ଓଡିଆନ୍ ନ୍ୟୁଜ

128

ଜୁଲାଇ ୨୦ରେ ପାଟକୁରା ଭୋଟ୍

Team Odian News |

ଜୁଲାଇ ୨୦ରେ ପାଟକୁରା ଭୋଟ୍
ଭୁବନେଶ୍ୱର,୫/୭(ଓଡ଼ିଆନ୍‍ ନ୍ୟୁଜ୍‍) :  ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଏଠାରେ ଭୋଟ କରାଇବା ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ରେ ଭୋଟ ଗଣତି ସହ ୨୬ ତାରିଖ ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

ଗତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପରଲୋକ ହେବାରୁ ମତଦାନକୁ ସ୍ଥଗିତ ରଖାଯାଇଥିଲା। ମେ ୧୯ରେ ଏଠାରେ ମତଦାନ କରାଇବାକୁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ତେବେ ବାତ୍ୟା ଫୋନି ଉପକୂଳ ଓଡ଼ିଶାରେ ଧ୍ୱଂସର ତାଣ୍ଡବ ରଚିବା ପରେ ମତଦାନକୁ ପୁଣି ଘୁଞ୍ଚାଇବାକୁ ପଡିଥିଲା।ଏପଟେ ତାରିଖ ଘୋଷଣା ସହ ବଢିଯାଇଛି ନିର୍ବାଚନୀ ଉଷ୍ମତା। ତିନି ପ୍ରାର୍ଥୀ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ୍, ବିଜେପିର ବିଜୟ ମହାପାତ୍ର ଓ କଂଗ୍ରେସର ଜୟନ୍ତ ମହାନ୍ତି ପାଗ ଭିଡିବା ଆରମ୍ଭ କରିଦେଇଥିବା ବେଳେ ତିନି ଦଳ ବି ସେମାନଙ୍କ ସମରସଜ୍ଜା କରିସାରିଛନ୍ତି। ଗତକାଲି ନବୀନ ନିବାସରେ ବସିଥିବା ବୈଠକରେ ବିଜେଡିର ରଣନୀତି ପ୍ରସ୍ତୁତ କରିଛି।  କାହାକୁ କେଉଁ ଦାୟିତ୍ୱ ଦିଆଯିବ ଓ କିଭଳି ନିର୍ବାଚନରେ ଜିତାପଟ ହେବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି।ବିଜେପି ମଧ୍ୟ ପାଟକୁରା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି। ଅନ୍ୟପକ୍ଷରେ ଦଳର ସବୁ ହେଭିୱେଟ୍‌ଙ୍କୁ ନେଇ ପୁରା ଦମ୍‌ରେ ନିର୍ବାଚନ ଲଢିବାକୁ କଂଗ୍ରେସ ଷ୍ଟ୍ରାଟେଜି କରିଛି।

ପାଟକୁରାରେ ବିଜେପି ଓ ବିଜେଡି ପାଇଁ ହେବ ପ୍ରେଷ୍ଟିଜ୍ ବ୍ୟାଟଲ୍। ଖାସ୍ କରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଏହା ଅଗ୍ନିପରୀକ୍ଷା ବୋଲି କୁହାଯାଉଛି। ତେବେ କିଛି ଦିନ ହେବ ମୋଦି-ନବୀନ ସଂପର୍କରେ ମଧୁରତା ଆସିଥିବାରୁ ଦୁଇ ଦଳ କିଭଳି ନିର୍ବାଚନ ଲଢୁଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି।