ଓଡିଆନ୍ ନ୍ୟୁଜ

180

ବାଘ ଓ ମଣିଷ ପ୍ରେମ ସଂପର୍କକୁ ବିତିଲା ୩୮ବର୍ଷ

Team Odian News |

ବାଘ ଓ ମଣିଷ  ପ୍ରେମ ସଂପର୍କକୁ ବିତିଲା ୩୮ବର୍ଷ  
 ଶୁକୃଳି,୨୭ା୩(ସରୋଜ ବେହେରା) - ଜାତୀୟ ଉଦ୍ୟାନ ଶିମିଳିପାଳ ବିଭିନ୍ନ କାରଣ ପାଇଁ ଦେଶ ବିଦେଶରେ ବେଶ ପ୍ରସିଦ୍ଧ ଲାଭ କରିଛି । ପାଣି ପବନ ଓ ବନ୍ୟ ଜନ୍ତୁ ପାଇଁ ଶିମିଳିପାଳ ପ୍ରସିଦ୍ଧଲାଭ କରିଥିଲେ ମଧ୍ୟ ଯଶିପୁରରେ ରହୁଥିବା ଖଈରୀ ବାଘ ସାରା ବିଶ୍ୱରେ ପ୍ରସିଦ୍ଧଲାଭ କରିଥିଲା । ଗଣମାଧ୍ୟମ ସେତେବେଳେ ଖଈରୀର ପ୍ରଚାର ପ୍ରସାର ହୋଇନଥିଲେ ମଧ୍ୟ ଗାଁ ଗାଁରେ ବେଶ ପରିଚିତ ଥିଲା ଖଈରୀ ବାଘ । ଆଜି ତାର ମୃତ୍ୟୁବାର୍ଷିକୀ । ଏହା ଭିତରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଖଈରୀର ସେହି ଅଭୂଲା ସ୍ମୃତି ଏବଂ ମଣିଷ ବାଘର ସମ୍ପର୍କକୁ ଭୁଲିନାହାଁନ୍ତି ରାଜ୍ୟବାସୀ । 
୧୯୭୪ ମସିହା ଅକ୍ଟୋବର ୫  ତାରିଖ ଦିନ ଶିମିଳିପାଳ ଘଞ୍ଚଞ୍ଚ ଜଙ୍ଗଲରେ ଥିବା ଜେନାବିଲ ରେଞ୍ଜ ଅଧିନରେ ଥିବା ଖଈରୀ ନଦୀ କୂଳରୁ ଖଡିଆମାନେ ବାପ ମା ଛେଉଣ୍ଡ ଏକ ବାଘ ଛୁଆକୁ ଉଦ୍ଧାର କରିଥିଲେ । ଏହି ବାଘଛୁଆକୁ ମୟୂରଭଞ୍ଜର ଫିଲ୍ଡ ଡାଇରେକ୍ଟର ଥିବା ପଦ୍ମଶ୍ରୀ ଶ୍ରୀ ସରୋଜ ଚୌଧୁରୀଙ୍କୁ ଦେଇଥିଲେ । ସରୋଜ ଚୌଧିରୀ ବାଘ ଛୁଆକୁ ଯଶିପୁରର ଧୋବାଡିହା ଠାରେ ରଖିଥିଲେ । ଏହା ଖଈରୀ ନଦୀ କୂଳରୁ ମିଳିଥଇବାରୁ ଏହାର ନାମ ଖଈରୀ ବାଘ ଦିଆଯାଇଥିଲା । ଏହି ଖଈରୀ ବାଘକୁ ଛୁଆ ଥିବାରୁ ତାକୁ ଖାଇବାକୁ ଅମୂଲ ଦିଆଯାଉଥିଲା । ଧୀରେ ଧୀରେ ବଡ ହେବାରୁ ଏହାକୁ ଅମୂଲ ସହିତ ମିଶାଇ ଘୁଷୁରୀ, କୁକୁଡା, ଖାସି ମାଂସ ଦିଆଯାଉଥିଲା । ଏହି ବାଘକୁ ବିଶେଷ ଭାବରେ ଗୁରୁତ୍ୱ ଦେଇ ଯତ୍ନ ନିଆଯାଉଥିଲା । ଏହି ବାଘ ମଣିଷ ସହିତ ଏକ ପ୍ରକାର ସଂପର୍କ ଗଢି ଉଠିଥିବା ଯୋଗୁଁ ଏହାକୁ କୌଣସି ପଞ୍ଜୁରୀ କିମ୍ବା କୌଣସି ସିକୁଳିରେ ବାନ୍ଧି ରଖା ଯାଉନଥିଲା । ଖଈରୀ ବାଘର ପ୍ରତି ମୂହୁର୍ତ୍ତର କାର୍ଯ୍ୟକଳାପକୁ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଲିପିବଦ୍ଧ କରାଯାଉଥିଲା । ଯାହାକି ଆଗାମୀ ଦିନରେ ବ୍ୟାଘ୍ର ସଂରକ୍ଷଣର ତଥ୍ୟ ଯୋଗାଇବାରେ ସାହାଯ୍ୟ ମିଳିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିପାରୁଥିଲା । ଏହା ଓଡିଶାର ଏକମାତ୍ର ବାଘ ଯେଉଁ ବାଘ ଖୋଲା ଖୋଲି ଭାବରେ ମଣିଷ ସହିତ ମିଶିପାରୁ ଥିଲା । ଏହାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁୁ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟିଥିଲା । ଖଈରୀ ବାଘ ସହିତ ସେତେବେଳେ ଏକ ହେଟା ବାଘ ଯାହାର ନାମ ଭାଇନା ବୋଲି ଡକାଯାଉଥିଲା । ଏହା ସହିତ ଏକ ଭାଲୁ ଯାହାର ନାମ ଯମ୍ବୁ ଏବଂ ଆଉ ଏକ ଅଜଗର ସାପକୁ ମଧ୍ୟ ରଖାଯାଇଥିଲା । ସେହି ସମୟରେ ଯଶିପୁର ଥିଲା ଉତ୍ସବ ମୁଖର । କାରଣ ଏମାନଙ୍କୁ ଦେଖିବା ପାଇଁ ପ୍ରତ୍ୟେକଦିନ ଶହ ଶହ  ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଥିଲା । ପ୍ରେମ ବଳରେ ହିଂସ୍ର ଜନ୍ତୁ ମଧ୍ୟ ନିଜର ହୋଇ ପାରନ୍ତି । ଏହା ପ୍ରମାଣିତ କରି ଦେଖାଇ ପାରିଛନ୍ତି ପଦ୍ମଶ୍ରୀ ସରୋଜ ଚୌଧୁରୀ । ମଣିଷ ଓ ବାଘ ଭିତରେ ପ୍ରେମ ସଂପର୍କ ସେହି ସମୟରେ ଦେଖିବାକୁ ମିଳିଥିଲା । ଖଈରୀ ବାଘର ଦେଶ ବିଦେଶରେ ନାମ ଥିବାରୁ ସେହି ସମୟରେ ଯଶିପୁର ଏକ ଆନ୍ତର୍ଜାତିକ ସ୍ତରରେ ନାମ ବିଖ୍ୟାତ କରିଥିଲା । ଖଈରୀ ବାଘକୁ ମୟୂରଭଞ୍ଜ ବାସିନ୍ଦା ଗୌରବ ବୋଲି ମାନନ୍ତି । ସେତେବେଳେ ଖଈରୀ ଏତେ ବିଖ୍ୟାତ ଥିଲା ଥିଲା ଯେ ତାର ନାମ ଅନୁସାରେ ଖଈରୀ ମେସ, ଖଈରୀ ରାସ୍ତା, ବିଭିନ୍ନ ପ୍ରକାରର ଜିନିଷର ତାର ନାମକରଣ ଅନୁସାରେ ହୋଇଥିଲା । ଖଈରୀ ବାଘର ମୃତ୍ୟୁର କିଛିଦିନ ପୂର୍ବରୁ ଏକ ପାଗଳା କୁକୁର ଖଈରୀ ବାଘକୁ କାମୁଡି ଦେଇଥିଲା । ଯାହାର ପାଗଳାମି ଗୁଣ ଖଈରୀ ବାଘ ଉପରେ  ପଡିଲା । ମୃତ୍ରୁ୍ୟର କିଛିଦିନ ପୂର୍ବରୁ ଖଈରୀ ବାଘ ବନ କର୍ମଚରୀଙ୍କୁ ଆକ୍ରମଣ କରିଥିଲା । ତାକୁ ସେଥିପାଇଁ ନିଶା ଇଂଜେକସନ ଦେଇ ପଞ୍ଜୁରୀ ଭିତରେ ବାନ୍ଧି ରଖାଯାଉଥିଲା । ତାର କିଛିଦିନ ପରେ ଠିକ ଆଜିର ଦିନରେ ୧୯୮୧ ମସିହା ମାର୍ଚ୍ଚ ୨୮ ତାରିଖ ଦିନ ମୃତ୍ୟୁବରଣ ହୋଇଥିଲା । ମୃତ୍ୟୁଖବର ପାଇ ସାରା ରାଜ୍ୟ ବାସୀଙ୍କ ମନରେ ଅନେକ ଆଘାତ ଲାଗିଥିଲା । ଖଈରୀ ବାଘର ମୃତ୍ୟୁପରେ ତାର ଶବ ବ୍ୟବଚ୍ଛେଦ କରାଯାଇଥିଲା । ସେଥିରୁ ଜଣାଯାଇଥିଲା ଯେ ପାଗଳ କୁକୁର କାମୁଡିବା ଯୋଗୁଁ ତାର ପାଗଳାମି ହୋଇଥିଲା । ଏହାକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ଗେଷ୍ଟ ହାଉସକୁ ଖଈରୀ ନିବାସରେ ନାମକରଣ କରିବା ସହିତ ଏକ ସମାଧି ମଧ୍ୟ ନିର୍ମାଣ କରିଥିଲେ ।  ଏହା ଭିତରେ ଦୀର୍ଘ ୩୮ବର୍ଷ ବିତିଯାଇଛି । ମଣିଷ ଏବଂ ବାଘ ଭିତରେ ଥିବା ସଂପର୍କକୁ ଏପର୍ଯ୍ୟନ୍ତ ଲୋକେ ଭୁଲି ପାରିନାହାନ୍ତି । ଭୁଲିପାରି ନାହାନ୍ତି ଖଈରୀ ବାଘର ମଣିଷ ପ୍ରତି ତା’ର ଆନୁଗତ୍ୟ ଓ ତାର କାର୍ଯ୍ୟକଳାପକୁ । ବିଶ୍ୱ ଦରବାରରେ ଖଈରୀ ବାଘ ବେଶ କିଛି ନାମ କମାଇଥିଲେ ମଧ୍ୟ ଖଈରୀ ଗେଷ୍ଟହାଉସ ବ୍ୟତୀତ ତାର ସ୍ମୃତିକୁ ଜୀବିତ କରିବା ପାଇଁ ସରକାରଙ୍କ ତରଫରୁ କୌଣସି ଉଦ୍ୟମ କରାଯାଇ ନାହିଁ ।