ଓଡିଆନ୍ ନ୍ୟୁଜ

84

ଶ୍ରୀବଳଦେବଜୀଉଙ୍କ ଗଜାନନ ବେଶ

Team Odian News |

ଶ୍ରୀବଳଦେବଜୀଉଙ୍କ ଗଜାନନ ବେଶ 
କେନ୍ଦ୍ରାପଡା,୧୭/୬(ଓଡ଼ିଆନ୍‍ ନ୍ୟୁଜ୍‍):ପବିତ୍ର ସ୍ନାନପୁର୍ଣ୍ଣିମା ଅବସରରେ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା  ଶ୍ରୀ ବଳଦେବଜୀଉ ଙ୍କୁ  ସ୍ନାନ ବେଦୀରେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଦେଖାଯାଇଥିଲା । ରଥଯାତ୍ରା ପୂର୍ବରୁ ଶ୍ରୀଜୀଉମାନଙ୍କର ଶେଷ ଦର୍ଶନ ଥିବାରୁ ତଥା ଚଳିତ ବର୍ଷ ମହାଅନବସର ପଡୁଥିବା ଯୋଗୁ ବହୁ ଶ୍ରଦ୍ଧାଳୁ ତୁଳସୀ କ୍ଷେତ୍ରକୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।   ବିଶ୍ୱର ସର୍ବବୃହତ୍ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥରେ ରବିବାର ଅଖ ଓ ଚକ ମଧ୍ୟ ଲାଗିଛି । ଭୋର ୩ଟାବେଳେ  ପଣ୍ଡାମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ସେନାପଟା ବେଶ ଓ ସାଜସଜ୍ଜା କରାଯାଇ ମଙ୍ଗଳାର୍ପଣ ଓ ରାଜଭେଟି କରାଯାଇଥିଲା । ନିର୍ଦ୍ଧାରିତ ସମୟଠାରୁ ଦୁଇ ଘଂଟା ବିଳମ୍ବରେ ପ୍ରାୟ ୮ଟାବେଳେ ଦଇତାପଣ୍ଡାମାନେ ଶ୍ରୀଜୀଉମାନଙ୍କୁ ଧାଡି ପହୁଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ଏହି ପହଣ୍ଡି ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ ଲାଗି ରହିଥିଲା । ପୂର୍ବରୁ ଅଭିମନ୍ତ୍ରିତ କରି ରଖାଯାଇଥିବା ଚନ୍ଦନ, କର୍ପୁର ଓ ୧୦୮ କଳସୀ ସୁଗନ୍ଧିତ ଜଳ ଦ୍ୱାରା ଶ୍ରୀଜୀଉମାନଙ୍କୁ ଅର୍ପଣ କରାଯାଇଥିଲା । ପୁରୀରେ ମହାପ୍ରଭୃଙ୍କ ବିଗ୍ରହ ଉପରେ ଏହା ଅର୍ପଣ କରାଯାଉଥିବାବେଳେ ତୁଳସୀକ୍ଷେତ୍ରରେ ମହାପ୍ରଭୃଙ୍କ ଶ୍ରୀଚରଣରେ ଏହା ଅର୍ପଣ କରାଯିବାର ପରମ୍ପରା ରହି ଆସିଛି । ଏହାପରେ ଶ୍ରୀଜୀଉମାନଙ୍କ ସର୍ବାଙ୍ଗରେ ଚନ୍ଦନ ଲାଗି କରାଯାଇ ଅପରାହ୍ନ ୨ଟାବେଳେ ବଲ୍ଲଭ ମଣୋହୀ କରାଯାଇଥିଲା । ବଲ୍ଲଭ ମଣୋହୀ ପରେ ମଙ୍ଗଳାର୍ପଣ କରାଯାଇ ଶ୍ରୀଜୀଉମାନଙ୍କୁ ଗଜ ବଦନ ବେଶରେ ସଜ୍ଜିତ କରାଯାଇଥିଲା । ଗଜବଦନ ବେଶ ପରେ ଶ୍ରୀଜୀଉମାନଙ୍କୁ ଏକମାତ୍ର ଖେଚୁଡି ଧୂପ ଲାଗି କରାଯାଇଥିଲା । ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୃଙ୍କ ଦର୍ଶନ ମିଳିବ ନାହିଁ ବୋଲି ଆଜି ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଓ ସ୍ନାନ ମଣ୍ଡପ ସମ୍ମୁଖରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗିରହିିଥିଲା । ମହାପ୍ରଭୃଙ୍କ ହାତି ଓ ସ୍ନାନବେଶ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଅପେକ୍ଷା କରି ରହିଥିଲେ । ରାତି ୧୧ଟାବେଳେ ଦୋଳି ଫିଟାଯାଇ ଶ୍ରୀଜୀଉମାନଙ୍କ ବେଶ କରାଯିବା ସହ ଧାଡି ପହୁଣ୍ଡିରେ ଅନବସର ପିଣ୍ଡିକୁ ନିଆଯାଇଥିଲା । ଏହି ସମୟରେ ଜଗମୋହନରେ ପତିଦିଅଁ ନୀଳମାଧବଙ୍କୁ ସ୍ଥାପନା କରାଯାଇ ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଆଜିଠାରୁ ଶ୍ରୀଜୀଉମାନଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ ନାହିଁ ।  କେବଳ ଦଇତାପତି ଓ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କୁ ଗୁପ୍ତ ସେବା ଲାଗି କରିବେ । ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ସେହି ସେବାରେ ରହିବାପରେ ମହାପ୍ରଭୃ ସାଧାରଣ ଦର୍ଶନ ପାଇଁ ବ୍ରହ୍ମ ତାଳଧ୍ୱଜ ରଥକୁ ଆସିବେ । ସେତେବେଳ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଜଗମୋହନରେ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିବେ । ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା  ବନ୍ଦୋବସ୍ତ କରାଯାଇଥିଲା