ଓଡିଆନ୍ ନ୍ୟୁଜ

83

ବଲାଙ୍ଗିର ଗ୍ରସ୍ତରେ ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ କଲେ ନରେନ୍ଦ୍ର ମୋଦି

Team Odian News |

ବଲାଙ୍ଗିର ଗ୍ରସ୍ତରେ ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ କଲେ ନରେନ୍ଦ୍ର ମୋଦି

ବଲାଙ୍ଗିର,୧୫/୧(ଓଡ଼ିଆନ ନ୍ୟୁଜ):ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ବାରମ୍ବାର ଆସିବା, ପୁରୀରୁ ନିର୍ବାଚନ ଲଢ଼ିବା ଗୋଟିଏ ମଞ୍ଚରେ ନବୀନ ଓ ମୋଦି ଏକାଠି ହେବା ଅନେକ ଗୁଡିଏ ପ୍ରଶ୍ନ ଉଠାଉଛି । ଏହି ଗୋଟିଏ ମାସରେ 3ଥର ଓଡ଼ିଶା ଆସିଲେଣି ନରେନ୍ଦ୍ର ମୋଦି । ଆଜି ତୃତୀୟ ଥର ଓଡ଼ିଶା ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିରରେ ପ୍ରାୟ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ସକାଳେ 9.50ରେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିଥିବା ବେଳେ 10ଟା ସମୟରେ ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ବଲାଙ୍ଗିର ପଟୁ ରେଳ ଚଳାଚଳ ଆରମ୍ଭ ହୋଇଛି। ଏହି ପ୍ରକଳ୍ପଟି ୧୧୫ କୋଟି ଟଙ୍କାର। ଏହାସହ ବଲାଙ୍ଗିରର ଏହି ଗସ୍ତରେ ସୁବର୍ଣ୍ଣପୁର ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି । ଏହି ପ୍ରକଳ୍ପଟି ୧୫.୮୧ କୋଟି ଟଙ୍କାର । ଏତଦ୍‌ବ୍ୟତୀତ ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍‌ସ୍‌ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍‌ ଓ ସମ୍ବଲପୁର-ଅନୁଗୁଳ ରେଳ ଲାଇନ୍‌ର ବିଦ୍ୟୁତୀକରଣକୁ ଲୋକାର୍ପଣ, ବରପାଲି-ଡୁଙ୍ଗୁରିପାଲି ଓ ବଲାଙ୍ଗିର-ଦେଓଗାଁ ରୋଡ୍‌ ରେଳ ଲାଇନ୍‌ର ଦୋହରୀକରଣ, ଥେରୁବାଲି-ସିଙ୍ଗାପୁର ରୋଡ୍‌ ଷ୍ଟେସନ୍‌ ମଧ୍ୟରେ ୫୮୮ ନମ୍ବର ବ୍ରିଜର ଲୋକାର୍ପଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଠାରେ ଆୟୋଜିତ ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ବିକାଶ ସହିତ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ ଓ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ କଲିକେଶ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।