ଓଡିଆନ୍ ନ୍ୟୁଜ

108

ରାଜ୍ୟରେ ଆରମ୍ଭ ହେଲା ସୁନେତ୍ର ଯୋଜନା,ସମସ୍ତେ ପାଇବେ ମାଗଣା ଚକ୍ଷୁ ସ୍ୱାସ୍ଥ୍ୟସେବା

Team Odian News |

ରାଜ୍ୟରେ ଆରମ୍ଭ ହେଲା  ସୁନେତ୍ର ଯୋଜନା,ସମସ୍ତେ ପାଇବେ ମାଗଣା ଚକ୍ଷୁ ସ୍ୱାସ୍ଥ୍ୟସେବା

 
ଭୁବନେଶ୍ୱର,୧୫/୧(ଓଡ଼ିଆନ ନ୍ୟୁଜ ):ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଅନେକ ଯୋଜନା ମନ କାର୍ଯ୍ୟକାରୀ କରିଛନ୍ତି । ସେହିଭଳି ଏକ ସ୍ୱାସ୍ଥ୍ୟ ଭିତିକ ଯୋଜନା 'ସୁନେତ୍ର'  ଆଜିଠୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ  'ଆମ ଗାଁ ଆମ ବିକାଶ' କାର୍ଯ୍ୟକ୍ରମ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ୨୦୨୩ ସୁଦ୍ଧା ଓଡିଶାର ସମସ୍ତ ଜନସାଧାରଣଙ୍କୁ ଉତ୍ତମ ଏବଂ ଉନ୍ନତମାନର ଚକ୍ଷୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ରହିଛି । ଏଥିରେ ରାଜ୍ୟର ସବୁ ବର୍ଗର ଜନସାଧାରଣ  ସାମିଲ ହୋଇପାରିବେ। 'ସୁନେତ୍ର' ଯୋଜନା ମାଧ୍ୟମରେ ପ୍ରତିବର୍ଷ ସରକାରଙ୍କ  ତରଫରୁ ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ  ଚକ୍ଷୁ ପରୀକ୍ଷା ମାଗଣାରେ କରାଯିବା ସହ  ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇଦିଆଯିବାର ବ୍ୟବସ୍ଥା କରାଯିବ । ଏହାଛଡା ଯେକୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା  ଡାକ୍ତରଖାନାରେ ହେବ । ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚାଳିଶିଆ ଚଷମା ପାଇଁ  ମଧ୍ୟ ବ୍ୟବସ୍ଥା କରାଯାଇଛି ଏହି ଯୋଜନା ଦ୍ୱାରା । ଏହି ଯୋଜନାରେ ବୟସ୍କ ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ମାଗଣାରେ ହେବ।  ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ ।  ଏହି ଯୋଜନାରେ ସୁବିଧା ପାଇବାକୁ କୌଣସି କାଗଜପତ୍ର କରିବା ଆବଶ୍ୟକ ନାହିଁ ଚକ୍ଷୁ ପରୀକ୍ଷା କଲାବେଳେ ପଞ୍ଜିକରଣ ଏବଂ ଲିପିବଦ୍ଧ କରିବାର ବ୍ୟବସ୍ଥା କରାଯାଇଛି । ପାଞ୍ଚ ବର୍ଷରେ ଏହି ଯୋଜନା ପାଇଁ 680 କୋଟି ଟଙ୍କା ବେୟ ଅଟକଳ କରାଯାଇଥିବା ବେଳେ ପ୍ରଥମ ବର୍ଷ 50କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।