ଓଡିଆନ୍ ନ୍ୟୁଜ

179

ଓଡ଼ିଶା: ୪ ଲୋକସଭା ଓ ୨୮ ବିଧାନସଭାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍

Team Odian News |

ଓଡ଼ିଶା: ୪ ଲୋକସଭା ଓ ୨୮ ବିଧାନସଭାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍
ଭୁବନେଶ୍ୱର ,୧୧/୪(ଓଡିଆନ ନ୍ୟୁଜ) : ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମେ’ ୨୩ରେ ଜଣା ପଡିବ ଫଳାଫଳ।

ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଆଜି ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍କଣ୍ଠା। ଯୁବ, ମହିଳା, ବୟସ୍କ ଓ ଦିବ୍ୟାଙ୍ଗ ଭୋଟ୍ ଦେଇ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସମସ୍ତେ ଥିଲେ ବ୍ୟଗ୍ର। ଖରା କି ଗରମକୁ ନଥିଲା ଖାତିର କାହାର।ସକାଳୁ ସକାଳୁ ସବୁଠି ମତଦାନ କେନ୍ଦ୍ର ଆଗରେ ଲାଗିଥିଲା ଲମ୍ବା ଲାଇନ୍। ସକାଳ ୭ଟାରେ ଭୋଟ୍ ଦାନ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହାର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍‌ରେ ହୋଇଥିଲା ମକ୍ ପୋଲିଂ। ଇଭିଏମ୍ ଓ ଭିଭିପାଟ୍‌ର ସଠିକ୍ ଯାଞ୍ଚ ପରେ ଆରମ୍ଭ ହୋଇଥିଲା ଭୋଟ୍ ଗ୍ରହଣ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ହୋଇଥିଲା। ମାଲକାନଗିରି ଜିଲ୍ଲାର MV- ୧୧, ୩୭, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା, ଶିଖପାଲିରେ ଇଭିଏମ୍‌ରେ ସମସ୍ୟା ଯୋଗୁଁ ଭୋଟ୍ ଗ୍ରହଣ ଡେରି ହୋଇଥିବାବେଳେ ଜୟପୁର ପାରାବେଡ଼ାର ୧୬୨ ନମ୍ବର ବୁଥ, ଚିତ୍ରକୋଣ୍ଡାର ୨୧୧, ଲମତାପୁଟ ବ୍ଲକର ୩ଟି ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିଲା।ଦୀର୍ଘ ସମୟ ଧରି ଭୋଟର ଲାଇନ୍‌ରେ ଛିଡ଼ା ହୋଇଥିଲେ ବି ଶାନ୍ତିଶୃଙ୍ଖଳାରେ ମତାଧିକାର ସାବ୍ୟସ୍ତ କରିଥିଲେ ସବୁଠି। ସକାଳ ଓ ଅପରାହ୍ନରେ ଭୋଟରଙ୍କ ଭିଡ଼ ଲାଗିଥିଲାବେଳେ ମଧ୍ୟାହ୍ନରେ ମତଦାନ ସାମାନ୍ୟ ଧିମା ଥିଲା।

ରାଜ୍ୟର ୪ ଲୋକସଭା ଆସନ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସମେତ ଏହା ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ଆଜି ଭୋଟ୍ ଗ୍ରହଣ ହୋଇଛି। ଯାହା ମଧ୍ୟରୁ ୨୦ଟି ବିଧାନସଭା କ୍ଷେତ୍ର ରହିଛି ମାଓ ଇଲାକାରେ। ତେଣୁ ସେଠାରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ କରାଯାଇଥିଲା। ତେବେ ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲ୍ଲାର ୧୫ଟି ବୁଥ୍‌ରେ ଗୋଟିଏ ବି ଭୋଟ୍ ପଡିନି। ଯାହାମଧ୍ୟରେ ସ୍ୱାଭିମାନ ଅଞ୍ଚଳର ୯ ଓ ମାଥିଲି ବ୍ଲକ୍‌ର ୬ଟି ବୁଥ୍ ରହିଛି। ଏମିତିକି ଟେମୁରୁପାଲ୍ଲୀର ଦୁଇଟି୍ ବୁଥକୁ କୌଣସି ଏଜେଣ୍ଟ ମଧ୍ୟ ଆସିନଥିଲେ। ତେବେ ଚିତ୍ରକୋଣ୍ଡାର କେଙ୍ଗ ଗାଁରେ ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ବିକାଶର ସ୍ରୋତରେ ଭାଗିଦାର ହେବାକୁ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରରେ ବି ମାଓ ଧମକକୁ ଖାତିର କରିନାହାନ୍ତି ଭୋଟର। ତେବେ ସବୁ ମାଓ ଅଧ୍ୟୁଷିତ ଇଲାକାରେ ଅପରାହ୍ନ ୪ଟାରେ ମତଦାନ ଶେଷ ହେବା ପରେ କଡ଼ା ସୁରକ୍ଷାରେ ଇଭିଏମ୍ ଧରି ହେଲିକପ୍ଟରରେ ଫେରିଥିଲେ ପୋଲିଂ ପାର୍ଟି।

ସେପଟେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ଥିବା ୨୧ଟି ଗାଁର ଅଧିକାଂଶ ଭୋଟର ଓଡ଼ିଶା ପରିବର୍ତ୍ତେ ଆନ୍ଧ୍ର ପ୍ରାର୍ଥୀଙ୍କ ପ୍ରତି ଅଧିକ ଆସ୍ଥା ପ୍ରକଟ କରି ଭୋଟ୍ ଦେଇଛନ୍ତି। ଏମିତିକି ସେଠାରେ ଭୋଟରଙ୍କ ପାଇଁ ଆନ୍ଧ୍ର ପଟୁ ଗାଡ଼ି ବ୍ୟବସ୍ଥା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ପୂର୍ବ ସାଧାରଣ ନିର୍ବାଚନମାନଙ୍କ ଅପେକ୍ଷା ୨୦୧୯ ହୋଇଛି ଭିନ୍ନ ଦେଶ ଗଠନରେ ଭୂମିକା ନିଭେଇବାକୁ ଭୋଟର ହୋଇଛନ୍ତି ସଚେତନ। ବୁଥ୍‌ରେ ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ସ୍ୱେଚ୍ଛାସେବୀଙ୍କ ସହାୟତାରେ ଭୋଟରଙ୍କୁ ମିଳିଛି ଭରପୂର ସହଯୋଗ। ଆଜି ପ୍ରଥମ ପର୍ଯ୍ୟାୟ ସରିବା ପରେ ଆସନ୍ତା ୧୮ତାରିଖରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେବ ମତଦାନ।