ଓଡିଆନ୍ ନ୍ୟୁଜ

152

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା

Team Odian News |

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା
ବାଲେଶ୍ୱର,୨/୬ (ଓଡିଆନ ନ୍ୟୁଜ):  ଅତି ଆପଣାର ମନେକରି କିଏ ତାଙ୍କୁ ଡାକେ ପ୍ରତାପ ନନା, ତ ପୁଣି କିଏ କହେ ସେ ଜଣେ ସନ୍ଥ ପୁରୁଷ। ଓଡ଼ିଶାର ମୋଦି ଭାବେ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀଙ୍କୁ ଅସଲ ମୋଦି ବି ଦେଇଛନ୍ତି ପୁରସ୍କାର। କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ବାଲେଶ୍ୱର ସାଂସଦ। ଯାହାଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।ନୂଆଣିଆ ଚାଳ ଘର ହେଲେ କଣ ହେଲା, ଭିତରେ ଥରେ ଆଖି ବୁଲାଇ ଆଣିଲେ କେଉଁ ସାଧନାର ପୀଠଠୁ ବି କୌଣସି ଗୁଣରେ କମ୍ ଅନୁଭବ ହେବନି। ଯେଉଁ ଘର କାନ୍ଥରେ ଫଟୋରୁ ଥାଇ ନିରନ୍ତର ହସ ହସ ମୁହଁରେ ଝଟକୁଥାନ୍ତି ମହାତ୍ମା, ଧ୍ୟାନମଗ୍ନ ଅବସ୍ଥାରେ ବିବେକ ଓ ଇନ୍ଦ୍ରୀୟ ଚେତନାର ବାର୍ତ୍ତା ଦେଉଥାନ୍ତି ସ୍ୱାମୀ ବିବେକାନନ୍ଦ।ସେ ଘର ଯେ, ଜଣେ ସନ୍ଥ ଓ ସଚ୍ଚା ଦେଶ ସେବକର ହୋଇଥିବ, ତାହା ବୁଝିବାକୁ ବାକି ନାହିଁ। ମୋଦି ସରକାରରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନିରାଡ଼ମ୍ବର ଜୀବନ ଯାପନର ଏ ବଳିଷ୍ଠ ପ୍ରମାଣକୁ ନେଇ ଏବେ ସାରା ଦେଶରେ ଅବିଶ୍ରାନ୍ତ ଚର୍ଚ୍ଚା। ବର୍ଷକ ତଳେ ମାଆଙ୍କୁ ହରାଇବା ପରେ ଏଇଠି ଏକାକୀ ରହୁଛନ୍ତି। ସମସ୍ତଙ୍କ ଅତି ଆଦରର ପ୍ରତାପ ନନା ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇ ଦିଲ୍ଲୀ ଯିବା ପରଠୁ ଘର ଜଗିଛନ୍ତି ସାନ ଭଉଣୀ ଓ ଭାଣିଜୀ। ଆଉ ଗତକାଲି ସେ ମନ୍ତ୍ରୀ ହୋଇଥିବା କଥା ଶୁଣି ତ ଯେମିତି ଗାଁ ଲୋକେ ଓ ପାଖ ପଡ଼ୋଶୀଙ୍କ ଗର୍ବ ଓ ଆନନ୍ଦର ସୀମା ନାହିଁ।କିଏ ତାଙ୍କୁ କହେ ସାଧାରଣ ମଣିଷ, ପୁଣି କାହା ବିଚାରରେ ସେ ରାଜନୀତିର ସନ୍ଥ। ହେଲେ ଏତେ ସବୁ ପରିଚୟ ଭିତରେ ଗଲାକାଲିଠୁ ପୁଣି ଏକ ନୂଆ ପରିଚୟ ସହ ଅବତୀର୍ଣ୍ଣ ହୋଇଛନ୍ତି ଓଡ଼ିଶାର ମୋଦି ନାଁରେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।