ ହେଉଛି ତାଳପତ୍ର ପୋଥି,ସଂସ୍କୃତି ବିଭାଗର ନାହିଁ ନିଘା  । 
ଭୁବନେଶ୍ୱର,୧୪ା୧(ଶୁଭ୍ରାଂଶୁ ସୂତାର):ସମୟ ଥିଲା । ଲୋକ କଥା, କାହାଣୀ, ବିଭିନ୍ନ ଅଞ୍ଚଳର କଥା ବସ୍ତୁକୁ ତାଳପତ୍ରରେ ଲେଖନୀ ମାଧ୍ୟମରେ ଲିପି ବଦ୍ଧ କରାଯାଇ ରଖାଯାଉଥିଲା । ହେଲେ ସମୟ ବଦଳିବା ସହିତ ବଦଳିଯାଇଛି ଘଟଣା ଗୁଡ଼ିକୁ ସାଇତି ରଖିବା । ଆଜିର କମ୍ପ୍ୟୁଟର ଓ ଇଣ୍ଟରନେଟ୍‍ ଯୁଗରେ ଅଳ୍ପ ସମୟ ମଧ୍ୟରେ  ଲକ୍ଷ  ଲକ୍ଷ  ଲେଖା  ଗୁଡ଼ିକ ସାଇତା  ହୋଇ ରଖାଯାଉଛି  । ଦିନ ଥିଲା ଆମର ପୂର୍ବ ପୁରୁଷମାନେ ସେ ସମୟର ସାହିତ୍ୟ,ପରମ୍ପରା ଏବଂ ବହୁ ଜ୍ଞାନଯୁକ୍ତ କଥା ବସ୍ତୁକୁ ତାଳପତ୍ର ମାଧ୍ୟମରେ ଲେଖିଯାଇଛନ୍ତି  । ଯାହାକି ଆଜି ଆମ ପାଇଁ ସେହି ଲେଖା ଗୁଡ଼ିକ ବହୁ ଉପକାରରେ ଆସୁଛି । ଏହି ଲେଖା ଗୁଡ଼ିକ  ବହୁ କଷ୍ଟ ସାଧ୍ୟ ରେ ଲେଖନୀ ମାଧ୍ୟମରେ ଲେଖାଯାଉଥିଲା । ଏପରିକି ୧୨ଶହ ଶତାଦ୍ଧୀରେ ଓଡ଼ିଶାର କବି ଜୟଦେବଙ୍କ ଲୋକପ୍ରିୟ ‘ଗୀତଗୋବିନ୍ଦ’ ଏହି ତାଳପତ୍ର ରେ ହିଁ ଲେଖାଯାଇପାରିଥିଲା । ଏହା ସହିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଳପତ୍ରରେ ଆୟୁର୍ବେଦର ଚରକ ସଂହିତା, ସୃଶୃତ ସଂହିତା, ଅଷ୍ଠାଙ୍ଗ ସଂଗ୍ରହ, ମାଧବ ନିଦାନ ଏବଂ  ଭାବ ପ୍ରକାଶ  ପ୍ରମୁଖ  ଓøଷଧୀୟ ବିଷୟରେ ଲେଖା ଆଜି ବହୁ ଲୋକମାନଙ୍କର ସେବାରେ ସାହାଯ୍ୟ କରୁଛି  । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଅତୀତର ବହୁ ଇତିହାସ ଆଜି ବି ଏଇ ତାଳପତ୍ର ପୋଥି ଭିତରେ ରହିଯାଇଛି । ହେଲେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସଂସ୍କୃତି ବିଭାଗ ଏ ଦିଗରେ ଅବହେଳା ପ୍ରଦର୍ଶନ କରିବା ଫଳରେ ନଷ୍ଟ ହେବାକୁ ବସିଛି ଲକ୍ଷ ଲକ୍ଷ  ତାଳପତ୍ର ପୋଥି  । କେନ୍ଦ୍ର ସଂସ୍କୃତି ବିଭାଗ ଦୁର୍ଲଭ ତାଳପତ୍ର ପୋଥି ଲୋକମାନଙ୍କ ଠାରୁ କିଣିବାର ଏକ ଯୋଜନା କରିଥିଲା । ଏହା ସହିତ ବିଭିନ୍ନ ମଠ,ମନ୍ଦିର ଓ ପାଠାଗାରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପୋଥି ଗୁଡ଼ିକର ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ,ତାହା ଆଜି ଶୀତଳ ଭଣ୍ଡାରରେ ପଡ଼ିରହିଛି । ବିଳମ୍ବ ଘଟିବାରୁ ବହୁ ତାଳପତ୍ର ପୋଥି ଆଜି ନଷ୍ଟ ହେବାକୁ ବସିଛି ।ଗତ ୨୦୦୨ ମସିହାରେ କେନ୍ଦ୍ର ସଂସ୍କୃତି ବିଭାଗ ‘ଜାତୀୟ ପାଣ୍ଡୁଲିପି ସଂଗ୍ରହ ଅଭିଯାନ’ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ ।ଏଥି ପାଇଁ ୨୦କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ଅଧୀନରେ ଜାତୀୟ ପାଣ୍ଡୁଲିପି ପାଠାଗାର ପ୍ରତିଷ୍ଠା କରାଯାଇ ସେଠାରେ ସଂଗୃହୀତ ପାଣ୍ଡୁଲିପି ସଂରକ୍ଷଣ କରାଯିବା ପାଇଁ ପ୍ରସ୍ତାବ ରହିଥିଲା ।ଏହି ଯୋଜନା ବାବଦରେ ମୋଟ ୪୯କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ସର୍ବେକ୍ଷଣରୁ ଜଣାଯାଇଛି ଯେ,ଭାରତରେ ୫୦ଲକ୍ଷରୁ ଉଦ୍ଧ୍ୱର୍ ଦୁର୍ଲଭ ପାଣ୍ଡୁଲିପି ବିଭିନ୍ନ ବ୍ୟକ୍ତି ତଥା ବେସରକାରୀ ସଂସ୍ଥା ନିକଟରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଏହି ପୋଥି ଗୁଡ଼ିକ ଖୁବ ବେଶୀ ହେଲେ ଆସନ୍ତା ୫୦ରୁ ୧୦୦ ବର୍ଷ ମଧ୍ୟରେ ନଷ୍ଟ ହୋଇଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ୨୦୦୪ ମସିହାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହିଥିବା ତାଳପତ୍ର ପୋଥି ସଂପର୍କରେ ଏକ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲା ଏବଂ ବ୍ଲକ୍‍ ସ୍ତରୀୟ ପ୍ରତିନିଧି ମାନଙ୍କୁ ପାରିଶ୍ରମିକ ଦିଆଯାଇ କେଉଁ ଅଞ୍ଚଳରେ କେତେ ଏବଂ ପୋଥି ଗୁଡ଼ିକ ଅଛି ଏବଂ  କେଉଁ ବିଷୟରେ ଲେଖା ଅଛି ତାର ଏକ ଚିଠା ପ୍ରସ୍ତୁତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେହି ପୋଥି ଗୁଡ଼ିକର ସଂରକ୍ଷଣ କରିବା ପାଇଁ ସଂସ୍କୃତି ବିଭାଗ ଦାୟୀତ୍ୱ ନେବା ପାଇଁ  ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲା  । କିନ୍ତୁ ୫ ବର୍ଷ ବିତି ଗଲାଣି ।  ସେ ଦିଗରେ କୌଣସି ପଦକ୍ଷେପ ନ ନେବାରୁ  ବିଶେଷଜ୍ଞମାନେ  ଦୁଃଖ  ପ୍ରକାଶ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦ହଜାରରୁ ଉଦ୍ଧ୍ୱର୍ ତାଳପତ୍ର ପୋଥି ବିଭିନ୍ନ ମଠ,ମନ୍ଦିର ଏବଂ ବ୍ୟକ୍ତି ଗତ ଲୋକମାନଙ୍କ ହେପାଜତରେ ରହିଛି । କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରେ ‘ତୁଳସୀ କ୍ଷେତ୍ର ପାଞ୍ଜି’ରହିଛି । ୪ଶହ ବର୍ଷ  ତଳେ ଓଡ଼ିଶା ର ଜନ ଜୀବନ ତଥା ମନ୍ଦିର ସଂପର୍କରେ ବହୁ କଥା ଲେଖା ରହିଛି । ୧୬୬୩ ମସିହାରେ ମୋଗଲ ଶାସନ ସମୟରେ ଆଉରଙ୍ଗଜେବଙ୍କ ସିପାହୀ ମିୟାଜା ମହମୁଦ୍ଦିନ୍‍ ତାଙ୍କ  ସହକର୍ମୀମାନଙ୍କ ସହିତ ମିଶି  ବଳଦେବଜୀଉଙ୍କ ମନ୍ଦିରକୁ  ଭାଙ୍ଗିଦେଇଥିଲେ । ପରବର୍ତ୍ତୀ ସମୟରେ ୧୬୭୦ମସିହାରେ ବର୍ତ୍ତମାନର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ଏହା ସହିତ ୧୮୬୬ରୁ ୧୮୬୮ ମସିହା ପର୍ଯ୍ୟନ୍ତ ତୁଳସୀ କ୍ଷେତ୍ରରେ ରଥଯାତ୍ରା ନ’ଅଙ୍କ ଦୁର୍ଭିକ୍ଷ ସମୟରେ ବନ୍ଦ ରହିଥିଲା ।ଏହି ଭଳି ବହୁ ଅତୀତ ଇତିହାସ ଆଜି ନଷ୍ଟ ହେବାକୁ ଥିବା ତାଳପତ୍ର ପୋଥିମାନଙ୍କ ଭିତରେ ଲୁଚିରହିଛି । ତୁରନ୍ତ ରାଜ୍ୟ ସରକାର ଏହି ନଷ୍ଟ ହେବାକୁ ବସିଥିବା ତାଳପତ୍ର ପୋଥି କୁ ସଂରକ୍ଷଣ କରି ଆଗାମୀ ପିଢ଼ି ପାଇଁ ସାଇତା ରଖିବା ପାଇଁ ଗବେଷକମାନେ ଦାବି କରନ୍ତି ।