ଓଡିଆନ୍ ନ୍ୟୁଜ

109

ଗହୀର ମଥା ପାଲଟିଛି ଅଲିଭ୍ ରିଡ୍‌ଲେଙ୍କ ପାଇଁ ଶ୍ମଶାନ

Team Odian News |

ଗହୀର ମଥା ପାଲଟିଛି ଅଲିଭ୍ ରିଡ୍‌ଲେଙ୍କ ପାଇଁ ଶ୍ମଶାନ
କେନ୍ଦ୍ରାପଡା,୨/୩( ଓଡ଼ିଆନ୍‍ ନ୍ୟୁଜ୍‍) : ଚାଲିଛି ଅଲିଭ ରିଡଲେଙ୍କ ମିଳନ ଋତୁ। ଏହି ସମୟରେ ଓଡ଼ିଶାର ଗହୀରମଥା ଅଭୟାରଣ୍ୟକୁ ସୁରକ୍ଷିତ ମନେକରି ଅଣ୍ଡା ଦେବା ପାଇଁ ବହୁ ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ଏଠାକୁ ଆସିଥାନ୍ତି। କିନ୍ତୁ କଇଁଛମାନଙ୍କର ଏହି ସୁରକ୍ଷାସ୍ଥଳୀ ଏବେ ତାଙ୍କ ପାଇଁ ପାଲଟିଛି ଶ୍ମଶାନ ଘାଟ। ଏମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଥିଲେ ବି ତାହା ପର୍ଯ୍ୟାପ୍ତ ନୁହେଁ।ଗହୀରମଥା ମୁହାଣ ନିକଟରେ ମାଛ ମାଫିଆଙ୍କ ଦ୍ୱାରା ଚାଲୁଥିବା ଶହ ଶହ ଯନ୍ତ୍ର ଚାଳିତ ବୋଟ ଏହି ବିରଳ କଇଁଛଙ୍କ ଜୀବନ ନେଇଛି। ଟ୍ରଲର୍ ମାଡ଼ରେ ଶତାଧିକ କଇଁଛଙ୍କର ମୃତ୍ୟୁ ହେଉଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍।  କଇଁଛଙ୍କ ଅକାଳ ମୃତ୍ୟୁ ପାଇଁ ସେମାନେ ବନ ବିଭାଗକୁ ଦାୟୀ କରିଛନ୍ତି।କଇଁଛଙ୍କ ଆଗମନକୁ ଲକ୍ଷ୍ୟ କରି କେନ୍ଦ୍ରପଡ଼ାର ଗହୀରମଥାକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହେଲେ ସାତମାସ ପାଇଁ ଦେବୀ ମୁହାଣଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ମାଛ ମାରିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଏ। ମାତ୍ର କଟକଣା ସତ୍ତ୍ୱେ ଟ୍ରଲର୍ ଚଳାଚଳ କରିବାରୁ କଇଁଛଙ୍କ ମୃତ୍ୟୁ ଘଟୁଛି ବୋଲି ଖୋଦ ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ସ୍ୱୀକାର କରିବା ସହ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା କରାଯାଉଛି ବୋଲି ମଧ୍ୟ କହିଛନ୍ତି। ପ୍ରଶାସନର କଟକଣା ପରେ ବି ନିଷିଦ୍ଧାଞ୍ଚଳରେ ଟ୍ରଲର୍ ଚଳାଚଳ କଇଁଛଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।