ଓଡିଆନ୍ ନ୍ୟୁଜ

184

ବିଜେଡି ଲୋକସଭାପ୍ରାର୍ଥୀ ଅନୁଭବଙ୍କ ବିରୋଧରେ ଅଭିଯୋଗ

Team Odian News |

ବିଜେଡି ଲୋକସଭାପ୍ରାର୍ଥୀ ଅନୁଭବଙ୍କ ବିରୋଧରେ ଅଭିଯୋଗ
କେନ୍ଦ୍ରାପଡା,୧୧/୪(ଓଡିଆନ ନ୍ୟୁଜ):କେନ୍ଦ୍ରାପଡା ଲୋକସଭା ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିକଟରେ ଗୁରୁବାର ଏକ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ   ଗତ ୯ତାରିଖରେ ବିଜେଡିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ  । ସେହି ସମୟରେ ବିଜେଡି ପ୍ରାର୍ଥୀଙ୍କ  ପତ୍ନୀ ବର୍ଷା  ପ୍ରିୟଦର୍ଶିନୀ  ଉପସ୍ଥିତ ରହି  ରିଟର୍ଣ୍ଣିଂ  ଅଫିସରଙ୍କୁ ଅନୁଭବଙ୍କ ସହିତ ନାମାଙ୍କନପତ୍ର ପ୍ରଦାନ କରିଥିଲେ ଯାହା ଆଇନତଃ ଠିକ ନୁହେଁ ବୋଲି ଆଇନଜୀବି ବିଧୁଭୂଷଣ ମହାପାତ୍ର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ କରିଛନ୍ତି । ବର୍ଷା  ପ୍ରିୟଦର୍ଶିନୀ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିର ଜଣେ ଭୋଟର ହୋଇନଥିବା ବେଳେ ଏବଂ ସେ ପ୍ରାର୍ଥୀଙ୍କ ପ୍ରସ୍ତାବକ କିମ୍ବା ରାଜନୈତିକ ଏଜେଂଟ ହୋଇନଥିଲେ ମଧ୍ୟ କିଭଳି ଓ କେଉଁ କାରଣ ପାଇଁ ତାଙ୍କୁ ପୋଲିସର କଡା ସୁରକ୍ଷା ବଳୟ ଭେଦକରି ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଷ କରିବାକୁ ଅନୁମତି ଦିଆଯିବା ସହ ବିଜେଡି ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଦାନ କରିବାକୁ ଅଧିକାର  ଦିଆଗଲା । ଏଥିନିମନ୍ତେ ସଂପୃକ୍ତ ରିଟର୍ଣ୍ଣିଂ ଅଫିସର କିଭଳି ବର୍ଷା ପ୍ରିୟଦର୍ଶିନୀଙ୍କୁ ଏଭଳି ବେଆଇନ ଓ ଆଇନର ବିରୁଦ୍ଧାଚରଣ କରିବାକୁ ଅନୁମତି ପ୍ରଦାନ କଲେ ବୋଲି ଅଭିଯୋଗକାରୀ ଶ୍ରୀ ମହାପାତ୍ର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।  ଘଟଣାର ଭିଡିଓ କ୍ଲିପିଂ ଓ ଫଟୋ ସହିତ ଶ୍ରୀ ମହାପାତ୍ର ଅଭିଯୋଗ କରିବା ସହ ଭାରତୀୟ ସଂବିଧାନ ଅନୁଯାଇ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ନିବେଦନ କରିଛନ୍ତି । ଏଥିସହିତ ଶ୍ରୀ ମହାପାତ୍ର ଏସମ୍ପର୍କରେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ   ଭିଡିଓ କ୍ଲିପିଂ ଓ ଫଟୋ ସହିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।