ଓଡିଆନ୍ ନ୍ୟୁଜ

71

ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋଗୋଇ

Team Odian News |

ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋଗୋଇ
ନୂଆଦିଲ୍ଲୀ,୨୨/୬(ଓଡ଼ିଆନ୍‍ ନ୍ୟୁଜ୍‍)  : ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବହୁ ସଂଖ୍ୟାରେ ପଡିରହିଥିବା ବିଚାରାଧିନ ମାମଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସମ୍ବିଧାନ ସଂଶୋଧନ ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।ଏଥିସହ ହାଇକୋର୍ଟର ବିଚାରପତିଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଧାରା ୧୨୮ ଓ ୨୨୪(କ) ମାଧ୍ୟମରେ ପୂର୍ବତନ ବିଚାରପତିଙ୍କୁ ମାମଲାର ଶୁଣାଣି ପାଇଁ ନିଯୁକ୍ତ କରିବା ପାଇଁ ସେ ଚିଠି ଲେଖିଛନ୍ତି।ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାୟ ୪୩ ଲକ୍ଷରୁ ଅଧିକ ମାମଲା ବିଚାରାଧିନ ରହିଛି। ସୁପ୍ରିମକୋର୍ଟରେ ଏବେ ୩୧ ଜଣ ବିଚାରପତି ଥିବା ବେଳେ ପ୍ରାୟ ୫୮ ହଜାରରୁ ଅଧିକ ମାମଲା ପଡିରହିଛ। ଏପରିକି ୨୬ଟି ମାମଲା ପ୍ରାୟ ୨୫ ବର୍ଷ ତଳର ହୋଇଥିବା ବେଳେ ୧୦୦ଟି ମାମଲା ୨୦ ବର୍ଷ ତଳର॥ ୧୫ ବର୍ଷ ତଳର ୫୯୩ଟି ମାମଲା ବିଚାରାଧିନ ଥିବା ବେଳେ ୪୯୭୭ଟି ମାମଲା ୧୦ ବର୍ଷରୁ ଅଧିକ ସମୟ ଧରି ବିଚାରାଧିନ ରହିଛି । ଅଗ୍ରାଧିକାର ଭିତ୍ତିରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାଦ୍ୱାରା ଲୋକଙ୍କୁ ନିର୍ଦ୍ଧାରିତ ସମୟରେ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।