ଓଡିଆନ୍ ନ୍ୟୁଜ

257

ଶାଶ୍ୱତ ପ୍ରେମର ପରମ୍ପରା,ବଳି-ବାସୁଳିଙ୍କ ବିବାହ ଉତ୍ସବ ।

Team Odian News |

ଶାଶ୍ୱତ ପ୍ରେମର ପରମ୍ପରା,ବଳି-ବାସୁଳିଙ୍କ ବିବାହ ଉତ୍ସବ । 
କେନ୍ଦ୍ରାପଡ଼ା,୨୩ /୨(ଓଡ଼ିଆନ ନ୍ୟୁଜ):ଅଗିରା ପୂନେଇଁ ଦିନ ଘରେ ଘରେ ପୁରେ ପୁରେ ଚାଲିଛି ପରବ ପାଇଁ ଆୟୋଜନ । କାହାଘରେ ଘି ପିଠା ଛଣାତ କାହାର ଚିତା ଝୋଟିପକା,କଳସ ବସା,ଘର ଦୁଆରରେ କଦଳୀ ଗଛ ପୋତିବା ଏଇମିତି ବାହାଘର ପାଇଁ ସବୁ ଆୟୋଜନ । ଆବାଳ ବୃଦ୍ଧ ବନିତା ସଭିଙ୍କ ମନ ପ୍ରାଣରେ ଭରି ନେଉଛି ଅଗିରା ପୁନେଇଁ ଦିନ ବଳି-ବାସୁଳିଙ୍କ ବାହାଘର ଉତ୍ସବର ମହୁଲି ମାଦକତା । ଏହି ବାହାଘର ଉତ୍ସବ ରାଜକନିକା ସହର ମହକୁମା ଠାରୁ ୧୨ କିଲୋମିଟର ଦୂର ବଜ୍ରବଡ଼(ବଜରପୁର)ଠାରେ ଅନୁଷ୍ଠିତ ହୁଏ ।ଏହା ଜଣଙ୍କ ଘରେ ନୁହେଁ କି ଗାଁର ନୁହେଁ । ଏହା ପବିତ୍ର ବୈତରଣୀ ଓ ଖରସ୍ରୋତା ନଦୀର ଅବବାହିକା ଅଞ୍ଚଳର ସମଗ୍ର ୨୨ଟି ମୌଜାର ପର୍ବ । ଏହି ପୂର୍ଣ୍ଣିମା ତିଥିରେ ଅଧିଷ୍ଠାତ୍ରୀ ଦେବୀ ବାସୁଳୀ ଜଣେ ମାନବ ସହିତ ବିବାହ କରନ୍ତି । ଯାହାକି ଆଧୁନିକ ଲୋକ ଜଗତରେ ଏକାନ୍ତ ଅଭୁତ ଓ କୌତୂହଳପ୍ରଦ । ଏହିଭଳି ଏକ ଅଭୁତ ବିଶ୍ୱାସ ଓ ପରମ୍ପରାକୁ ନେଇ ବଳି ବାସୁଳି ବିବାହ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହେଉଛି । ଗ୍ରାମଦେବତୀ ବାସୁଳି ବଜ୍ରଗଡ଼ର ବ୍ରାହ୍ମଣ ରାଜାଙ୍କ ଝିଅ କନିଆ ଓ ରିଘାଗଡ଼ କୁମ୍ଭାର ରାଜାର ପୁତ୍ର ବଳି ହୁଅନ୍ତି ବର ।
ପ୍ରଚଳିତ ଗାନ୍ଧର୍ବ ମତରେ ଲୌକିକ ରୀତିନୀତି ପରମ୍ପରା ଅନୁସାରେ ଅଗିରା ପୁନେଇ ସଞ୍ଜକୁ ବର ବାହାରେ ରିଘାଗଡ଼ ଗଡ଼ରୁ । ଢ଼ୋଲ,ମହୁରୀ,ଖଙ୍ଖ ହୁଳହୁଳି ନାଦରେ କମ୍ପିଉଠେ ଗଗନ ପବନ । ବଜ୍ରଗଡ଼ ଅଭିମୁଖେ ନୈକାରେ ନାନା ଆତସବାଜି ରୋସଣି ବରଯାତ୍ରୀ ସହ ବର ଆସି ପହଞ୍ଚେ ବଜ୍ରଗଡ଼ ଘାଟରେ । ଏଣେ ଏକ ମୁକ୍ତ ପ୍ରାନ୍ତରେ ଚାଲିଥାଏ ବିବାହ ମେଳା ମହୋତ୍ସବ । ଅଗଣିତ ଦେଖାଣାହାରୀ ମାନଙ୍କ ଭିଡ଼ ଜମେ । ମନୋରଂଜନ ପାଇଁ କେଉଁଠି ଘୋଡ଼ାନାଚ ଓ କେଉଁଠି ଧୋବାଧୋବଣୀଙ୍କ ମାଦକ ନାଚ ତ ପୁଣି ଯାତ୍ରାପୂଜା । ବେଶ୍‍ ଦର୍ଶକମାନଙ୍କ ମନରେ ଚମକ ଓ ମଜା ସୃଷ୍ଟିକରେ । ଶୁଭବେଳା ଦେଖି ବିଳମ୍ବିତ ରାତିରେ ବିବାହ କାର‌୍ୟ୍ୟ ସମାପନ ହୁଏ । ହଜାର ହଜାର ଲୋକମାନେ ଏହି ଉତ୍ସବରେ ଉପସ୍ଥିତ ରହି ବହାଘର ଉତ୍ସବକୁ ଉପଭୋଗ କରିଥାନ୍ତି । ଏଇ ପରମ୍ପରା ଆଜିକାଲିର ନୁହେଁ ,ଦୀର୍ଘ ୫୦୦ବର୍ଷ ତଳର ।
ଜନଶୃତିରୁ ଜଣାଯାଏ ଯେ,ଅତୀତର ଏକ ପ୍ରେମଘଟଣାକୁ ଆଧାର କରି ତକ୍ରାଳୀନ କନିକା ରାଜା ଭୁଜବଳ ଭଞ୍ଜ ନିଜ ଇଲାକାସ୍ଥ ବଜ୍ରଗଡ଼ ଠାରେ ପ୍ରତିଷ୍ଠା କରିଥିଲେ ବାସୁଳି ଠାକୁରାଣୀଙ୍କୁ । ଏକଦା ବଜ୍ରଗଡ଼ର ଜମିଦାର ଥିଲେ ଜଣେ ବ୍ରାହ୍ମଣ । ଲୋକେ ତାଙ୍କୁ ବ୍ରାହ୍ମଣ ରାଜା ବୋଲି ମାନ୍ୟତା ଦେଉଥିଲେ । ଅନିନ୍ଦ୍ୟ ସୁନ୍ଦରୀ ବିଜୁଳି ଥିଲା ତାଙ୍କର ଅତି ଆଦରର ଅଳିଅଳି ଝିଅ । ଜଙ୍ଗଲକୁ ଶୀକାର କରିବାକୁ ଆସିଥିବା ରିଘାଗଡ଼ର କୁମ୍ଭାର ରାଜାଙ୍କ ପୁଅ ବଳି ସହିତ ଆକସ୍ମିକ ସାକ୍ଷାତ ପରେ ସୃଷ୍ଟି ହୁଏ ପ୍ରେମ । ବିବାହ ବନ୍ଧନର ଆବଦ୍ଧ ହେବାକୁ ଝିଅ ବିଜୁଳୀର ଜିଦ୍‍ ଶେଷରେ ଏକ ଲୋମହର୍ଷଣ କାହାଣୀ ସୃଷ୍ଟିକରିଥିଲା । ଜାତିଆଣା ବିରୁଦ୍ଧରେ ବ୍ରାହ୍ମଣ ରାଜା ଏହି ବିବାଘରକୁ ଅରାଜି ହୋଇ ଶେଷରେ ବରଯାତ୍ରୀଙ୍କ ସହିତ ଆସିଥିବା ବର ବେଶରେ ଯୁବରାଜା ବଳିଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ଝିଅ ସବୁଦିନ ପାଇଁ  ଜଙ୍ଗଲ ମଧ୍ୟରେ ନିଖୋଜ  ହୋଇଯାଇଥିଲା । ସ୍ୱପ୍ନାଦେଶ ପରେ କନିକା ରାଜା ଜଙ୍ଗଲରୁ ଏକ ପ୍ରତିମା ମୂର୍ତ୍ତି ଉଦ୍ଧାର କରି  ପୁଜାଅର୍ଚ୍ଚନା କଲେ । ମା’ ବାସୁଳିଙ୍କ ସ୍ୱପ୍ନାଦେଶ ପରେ ତାଙ୍କର ଅତୃପ୍ତ ଆତ୍ମାର ଶାନ୍ତି ପାଇଁ ଏଭଳି ବିବାହ ଉତ୍ସବ ପ୍ରତିବର୍ଷ ପାଳିତ ହୋଇଆସୁଅଛି । ଏହି ବିବାହ ଉତ୍ସବ ଅନୁଷ୍ଠିତ ନ ହେବାଯାଏ ବଜରପୁର ଗ୍ରାମ ନିକଟବର୍ତ୍ତୀ ଆଖପାଖ ୨୨ଖଣ୍ଡ ଗ୍ରାମରେ କୌଣସି ବିବାହ ଉତ୍ସବ ଅନୁଷ୍ଟିତ ହୋଇନଥାଏ । ଏହି ବିବାହ ଉତ୍ସବରେ ଗ୍ରାମର ସମସ୍ତଙ୍କ ଘରେ ଝୋଟି,କଳସ,ଓ ଘିଅ ପିଠାର ପରମ୍ପରା ସହିତ ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ରିଘାଗଡ଼ରୁ କୁମ୍ଭାର ରାଜବଂଶର ପ୍ରତିନିଧି ରୂପେ ଜଣେ କୁମ୍ଭାର ମାଟିରେ ଏକ ବଳିରାଜାର ମୂର୍ତ୍ତି ତିଆରି କରି ବରଯାତ୍ରୀ ସହ ଆସନ୍ତି ଏହି ବଜରପୁରକୁ । ଲୋକଜଗତର ବରଭଳି ବରଯାତ୍ରୀମାନେ ମାଟିମୂର୍ତ୍ତି ବରକୁ ଧରି ନାନାରଂଗର ରୋସଣୀ ମସାଲ ଧରି ଢ଼ୋଲ ମହୁରୀ ବଜାଇ ଗାଁ ଗାଁରେ ପ୍ରୋସେସନ କରି ଆସି ପହଞ୍ଚନ୍ତି ଏଇ ବାସୁଳି ଠାକୁରାଣୀଙ୍କ ପୂଜାପୀଠରେ । ବେଦୀରେ ହୁଏ ବାହାଘର । ପଇଡ଼ରେ ତିଆରି ସୁନ୍ଦରୀ ବାସୁଳୀ ବେଦୀ ଉପରେ ବସନ୍ତି । ଯଥାରିତୀରେ ସମାପନ ହୁଏ ବାହାଘର । ସେହିଦିନ ହିଁ ବେଦୀରେ ବଳି ରାଜା ବଳି ପଡ଼ିଲା ଭଳି ଆଜି ଯାଏ ବେଦୀ ଉପରେ ବଳି ବଂଶଧର ଜଣେ କୁମ୍ଭାର ବିବାହ ସମୟରେ ନିଜର ଅଙ୍ଗବଳା ପ୍ରଦାନ କରିଥାଏ ।
ଓଡ଼ିଶାର ଅନନ୍ୟ ଏହି ଲୋକମହୋତ୍ସବକୁ ଦେଖିବା ପାଇଁ ବିଭିନ୍ନସ୍ଥାନରୁ ବହୁ ଦର୍ଶକମାନେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍‍ ଜୟନଗର ପଞ୍ଚାୟତର ବଜରପୁରଠାରେ ପହଞ୍ଚି ମହୋତ୍ସବର ନିଆରା ମଜାକୁ ଉପଭୋଗ କରନ୍ତି । କାଳର କରାଳ ସ୍ରୋତରେ ତଥାପି ବଞ୍ଚିଛି ପ୍ରେମ । 
ପ୍ରେମର ଶେଷ ନଥିବାଭଳି ଯୁଗଯୁଗ ଧରି ନିଜକୁ ବିବାହ ବନ୍ଧନରେ ବାନ୍ଧିରଖି ପାରୁଛନ୍ତି, ଏଇ ପ୍ରେମିକ ପ୍ରେମିକା ବଳି-ବାସୁଳି ।