ଓଡିଆନ୍ ନ୍ୟୁଜ

108

୭୨ ବର୍ଷରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ଦେହାନ୍ତ

Team Odian News |

୭୨ ବର୍ଷରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ଦେହାନ୍ତ ଭୁବନେଶ୍ୱର,୪/୨(ଓଡିଆନ୍ ନ୍ୟୁଜ): ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ଆଜି ୭୨ ବର୍ଷରେ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଏକାଦଶ, ଦ୍ୱାଦଶ ବିଧାନସଭାରେ ସେ ସଦସ୍ୟ ଥିଲେ। ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ହରିହର ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିଲେ। କଟକ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରେ ପଢ଼ିବା ବେଳେ ୧୯୬୮ରୁ ୭୧ ଯାଏ ଛାତ୍ର ସଂସଦର ସଭାପତି ଥିଲେ। ପରେ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ଏଆଇସିସି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ କରଣ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ଥିଲେ। ୧୯୭୪ ମସିହାରେ ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ୧୯୭୭ରେ ସପ୍ତମ ବିଧାନସଭାକୁ ନିର୍ବାଚିତ ହେବା ପରେ ୧୯୮୦ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଗତ୨ ତାରିଖରେ ଅପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ତାଙ୍କୁ ଅନ୍ୟ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ମୃତ୍ୟୁ ନେଇ ପୁଅ ରାଜେଶ କରଣ ପ୍ରତିକ୍ରିୟା ଦେଇ କହିଛନ୍ତି ଅପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ବାପାଙ୍କୁ ସ୍ଥାନାନ୍ତର ଓ ଆବଶ୍ୟକ ଚିକିତ୍ସା ମିଳିବାରେ ବିଳମ୍ବ ହେବା ମୃତ୍ୟୁ ର କାରଣ ହୋଇପାରେ।