ଓଡିଆନ୍ ନ୍ୟୁଜ

193

ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ,ଇଭିଏମ୍‌ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

Team Odian News |

ସରିଲା  ପ୍ରଥମ ପର୍ଯ୍ୟାୟ ମତଦାନ,ଇଭିଏମ୍‌ରେ ସିଲ୍  ପ୍ରାର୍ଥୀଙ୍କ ଭାଗ୍ୟ


ଭୁବନେଶ୍ୱର,୧୧/୪(ଓଡିଆନ ନ୍ୟୁଜ): ଆଜି ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମେ’ ୨୩ରେ ଜଣାପଡ଼ିବ ଫଳାଫଳ। ମାଲକାନଗିରି ବିଛିନ୍ନାଞ୍ଚଳରେ ଲାଲବାହିନୀଙ୍କ ଭୟରେ ୧୫ଟି ବୁଥ୍‌ରେ ଆଦୌ ଭୋଟ୍ ପଡି ନ ଥିବାବେଳେ ବିବାଦୀୟ କୋଟିଆ ଅଞ୍ଚଳର ଭୋଟର ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରାର୍ଥୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ଭୋଟ୍ ଦେଇଥିବା କହିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଅପରାହ୍ନ ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରେ ଭୋଟ୍ ଦାନ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହାର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍‌ରେ ହୋଇଥିଲା ମକ୍ ପୋଲିଂ। ଇଭିଏମ୍ ଓ ଭିଭିପ୍ୟାଟ୍‌ ସଠିକ୍ ଯାଞ୍ଚ ପରେ ଆରମ୍ଭ ହୋଇଥିଲା ଭୋଟ୍ ଗ୍ରହଣ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ହୋଇଥିଲା। ମାଲକାନଗିରି ଜିଲ୍ଲାର MV- ୧୧, ୩୭, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା, ଶିଖପାଲିରେ ଇଭିଏମ୍‌ରେ ସମସ୍ୟା ଯୋଗୁଁ ଭୋଟ୍ ଗ୍ରହଣ ଡେରି ହୋଇଥିବାବେଳେ ଜୟପୁର ପାରାବେଡ଼ାର ୧୬୨ ନମ୍ବର ବୁଥ, ଚିତ୍ରକୋଣ୍ଡାର ୨୧୧, ଲମତାପୁଟ ବ୍ଲକର ୩ଟି ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିଲା।