ଓଡିଆନ୍ ନ୍ୟୁଜ

98

ଶ୍ରୀବଳଦେବଜୀଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Team Odian News |

ଶ୍ରୀବଳଦେବଜୀଉଙ୍କ ଦର୍ଶନ  କଲେ ମୁଖ୍ୟମନ୍ତ୍ରୀ 
କେନ୍ଦ୍ରାପଡା,୧୭/୬(ଓଡ଼ିଆନ୍‍ ନ୍ୟୁଜ୍‍) -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ପ୍ରାୟ ୫ଟା ୨୫ମିନିଟ ସମୟରେ ଇଛାପୁରସ୍ଥିତ ପଭୁ ଶ୍ରୀ ବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିଥିଲେ । ୫ମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ କେନ୍ଦ୍ରାପଡା ଆସି ମାଉସୀ ମା’ ମନ୍ଦିର ନିକଟରେ  ଅସ୍ଥାଇ ଭାବେ ନିର୍ମିତ ହେଲିପ୍ୟାଡରେ ପ୍ରାୟ ୫ଟା ୧୫ମିନିଟ ସମୟରେ ପହଁଚିବା ପରେ ସେଠାରୁ ଏକ କାର ଯୋଗେ ମନ୍ଦିର ନିକଟକୁ ଆସିଥିଲେ । ମନ୍ଦିର ସିଂହଦ୍ୱାର ନିକଟରୁ ଚାଲି ଚାଲି ଯାଇ ସ୍ନାନ ମଣ୍ଡପରେ ବିରାଜମାନ କରିଥିବା କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ, ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କାର୍ତିକେୟନ ପାଣ୍ଡିୟାନ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାଷ ସିଂ, ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀ ପ୍ରମୁଖ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ । ବଳଦେବଜୀଉ ଏଣ୍ଡାମେଂଟ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ରଞ୍ଜନ କୁମାର ପୃଷ୍ଟି, ଯଯାତୀ କେଶରୀ ମହାନ୍ତି, ଧିରେନ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଜୀଉଙ୍କ ସିଂହଦ୍ୱାର ନିକଟରେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ଉନ୍ନତି ନିମନ୍ତେ ୨କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ । ସେହି ପ୍ରକଳ୍ପ ଗୁଡିକ ମଧ୍ୟରେ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର,ସାଆନ୍ତସାହି ଠାରେ ଶ୍ରୀବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପ ନିର୍ମାଣ,ମନ୍ଦିରର ଉତ୍ତର ପାଶ୍ୱର୍ରେ ପାଚେରୀ ନିର୍ମାଣ,ବିବାହ ମଣ୍ଡପ ନିକଟରେ ଶୋଚାଳୟ ନିର୍ମାଣ,ଗଭୀର ନଳକୂପ ନିର୍ମାଣ ଓ ଓଭରହେଡ ଟାଙ୍କି ଜରିଆରେ ୨୪ଘଂଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଅତିରିକ୍ତ ଏସପି ଅରୁଣ କୁମାର ଜେନା,ଡିଏସପି କାର୍ତିକ ଚନ୍ଦ୍ର ନାୟକଙ୍କ ସମେତ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରାୟ ୧୦ପ୍ଲାଟୁନ ପୋଲିସ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।