ଓଡିଆନ୍ ନ୍ୟୁଜ

114

କାନାଡ଼ା ଝିଅ ଏବେ କୁଜଙ୍ଗ ବୋହୂ

Team Odian News |

କାନାଡ଼ା ଝିଅ ଏବେ କୁଜଙ୍ଗ ବୋହୂ
କୁଜଙ୍ଗ,୨/୩( ଓଡ଼ିଆନ୍‍ ନ୍ୟୁଜ୍‍):  ଜଗତସିଂପୁର ଜିଲା କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳବାର ଏକ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବସିଥିଲେ ବରକନ୍ୟା। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ପଡିଥିଲା ହାତଗଣ୍ଠି। ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କନ୍ୟାଦାନ ହୋଇଥିଲା। ବିବାହ ରୀତିନୀତି ସମ୍ପନ୍ନ ପରେ କାନାଡା ଝିଅ ହୋଇ ଯାଇଛନ୍ତି କୁଜଙ୍ଗ ବୋହୂ।
ସିନ୍ଥିରେ ସିନ୍ଦୁର ଆଉ ହାତରେ ଚୁଡି ପିନ୍ଧି ବିଦେଶିନୀଜଣକ ପାଲଟିଗଲେ ଖାଣ୍ଟି ଓଡିଆଣୀ। ସଂପୂର୍ଣ୍ଣ ବୈଦିକ ରୀତିନୀତିରେ କାନାଡା ଝିଅ ହେଲିନାଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୋଠି ଗାଁର ଲି ନନ୍ଦ। ସାତ ଦରିଆ ପାର୍ ହୋଇ ନିଜ ମନର ମଣିଷକୁ ବିବାହ କରି ବେଶ୍‌  ଖୁସି ଦେଖା ଯାଉଥିଲେ ହେଲିନା । ସେପଟେ ନିଜ ଗାଁ ମାଟିରେ ବାଜା ବାଣ, ଭୋଜି ସହ ବୈଦିକ ରୀତିନୀତିରେ ହେଲିନାକୁ ସାତ  ଜନ୍ମର ସାଥୀ କରି ଲି ନନ୍ଦ ବି କିଛି କମ୍‌ ଖୁସି  ନ ଥିଲେ।ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ହୃଷିକେଶ ନନ୍ଦଙ୍କ ବଡ ପୁଅ ହେଉଛନ୍ତି ଲି। ଉଚ୍ଚ ଶିକ୍ଷା ପରେ କାନାଡାରେ ଚାକିରୀ କରୁଥିଲେ। ତିନି ବର୍ଷ ତଳେ କାନାଡାର ଏକ କଫି ସପ୍‌ରେ ଲି ଓ ହେଲିନାଙ୍କ ମଧ୍ୟରେ ହୋଇଥିଲା ପ୍ରଥମ ସାକ୍ଷାତ। ପ୍ରଥମେ ପରିଚୟ, ତାପରେ ବନ୍ଧୁତା ଓ ପରେ ଉଭୟେ ଉଭୟଙ୍କ ପ୍ରେମରେ ପଡିଥିଲେ। ତେବେ ବ୍ରାହ୍ମଣ ପରିବାର ହୋଇଥିଲେ ବି ଲିଙ୍କ ପରିବାର ଲୋକେ ଏହି ବାହାଘର ପାଇଁ ରାଜି ହୋଇଥିଲେ।
କାନାଡାରୁ କନ୍ୟାଦାନ କରିବାକୁ ଆସିଥିଲେ ହେଲିନାଙ୍କ ବାପା, ମା’ , ଭାଇ ଏବଂ ବନ୍ଧୁବାନ୍ଧବ।ଏହି ବିବାହକୁ ନେଇ ଉଭୟ ପରିବାର ଖୁସି ଥିବା କହିଛନ୍ତି। ସେପଟେ ହେଲିନାଙ୍କ ନୂଆ ପରିବାର ଏବେ ତାଙ୍କୁ ଓଡିଆ ଭାଷା ଶିଖିବାରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି ।