ଓଡିଆନ୍ ନ୍ୟୁଜ

178

ଦୋଳଗୋବିନ୍ଦଙ୍କ ପାଇଁ ଆଳି ବିଧାନସଭା ଆସନରେ ଚର୍ଚ୍ଚା ।

Team Odian News |

ଦୋଳଗୋବିନ୍ଦଙ୍କ ପାଇଁ ଆଳି ବିଧାନସଭା ଆସନରେ ଚର୍ଚ୍ଚା ।
ରାଜକନିକା,୧୬ା୩( ଓଡ଼ିଆନ୍‍ ନ୍ୟୁଜ୍‍): ଆଗାମୀ ସାଧାରଣ ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀଚୟନ ପାଇଁ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି । ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଆଳି ନିର୍ବାଚନ ମଣ୍ଡଳୀ ଅଧିକ ଗୁରୁତ୍ୱ ବହନ କରୁଛି  । ବିଜେଡ଼ି ହାତରେ ରହିଥିବା ଆଳି ବିଧାନସଭା ଆସନକୁ ୨୦୧୪  ମସିହାରେ ନିଜ ଅକ୍ତିଆରକୁ ଆଣିବାରେ କଂଗ୍ରେସ ସଫଳ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ପରାସ୍ତ କରି କଂଗ୍ରେସର ଦେବେନ୍ଦ୍ର ଶର୍ମା ବିଜୟୀ ହୋଇଥିଲେ  । ହେଲେ ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପୂର୍ବତନ ବିଧାୟକ ତଥା  ବରିଷ୍ଠ ନେତା ଦୋଳଗୋବିନ୍ଦ ନାୟକ  । ଶ୍ରୀନାୟକ ଆଳିରୁ ୧୯୮୫ ଓ ୯୫ ରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  ।  ହେଲେ ଆଳି ବିଧାନସଭା ଆସନରୁ ଶ୍ରୀନାୟକଙ୍କ ପ୍ରାର୍ଥୀତ୍ୱ ସମ୍ଭାବନା ରହିଥିବାରୁ ବିଜେପି କର୍ମୀମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି  । ଦୁଇ ଥର  ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିବା ଦୋଳଗୋବିନ୍ଦ ନିଜ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କରିବାରେ ଖୁବ୍‍ ଲୋକପ୍ରିୟ ରହିଛନ୍ତି । ଏହା ସହିତ କୌଣସି କ୍ଷମତାରେ ନଥିବା ସମୟରେ ମଧ୍ୟ ଆଳି ଏବଂ ରାଜନଗର ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନ କାର୍ଯ୍ୟ କରିଥିବାର ନଜୀର ରହିଛି । ଏହି କାରଣରୁ ଦୀର୍ଘ ୧୮ ବର୍ଷ ଧରି ଶ୍ରୀନାୟକଙ୍କୁ ଦଳୀୟ ପ୍ରାର୍ଥୀତ୍ୱରୁ ଦୂରେଇବାରେ ସ୍ଥାନୀୟ ନେତାମାନେ  ସକ୍ଷମ ହୋଇଥିଲେ  । ଯେଉଁ କାରଣରୁ ଶ୍ରୀନାୟକ କଂଗ୍ରେସ ଛାଡ଼ି ଚଳିତ ନିର୍ବାଚନରେ  ବିଜେପି ଦଳରେ ସାମିଲ ହୋଇଛନ୍ତି  । ଶ୍ରୀନାୟକ  ବିଜେପିରେ ସାମିଲ ହେବା ପରେ ଦଳର ସ୍ଥିତିରେ ବହୁ ପରିବର୍ତ୍ତନ ଦେଖାଦେଇଛି  । ପୂର୍ବରୁ ୨୦୦୯ ଏବଂ ୨୦୧୪ ମସିହାରେ ବିଜେପି ନେତା ବ୍ରଜସୁନ୍ଦର ଭୂୟାଁ ଆଳିରୁ ପ୍ରାର୍ଥୀ ହୋଇ ମାତ୍ର ତିନି ପରସେଣ୍ଟ ଭୋଟ ପାଇବାରେ ସକ୍ଷମ ହୋଇଥିଲେ  । ହେଲେ ସେ  ଅବସ୍ଥାର  ସ୍ଥିତି ବଦଳିଛି  । ସଭା ସମିତି ଓ ଶୋଭାଯାତ୍ରାରେ ବିଜେପି କର୍ମୀମାନଙ୍କର ଆଶାତୀତ ଭାବେ ବୃଦ୍ଧି ପାଇଛି  ।  ଏହା ସହିତ ଶ୍ରୀନାୟକଙ୍କୁ ପ୍ରାର୍ଥୀ କଲେ ଜିଲାର ଆଳି ଏବଂ ରାଜକନିକା ଅଞ୍ଚଳରେ ତାଙ୍କର ବ୍ୟକ୍ତିଗତ ଭୋଟବ୍ୟାଙ୍କ ସହିତ ଉଭୟ କଂଗ୍ରେସ ଓ ବିଜେଡ଼ି ଦଳରୁ ସମର୍ଥନ ପାଇବାରେ ସକ୍ଷମ ହେବାନେଇ ଆକଳନ କରାଯାଉଛି  ।  ଶ୍ରୀ ନାୟକ ୩ ଥର ରାଜକନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଆସିଥିବାବେଳେ ୧୯୮୫ ମସିହା ବିଧାନସଭା ନିର୍ବାଚନରେ ସେତେବେଳର ଜନତାଦଳର ପ୍ରାର୍ଥୀ ତକ୍ରାଳୀନ ବିରୋଧୀଦଳର ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ପିତା ଶରତ ଦେବଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ରାପଡା ଜିଲା କଂଗ୍ରେସର ସଭାପତି ଭାବେ ଶ୍ରୀ ନାୟକ ରହିଥିବାବେଳେ ୧୯୯୭ ମସିହାରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡା ଜିଲାର ୯ଟି ଯାକ ବ୍ଲକର ଅଧକ୍ଷ ପଦରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ, କେନ୍ଦ୍ରାପଡା ପୌରପାଳ, ପଟ୍ଟାମୁଣ୍ଡାଇ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ  ଏବଂ କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷଙ୍କୁ ଜିତାଇବାରେ ସକ୍ଷମ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେପି  ଦଳ ପକ୍ଷରୁ ଶ୍ରୀନାୟକଙ୍କୁ ପ୍ରାର୍ଥୀ କରି ଆଳିି ଆସନକୁ ଅକ୍ତିଆ କରିବାର ଆଶା କରାଯାଇଛି  । ନିଜର ଶେଷ ଲଢ଼େଇ କରି ଆଳି କନିକାର ଉନ୍ନତିରେ ନିଜକୁ ସର୍ମପିତ କରିବାକୁ ଦୋଳଗୋବିନ୍ଦ ଅଣ୍ଟାଭିଡ଼ିଛନ୍ତି  ।  ବିଜେପି ଦଳ ଶ୍ରୀନାୟକଙ୍କୁ ଆଳିରେ  ପ୍ରାର୍ଥୀକରି ଉପକୂଳରେ ନିଶ୍ଚିନ୍ତ ପଦ୍ମ ଫୁଟାଇବାରେ  ଅଧିକ ଆଶାବାଦୀ ରହିଛନ୍ତି  ।