ଓଡିଆନ୍ ନ୍ୟୁଜ

121

ଆସୁଛି ଘୂର୍ଣ୍ଣିଝଡ଼ ‘ଫନି’,ଉପକୂଳରେ ସତର୍କ ସୂଚନା ଜାରି

Team Odian News |

ଆସୁଛି ଘୂର୍ଣ୍ଣିଝଡ଼ ‘ଫନି’,ଉପକୂଳରେ ସତର୍କ ସୂଚନା ଜାରି 


ଭୁବନେଶ୍ୱର,୨୯/୪(ଓଡ଼ିଆନ ନ୍ୟୁଜ): ଓଡ଼ିଶାରେ ପଡ଼ିବ ଘୂର୍ଣ୍ଣିଝଡ଼ ‘ଫନି’ର ପ୍ରଭାବ । ଆନ୍ଧ୍ରର ମଛଲିପଟନମ୍‌ଠାରୁ ୧୦୫୦ କିମି ଦୂରରେ ଅଛି ସାମୁଦ୍ରିକ ଝଡ ‘ଫନି’। ୩୬ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏହାରି ପ୍ରଭାବରେ ମେ ୨ରେ ଓଡ଼ିଶା ଉପକୂଳରେ ୫୦-୬୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ ୩ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ ଜଣା ପଡିଛି । ଘୂର୍ଣ୍ଣିଝଡ଼ ‘ଫନି’ର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ‘ଫନି’ ଗଞ୍ଜାମର ଗୋପାଳପୁରରେ ସ୍ଥଳଭାଗ ଛୁଇଁବା ଆଶଙ୍କା ନାହିଁ। ଏହାର ମୁକାବିଲା ପାଇଁ ୧୨ଟି NDRF, ୨୦ ଓଡ୍ରାଫ ଟିମ୍‌ ସଜାଗ ରହିଛନ୍ତି । ୩୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ବି ମୁକାବିଲା ପାଇଁ ସଜାଗ ଅଛନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ସମୀକ୍ଷା ବୈଠକରେ SRC, DGP ଓ NDRF ପଦାଧିକାରୀ, ରାଜ୍ୟର ସବୁ ବିଭାଗର ସଚିବମାନେ ବି ବୈଠକରେ ଯୋଗଦେଇଥିଲେ ।