ଓଡିଆନ୍ ନ୍ୟୁଜ

125

ପୁରୀଠାରୁ ୬୧୦ କିଲୋମିଟର ଦୂରରେ ଫନି, ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ

Team Odian News |

ପୁରୀଠାରୁ ୬୧୦ କିଲୋମିଟର ଦୂରରେ ଫନି, ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ


ଭୁବନେଶ୍ୱର,୧/୫  (ଓଡ଼ିଆନ ନ୍ୟୁଜ) ପୁରୀର  ନିକଟତର ହେଉଛି   ସାମୁଦ୍ରିକ ବାତ୍ୟା ଫନି । ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫନି ଏବେ ପୁରୀଠାରୁ ୬୧୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ଓ ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତରକୁ ଗତି କରିବ ଓ ତାପରେ ଉତ୍ତରପୂର୍ବ ଦିଗରେ ଗତି କରିବ ଓ ଆସନ୍ତା ଶୁକ୍ରବାର ଅପରାହ୍ଣ ୩.୩୦ରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ । ଅନ୍ୟପକ୍ଷରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ବାତ୍ୟା ଡପଲର ରାଡାରର ରେଞ୍ଜ ମଧ୍ୟକୁ ଆସିଯିବ । ବାତ୍ୟା ରାଡାର ରେଞ୍ଜ ମଧ୍ୟକୁ ଆସିଲେ ପ୍ରତି ୧୦ ମିନିଟରେ ବାତ୍ୟାର ସ୍ଥିତି ଜାଣିହେବ । ଗୋପାଳପୁର, ଚେନ୍ନାଇ, ବିଶାଖାପାଟଣା ଓ ମଛିଲିପଟ୍ଟନମଠାରେ ଥିବା ଡପଲର ରାଡାର ମାଧ୍ୟମରେ ଏହି ବାତ୍ୟା ଉପରେ ନଜର ରଖାଯାଇଛି ବୋଲି ଭାରତୀୟ ପାଣିିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଡପଲର ରାଡାର ମାଧ୍ୟମରେ ସାମୁଦ୍ରିକ ବାତ୍ୟା, ଅତ୍ୟଧିକ ବର୍ଷା, ଲଘୁଚାପ ଆଦିର ସଠିକ ପୂର୍ବାନୁମାନ କରିହୁଏ । ଆହୁରି ମଧ୍ୟ ପ୍ରକୃତ କେଉଁ ସ୍ଥାନରେ ଏକ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବ ତାହାର ସଠିକ ପୂର୍ବାନୁମାନ କରିହୁଏ । ପୂର୍ବରୁ ପ୍ରଚଳିତ ଆନାଲଗ ରାଡାରଗୁଡ଼ିକରେ ଏହା ସମ୍ଭବ ହେଉନଥିଲା ।  ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ‘ଫୋନି’ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଗତି କରିବ ବୋଲି ଜଣାପଡ଼ିଛି । ଫନି ଉପକୂଳରେ ପହଞ୍ଚିବା ପୂର୍ବରୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅତୀତରେ ଓଡ଼ିଶାରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଏହାଛଡା ଆସନ୍ତାକାଲି ଠାରୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ଏନଡ଼ିଆରଏଫର ୨୮ଟି ଟିମ୍ ନିୟୋଜିତ ରହିଛନ୍ତି । ସେହିଭଳି  ‘ଫଣି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଓ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ଶିକ୍ଷାନୁଷ୍ଠାନ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସବୁ ସରକାରୀ ଡାକ୍ତରଙ୍କ ଛୁଟି ବାତିଲ କରି ଦିଆଯାଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେମାନେ ଛୁଟିରେ ରହିପାରିବେନି। ଆଉ ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ୭୪ଟି ଟ୍ରେନ୍‌ ବାତିଲ କରାଯାଇଛି । ଆଇପିଏସ ମାନଙ୍କ ଛୁଟି ବାତିଲ କରାଯିବା ସହ ଆଇଏସମାନଙ୍କୁ ସ୍ୱତନ୍ତ୍ର ଦାଇତ୍ୱ ମିଳିଛି । ଝଡ଼ତୋଫାନ ଓ ବର୍ଷାକୁ ଦୃଷ୍ଟିରେ ରଖି ୩ ଓ ୪ ତାରିଖରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ପଦକ୍ଷେପ ନିଆଯାଇଛି ୨, ୩ ଓ ୪ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦେଶ ଯାଏ ବୈଷୟିକ ଶିକ୍ଷାନୁଷ୍ଠାନରେ ପରୀକ୍ଷା ବନ୍ଦ ରହିବ । ଏଥିପାଇଁ ପୁରୀର ସବୁ ହୋଟେଲ ଖାଲି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ୨ରୁ ୫ ତାରିଖ ଯାଏ କୌଣସି ବୁକିଂ ନ ରଖିବାକୁ ନିର୍ଦେଶ ଦିଆଯାଇଛି । ସମୁଦ୍ରରେ ନ ଗାଧୋଇବା ପାଇଁ ସତର୍କ କରାଇଛି ଜିଲ୍ଲା ପ୍ରଶାସନ। ୨ ତାରିଖ ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ କୁହାଯାଇଛି ।