ଓଡିଆନ୍ ନ୍ୟୁଜ

178

ଅଯୋଧ୍ୟା ବିବାଦ ମାମଲା : ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

Team Odian News |

ଅଯୋଧ୍ୟା ବିବାଦ ମାମଲା : ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ
ନୂଆଦିଲ୍ଲୀ,୬/୩( ଓଡ଼ିଆନ୍‍ ନ୍ୟୁଜ୍‍): ଅଯୋଧ୍ୟା ବିବାଦର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରା ମଧ୍ୟସ୍ଥି ନିଯୁକ୍ତ କରାଯିବ କି ନାହିଁ ସେ ସଂପର୍କିତ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ସେହପରି ଯଦି ଆଲୋଚନା ପାଇଁ ମଧ୍ୟସ୍ଥି ନିଯୁକ୍ତ କରାଯାଏ, ଆପୋଷ ବୁଝାମଣାକୁ କୋର୍ଟ ନିଜେ ତତ୍ତ୍ୱାବଧାନ କରିବେ କି ନାହିଁ, ତା ଉପରେ ବି ରାୟ ସଂରକ୍ଷିତ ରଖିଛନ୍ତି।
ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ହିନ୍ଦୁ ମହାସଭା, ଆପୋଷ ବୁଝାମଣାକୁ ବିରୋଧ କରୁଥିବା ବେଳେ ଅପରପକ୍ଷ ଏଥିପାଇଁ ରାଜି। ହିନ୍ଦୁ ମହାସଭାକୁ କୋର୍ଟ କହିଛନ୍ତି, ଆପୋଷ ଆଲୋଚନା ଫେଲ୍ ହେବ ବୋଲି ଆଗରୁ ଭାବନ୍ତୁ ନାହିଁ। ଆଲୋଚନା ଜରିଆରେ ସମାଧାନ ପାଇଁ ଆମେ ଚେଷ୍ଟା କରୁଛୁ।ତେବେ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ଭାବେ କହିଛନ୍ତି, ରାମ ଜନ୍ମଭୂମି-ବାବରି ମସଜିଦ୍ ଏକ ଜମି ବିବାଦ ନୁହେଁ, ଏହା ସହିତ ଆସ୍ଥା ଓ ଭାବପ୍ରବଣତା ଜଡ଼ିତ। ଜଷ୍ଟିସ୍ ଝ.ଇ. ବୋବ୍‌ଡେ କହିଛନ୍ତି, ବାବର୍ ଯାହା କରିଥାଇ ପାରନ୍ତି ସେହି ଅବସ୍ଥାକୁ ଫେରି ହେବନାହିଁ।

ଗତ ୨୬ ତାରିଖରେ ମାମଲାର ଶେଷ ଥର ପାଇଁ ଶୁଣାଣି ହୋଇଥିଲା। ଅଯୋଧ୍ୟା ଜମି ବିବାଦ ମାମଲାରେ ୨୦୧୦ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ମାମଲା ରୁଜୁ ହୋଇଛି। ୨ ଦଶମିକ ୭୭ ଏକର ବିବାଦୀୟ ଜମିକୁ ସମାନ ଭାଗରେ ସୁନି ଓ୍ୱାକଫ୍ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲାଲାଙ୍କ ମଧ୍ୟରେ ବାଣ୍ଟିବାକୁ ଆଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ।  ଏହା ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିଲା। ବିବାଦୀୟ ସ୍ଥଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଗରୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।