ଓଡିଆନ୍ ନ୍ୟୁଜ

130

ଅଙ୍ଗନୱାଡ଼ି କର୍ମୀଙ୍କୁ ଉଲଗ୍ନ କରି ମାଡ଼ ଘଟଣା ,ଆସାମୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ କର୍ମୀ

Team Odian News |

ଅଙ୍ଗନୱାଡ଼ି କର୍ମୀଙ୍କୁ ଉଲଗ୍ନ କରି  ମାଡ଼ ଘଟଣା ,ଆସାମୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ  କର୍ମୀ  
ରାଜକନିକା,୨୮/୧,(ଓଡ଼ିଆନ ନ୍ୟୁଜ୍): ରାଜକନିକା ବ୍ଳକ୍‍ ଅନ୍ତର୍ଗତ  କାଟଣାବଣିଆଁ ଗ୍ରାମପଞ୍ଚାୟତର ଡ଼ାଆଣିଗିରି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ବୈଶାଖୀ ବେହେରାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼  ଘଟଣାରେ ସୋମବାର ଥାନା ଘେରାଉ କରାଯାଇଛି  । ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍‍ ୱାକର୍ସ ଆସୋସିଏସନ୍‍ କର୍ମକର୍ତ୍ତାମାନଙ୍କ ସହିତ ଶତାଧିକ ଅଙ୍ଗନୱାଡ଼ି କର୍ମୀମାନେ ରାଜକନିକା ଥାନା ଆଗରେ ପ୍ରତିବାଦ କରିବା ସହିତ ଘେରାଉ କରିଥିଲେ  । ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍‍ ୱାକର୍ସ ଆସୋସିଏସନ୍‍, ରାଜକନିକା ଶାଖା ସଭାନେତ୍ରୀ ସାବିତ୍ରୀ ରାଉତଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନୱାଡ଼ି କର୍ମୀମାନେ ତୁରନ୍ତ ଆସାମୀ ମାନଙ୍କୁ ଗିରଫ ଦାବି କରି ଥାନା ଘେରାଉ କରିଥିଲେ  । ସଂପାଦିକା ସରୋଜିନୀ ଖଟୁଆ, ଜିଲା ସମ୍ପାଦିକା ପୁଷ୍ପଲତା ରଥ, ସରସ୍ୱତୀ ନାୟକ, ମନୋରମା କରଣ, ବସୁମତୀ ନାୟକ, ଅନୂସୟା ବେହେରା, କୁସୁମ ବେହେରା ଏବଂ ମାଳତୀଲତା ନାୟକ ପ୍ରମୁଖ ଥାନା ଆଗରେ ବସି ରହିବା ସହିତ ଆସାମୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ  । ରାଜକନିକା ସିଡ଼ିପିଓ ପ୍ରଣତୀ ଦାସ ଏବଂ ସୁପରଭାଇଜର ଶ୍ରୀମତୀ ସାମଲ ମଧ୍ୟ ଅଙ୍ଗନୱାଡ଼ି କର୍ମୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଇଆଇସିଙ୍କୁ ଅନୁରୋଧ କରିଥିଲେ  । ହେଲେ ରାଜନୈତିକ ଚାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଚଞ୍ଚକତା କରୁଥିବା ନେଇ କର୍ମୀମାନେ ଅଭିଯୋଗ କରିଛନ୍ତି  ।  ଏମିତିକି ଏଡି ଘଟଣାରେ ପୁଲିସ ଉଭୟ ପକ୍ଷଙ୍କ ନାମରେ ମାମଲା କରିବାକୁ ଯୋଜନା କରୁଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି  । ପ୍ରକାଶଥାଉକି  ଅଙ୍ଗନୱାଡ଼ି କର୍ମୀ ବୈଶାଖୀ ବେହେରା ଗତ ୨୩ ତାରିଖ ଦିନ ପିଲାମାନଙ୍କୁ ଅଣ୍ଡା ବାଣ୍ଟୁଥିବା ବେଳେ ଗ୍ରାମର କିଛି ମହିଳାମାନେ ପୂର୍ବର ଦୁଇ ବର୍ଷର ଟଙ୍କା କୁଆଡ଼େ ଗଲା, ଏବେ ଅଣ୍ଡା ବାଣ୍ଟୁଛ ବୋଲି ପ୍ରଶ୍ନ କରିଥିଲେ  । ଏହା ପରେ କିଛି ମହିଳାମାନେ ତାଙ୍କୁ ଉଲଗ୍ନ କରି ଚୁଟି ଧରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାଡ଼ ମାରିଛନ୍ତି  । ଏହି ସମୟରେ ତାଙ୍କ ସହିତ ୬ ବର୍ଷର ପୁଅ ମଧ୍ୟ ଉପସ୍ଥିତ ରହିଥିଲା ବୋଲି ସେ ଲିଖିତ ଭାବେ ଥାନାରେ ଅଭିଯୋଗ କରିଛନ୍ତି  । ଏହା ସହିତ କିଛି ଯୁବକମାନେ ମଧ୍ୟ ସଂପୃକ୍ତି ରହିଥିବାର ସେ କହିଛନ୍ତି  । ଘଟଣାରୁ ଜଣାପଡ଼ିଛିଯେ, ଡାଆଣିଗିରି ସେଣ୍ଟରରେ ୨୦୧୬ ମସିହାରୁ ଗାଁ ବିବାଦରୁ ଅଙ୍ଗନୱାଡ଼ି ପିଲାମାନଙ୍କୁ ଖାଦ୍ୟ ଦିଆଯାଉନଥିଲା  । ୱାଡ଼ମେମ୍ବର ଦସ୍ତଖତ୍‍ କରୁନଥିବାରୁ ପିଲାମାନଙ୍କ ପାଇଁ ଆସୁଥିବା ଟଙ୍କା ଉଠାଣ ହୋଇପାରୁ ନଥିଲା  ।  ଚଳିତ ଜାନୁୟାରୀ ମାସ ଠାରୁ ସିଡ଼ିପିଓ ଏବଂ ସୁପରଭାଇଜରଙ୍କ ଉଦ୍ୟମରେ ଘଟଣାର ସମାଧାନ ହୋଇଥିଲା  । ୱାଡ଼ ମେମ୍ବର ଦସ୍ତଖତ୍‍ କରିବା ପରେ ଜାନୁୟାରୀ ୧୨ ତାରିଖ ଠାରୁ ଟଙ୍କା ଉଠାଣ କରାଯାଇ ପିଲାମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିଲା ।  ରାଜକନିକା ଆଇଆଇସି ବିଜୟ କୁମାର ମଲ୍ଲିକ କହିଛନ୍ତିଯେ,ଏହି ଘଟଣା ତିନି ଜଣ ଗିରଫ ହୋଇଛନ୍ତି  । ଅନ୍ୟ ମାନଙ୍କୁ ଗିରଫ କରାଯିବ ।