ଓଡିଆନ୍ ନ୍ୟୁଜ

192

କବାଟ ନଥିବା ଗାଁ : ଜଗିଛନ୍ତି ମା’ଖରାଖାଇ ।

Team Odian News |

 କବାଟ ନଥିବା ଗାଁ  : ଜଗିଛନ୍ତି ମା’ଖରାଖାଇ ।
କେନ୍ଦ୍ରାପଡ଼ା :୨୫/୧(ଓଡ଼ିଆନ୍ ନ୍ୟୁଜ) : ଅଗଣିତ ଗ୍ରାମ ସହରକୁ କୋଳରେ ଧରି କାହିଁ କେଉଁ ଅନାଦି କାଳରୁ ଗଢ଼ି ଉଠିଛି ଏଇ ଗ୍ରାମ  ବହୁଳ ଓଡ଼ିଶା । ମଣିଷ ସଂଘବଦ୍ଧ ଜୀବନ କୁ ଯେଉଁ ଦିନ ପସନ୍ଦ କଲା,ସେହି ଦିନ ଠାରୁ ଗାଁ ସ୍‍ୃଷ୍ଟି ହେଲା । ବଣ, ପାହାଡ଼ ଘେରା ଏହି ଓଡ଼ିଶା ମାଟିରେ କେତେ ଗାଁ ଯେ ଜନ ସମାଜର ସୁଖ ସମ୍ଭୋଗର ପ୍ରାଣକେନ୍ଦ୍ର ହୋଇ ହସିଉଠୁଛି ତାହାର କଳନା ନାହିଁ । ହେଲେ ସେହି ଅଗଣିତ ଗାଁ ମାନଙ୍କ ମଧ୍ୟରୁ ଏମିତି ଏକ ଗାଁଟିଏ ଅଛି,ଯେଉଁ ଗାଁକୁ କେବେହେଲେ ଚୋର ଚୋରି କରିବାକୁ ଆସିନାହିଁ କି କେବେ ପୋଲିସ କୌଣସି ମୋକଦ୍ଦମା ପାଇଁ ଯାଇ ନାହିଁ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ,ଏଇ ଗାଁର କୌଣସି ଘରେ କବାଟ ନାହିଁ । ଲୋକମାନଙ୍କର ବିଶ୍ୱାସ ଯେ, ମା’ଖରାଖାଇ କବାଟ ଭଳି ଜଗିରହିଛନ୍ତି ସମସ୍ତଙ୍କ ଦୁଆରକୁ  ।  
କେନ୍ଦ୍ରାପଡ଼ା ଜିଲ୍ଲାର ଉତ୍ତର ଦିଗକୁ ଗଲେ ପଡ଼େ ଓଡ଼ିଶାର ଏøତିହ୍ୟପୂର୍ଣ୍ଣ ବ୍ଲକ୍‍ ରାଜକନିକା ।ରାଜକନିକାର ସଦର ମହକୁମାର କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗକୁ ୩ କିଲୋମିଟର ଗଲେ ପଡ଼େ ଏଇ କବାଟ ନଥିବା ଗାଁ ସିଆଳିଆ । ୩୨ ଗୋଟି ପରିବାରଙ୍କ ଛୋଟବଡ଼ ଚାଳଛପର ଘରଗୁଡ଼ିକ ଲମ୍ବି ରହିଛି । ଗାଁର ଉତ୍ତର ଦିଗକୁ ଶେଷମୁଣ୍ଡରେ  ପ୍ରସିଦ୍ଧ ଗ୍ରାମଦେବତୀ ମା’ ଖରାଖାଇ ଙ୍କ ପୀଠସ୍ଥଳୀ । ଖରାଖାଇଙ୍କ ଆସ୍ଥାନ ଚତୁର୍ଦ୍ଦିଗରେ ଭରିରହିଛି ଅନେକ ପ୍ରକାରର ବୃକ୍ଷଲତା । କି ଖରା କି ବର୍ଷା ସବୁ ସମୟରେ ମା’ଖରାଖାଇ ସେମିତି ଛାତ ବିହୀନ ମୁକ୍ତ ଆକାଶ ତଳେ ପୂଜା ପାଉଛନ୍ତି । ସେଥିପାଇଁ ମା’ଙ୍କ ନାମ ଖରାଖାଇ ଠାକୁରାଣୀ ବୋଲି ଲୋକେ କହିଆସୁଛନ୍ତି । ଏହି ଗାଁ ସହିତ ବିଭିନ୍ନ ଗ୍ରାମର ଲୋକମାନଙ୍କର  ଠାକୁରାଣୀଙ୍କ ଉପରେ ରହିଛି ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ ।କାହିଁ କେଉଁ ଅନାଦି କାଳରୁ ନାନା ବିପଦ ଆପଦ ରେ ସୁଖ ଦୁଃଖର ସାହା ହେଉଛନ୍ତି ଏଇ ପ୍ରତ୍ୟେକ୍ଷ ଠାକୁରାଣୀ । ଯାହାଙ୍କ ଉପରେ ଭରସା ରଖି ସରଳ ସୁଖ ଆନନ୍ଦଭରା ଜୀବନ ଯାପନ କରି ଆସୁଛନ୍ତି ଗ୍ରାମବାସୀ ମାନେ ।ସାରା ଗ୍ରାମବାସୀଙ୍କ କାହାରି ଘରେ କବାଟ ନାହିଁ କି ଦୁଆର ବନ୍ଦ ନାହିଁ ।କି ଧନୀ କି ଗରିବ ସମସ୍ତେ ଏକ ଆଦର୍ଶ ପରମ୍ପରା ର ଅନୁଗାମୀ  ।  ଆଜିର ଆଧୁନିକ  ଯୁଗରେ ଯେ,କେହି ଏକଥା ଶୁଣିଲେ ସହଜରେ ବିଶ୍ୱାସ କରିପାରିବ ନାହିଁ । ଏଇ ଗାଁରେ କୌଣସି ଦିନ ବାଦବିବାଦ କିମ୍ବା ସାମୟିକଭାବେ କଳହ  ଦେଖାଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ । କବାଟ ନଥିଲେ ମଧ୍ୟ ଗାଁରେ କେବେ କାହା ଘରୁ ଚୋରି ହୁଏ ନାହିଁ ।ପୋଲିସ କେବେ ସେହି ଗ୍ରାମ କୁ ଯାଇନାହିଁ । ଏ ପର୍ଯ୍ୟନ୍ତ କୋର୍ଟ କଚେରୀରେ କୌଣସି ମକଦ୍ଦମା ହୋଇନାହିଁ । ସବୁଠୁ ବଡ଼ କଥା ଯେ, ଏଇ ଗାଁ କୁ ଆସୁଥିବା ନୂଆ ବୋହୂମାନେ ସେମାନେ ଆଣିଥିବା ସୁନାରୂପାର ଗହଣା ର ବାକ୍ସ ଗୁଡ଼ିକ ମଧ୍ୟ ବିନା କୋଲପରେ ରହିଥାଏ । କେବଳ କୁକୁର ବିଲେଇ ଙ୍କ  ପାଇଁ ସମସ୍ତ ଦୁଆର ମୁହଁରେ ଖଣ୍ଡେ ଖଣ୍ଡେ ବାଉଁଶ ର ତାଟି କୁ  ଆଉଜେଇ ଦିଅନ୍ତି । ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକରେ ପ୍ରବଳ ଭିଡ଼ ହୁଏ । ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗ ରୁ ମୁକ୍ତି ପାଉଛନ୍ତି । ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ତାହା ନିଶ୍ଛୟ ପୂରଣ ହେଉଥିବାର ଲୋକମାନେ କହୁଛନ୍ତି । ଫଳରେ ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡ଼ା କୁ ଦେଇ ଭୋଗ କରନ୍ତି । ବର୍ତ୍ତମାନ ଏହି ପୀଠର ଚାରିକଡ଼଼ରେ ରହିଛି ଲକ୍ଷାଧିକ ମାଟି ଘୋଡ଼ା । ଯାହାକି  ଭକ୍ତମାନଙ୍କର ମନସ୍କାମନା ପୂରଣ ହେଉଥିବାର ଏଥିରୁ ଜଣାଯାଏ । କାର୍ତ୍ତିକ ପୂର୍ଣ୍ଣିମା ଓ ପଣାସଂକ୍ରାନ୍ତି  ସହିତ ମା’ ଙ୍କ  ପର୍ବପର୍ବାଣି ରେ ଯଜ୍ଞ ସହିତ ସ୍ୱତନ୍ତ୍ର ପୂଜାଉତ୍ସବ ଅନୁଷ୍ଟିତ ହୁଏ । ଏହି ଉତ୍ସବ ଦେଖିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଶିଆଳିଆ ଆସନ୍ତି ।