ଓଡିଆନ୍ ନ୍ୟୁଜ

105

ସହିଦ ଯବାନଙ୍କୁ ଲୋତକପୂର୍ଣ୍ଣ ବିଦାୟ ; ଅନ୍ତିମ ଯାତ୍ରାରେ ଶହ ଶହ ଜନତା ସାମିଲ

Team Odian News |

ସହିଦ ଯବାନଙ୍କୁ ଲୋତକପୂର୍ଣ୍ଣ ବିଦାୟ ; ଅନ୍ତିମ ଯାତ୍ରାରେ ଶହ ଶହ ଜନତା ସାମିଲ
ଭୁବନେଶ୍ୱର୧୬/୨(ଓଡିଆନ୍ ନ୍ୟୁଜ): : କାନ୍ଦ ବୋବାଳିରେ ଫାଟି ପଡୁଛି ସହିଦ୍‌ଙ୍କ ଘର। ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର ଓ ଆତ୍ମୀୟ। ସହିଦ ଯବାନ ଅମର ରହେ ଧ୍ୱନୀରେ ପ୍ରକମ୍ବିତ ହେଉଛି ପୂରା ଅଞ୍ଚଳ। କାଶ୍ମୀରରୁ ଜୟପୁର- ବିହାରରୁ ଜଗତସିଂହପୁର, ପଞ୍ଜାବରୁ ଡେରାଡୁନ ସବୁଠି ସେଇ ଗୋଟିଏ ଚିତ୍ର।୪୦ ବୀର ଯବାନଙ୍କ ମରଶରୀର ସେମାନଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଜନସମୁଦ୍ର ପାଲଟିଛି ବିରାଟ ଶବ ଶୋଭାଯାତ୍ରା। ସହିଦଙ୍କ ଲାଗି ଲୋତକପୂର୍ଣ୍ଣ ବିଦାୟୀ ଯାତ୍ରା ଦେଇଛନ୍ତି ହଜାର ହଜାର ଲୋକେ। ଛାତିକୁ ପଥର କରି କିଏ କାହା ବାପାକୁ ସାଲୁଟ୍‌ କରୁଛି ତ କିଏ ନିଜ ସହିଦ୍‌ ସ୍ୱାମୀ, ପୁଅ ଓ ଭାଇର କଫିନକୁ ଜାବୁଡ଼ି ଧରି ସେମାନଙ୍କୁ ଶେଷ ସମ୍ମାନ ଦେଉଛନ୍ତି।ଦେଶ ମାତୃକାର ସେବା କରୁ କରୁ ସହିଦ୍‌ ହେଲେ ସିଆର୍‌ପିଏଫ ଯବାନ।  ଯବାନଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି ନେତା,ମନ୍ତ୍ରୀ ଓ ଶହ ଶହ ଜନତା। ସମସ୍ତଙ୍କ ମନରେ କ୍ଷୋଭ। ସମସ୍ତଙ୍କ ସ୍ୱର ଶାଣିତ। ଇଟାର ଜବାବ ପଥରରେ ଦିଅ, ଯେସାକୁ ତେସା ନୀତିରେ ପ୍ରତିଶୋଧ ନିଅ। ସାଥି ଯବାନଙ୍କ ଅନ୍ତିମ ବିଦାୟୀ ବେଳରେ ବି ଲୁହ ନୁହେଁ ବୀର ଦର୍ପରେ ବୀରବାଦ୍ୟ ସହ ଯବାନଙ୍କ ସଲାମି ଦୃଶ୍ୟ ବେଶ୍ ଭାବବିହ୍ୱଳ କରିଦେଇଛି।ନୀଳ ଆକାଶରେ ଆଜି ଫର୍ ଫର୍ ଉଡୁଛି ତ୍ରିରଙ୍ଗା। ଆଉ ଏ ଭିଡ଼ ହିଁ ପ୍ରମାଣ କରୁଛି ଯେ ବୃଥା ନଯାଉ ଯବାନଙ୍କ ବଳିଦାନ। ବୀରଗତି ପାଇଲେ  ଯବାନ, ହେଲେ କେତେ ଦିନ ଏମିତି ଚାଲିଥିବ ତାକୁ ନେଇ ସମସ୍ତଙ୍କ ମନରେ ଆକ୍ରୋଶ ରହିଛି।
ସାଥିରେ ସଂଯମତା ଏବଂ ଧର‌୍ୟ୍ୟ ବି। ଦେଶ ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇ ସେମାନେ ଏବେ ଆର ପାରିରେ। ଦେଶମାତୃକାର ସେବାରେ ନିୟୋଜିତ ଥିବା ଯବାନଙ୍କୁ ହରାଇ ଗାଁ ଶବ୍ଦ ଶୂନ୍ୟ ହୋଇଛି ସତ, କିନ୍ତୁ ନିଜ ମାଟିର ବୀର ପୁତ୍ର ପାଇଁ ସେମାନେ ଗର୍ବିତ।
ସହିଦ୍‌ଙ୍କ ଜୟ ଜୟ କାର, ସହିଦ୍‌ ଯବାନ ଅମର ରହେ ସ୍ଲୋଗାନ ସହ ଦିଆଯାଇଛି ଅଶ୍ରୁଳ ବିଦାୟ। ଯବାନଙ୍କ ବଳିଦାନର ସ୍ମୃତିଚାରଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।