ଓଡିଆନ୍ ନ୍ୟୁଜ

189

କଂଗ୍ରେସ୍‌ ସରକାର ଆସିଲେ ସବୁ ଦୁର୍ନୀତି ଉପରେ କାର‌୍ୟ୍ୟାନୁଷ୍ଠାନ, ଓଡ଼ିଆଙ୍କୁ ନ୍ୟାୟ ମିଳିବ- ରାହୁଲ

Team Odian News |

କଂଗ୍ରେସ୍‌ ସରକାର ଆସିଲେ ସବୁ ଦୁର୍ନୀତି ଉପରେ କାର‌୍ୟ୍ୟାନୁଷ୍ଠାନ, ଓଡ଼ିଆଙ୍କୁ ନ୍ୟାୟ ମିଳିବ- ରାହୁଲ
ବରଗଡ଼ ୧୫/୩( ଓଡ଼ିଆନ୍‍ ନ୍ୟୁଜ୍‍): ଆଜି ବରଗଡ଼ ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସରସରାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଚିଟ୍‌ଫଣ୍ଡ, ମାଇନିଂ, ଶୀତଳଭଣ୍ଡାର, ଚାଷୀ ସମସ୍ୟାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ କଂଗ୍ରେସ୍‌ ସରକାର ଆସିଲେ ସବୁ ଦୁର୍ନୀତି ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ଓଡ଼ିଆଙ୍କୁ ନ୍ୟାୟ ମିଳିବ ବୋଲି ରାହୁଲ କହିଥିଲେ।
ସେ କହିଥିଲେ, “ରାଜ୍ୟରେ ଚିଟ୍‌ଫଣ୍ଡ ମାମଲାରେ ୫ ହଜାର କୋଟି ଟଙ୍କା ଚୋରି ହୋଇଛି। ମାଇନିଂ ସ୍କାମରେ ୫୦ ହଜାର କୋଟି ଲୁଟ୍ ହୋଇଛି। ଯେଉଁଠି ବି ଲୋକଙ୍କ ପଇସା ଲୁଟ୍ ହୋଇଛି, କାର‌୍ୟ୍ୟାନୁଷ୍ଠାନ ହେବ। କଂଗ୍ରେସ ସରକାର ଆସିଲେ ସବୁ ଲୁଟେରାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବ। ଓ ଲୋକଙ୍କୁ ନ୍ୟାୟ ମିଳିବ।”ଚାଷୀ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଥିଲେ ରାହୁଲ। ଉଭୟ ମୋଦି ଓ ନବୀନ ଚାଷୀଙ୍କ ପାଇଁ କିଛି କରିନାହାନ୍ତି ବୋଲି ଅଭିଯୋଗ କରିଥିଲେ।
ସେ କହିଥିଲେ, “ନବୀନ କହିଥିଲେ ଶୀତଳଭଣ୍ଡାର, ଫୁଡ୍ ପ୍ରସେସିଂ ପ୍ଲାଣ୍ଟ କରିବେ। ନା ଶୀତଳଭଣ୍ଡାର କଲେ ନା ଫୁଡ୍ ପ୍ରସେସିଂ ପ୍ଲାଣ୍ଟ କଲେ। ମୋଦି ବି ଚାଷୀଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ଚାଷୀ ପାଇଁ କିଛି କଲେନାହିଁ, ହେଲେ ତାଙ୍କ ବଡ଼ ବଡ଼ ମିତ୍ରଙ୍କ ପାଇଁ ଋଣ ଛାଡ଼ କରିଛନ୍ତି। କଂଗ୍ରେସ ଯାହା କହେ,  ତାହା କରେ। ଏକମାତ୍ର କଂଗ୍ରେସ ହିଁ ଲୋକଙ୍କୁ ପ୍ରଗତି ପଥରେ ନେଇଯିବ।”

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାହୁଲଙ୍କ ଏହା ପ୍ରଥମ ବରଗଡ ଗସ୍ତ। ପୂର୍ବରୁ ଉପାଧ୍ୟକ୍ଷ ଥିବାବେଳେ ରାହୁଲ ବରଗଡ ଆସି ପଦଯାତ୍ରା କରିଥିଲେ। ଏହା ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ରାଜ୍ୟ ସରକାରଙ୍କୁ ରାହୁଲ ତୀବ୍ର ସମାଲୋଚନା କରିଥିଲେ।