ଓଡିଆନ୍ ନ୍ୟୁଜ

161

ସୁରେଶ ପୂଜାରୀଙ୍କ ବିସ୍ଫୋରକ ବୟାନ: ବିଜେପିରେ ମିଶିବେ ବିଜେଡ଼ିର ବହୁ ନେତା

Team Odian News |

ସୁରେଶ ପୂଜାରୀଙ୍କ ବିସ୍ଫୋରକ ବୟାନ: ବିଜେପିରେ ମିଶିବେ ବିଜେଡ଼ିର ବହୁ ନେତା
ଭୁବନେଶ୍ୱର, ଅକ୍ଟୋବର ୩ (ଓଡ଼ିଆନ୍‍ ନ୍ୟୁଜ୍‍):ବିଜୁ ଜନତା ଦଳର ବହୁ ନେତା ଖୁବ୍‌ ଶୀଘ୍ର ବିଜେପି ଦଳରେ ସାମିଲ ହେବେ । ଏଭଳି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ । ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ବୈଠକ ପୂର୍ବରୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀ ପୂଜାରୀ ।ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ପ୍ରତିକ୍ରିୟାରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିଜେଡ଼ିର ଡଜନେରୁ ଉର୍ଦ୍ଧ୍ୱ ନେତା ଓ ବିଧାୟକ ବିଜେପିରେ ସାମିଲ ହେବେ । ଯାହାକି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଚକିତ କରିବ । ବିଜେଡ଼ିର ବହୁ ନେତାଙ୍କର ମନ ଦଳ ପ୍ରତି ବିମୁଖ ହେଲାଣି । ଆଇନ ବାଧକ ସାଜିଥିବାରୁ ଏମାନେ ଦଳ ଛାଡ଼ି ପାରୁ ନାହାଁନ୍ତି । ବିଜେଡ଼ିର ପୂର୍ବତନ ବିଧାୟକ ଓ ବର୍ତ୍ତମାନ ବିଧାୟକ ବିଜେପି ସଂପର୍କରେ ଅଛନ୍ତି । ବହୁତ ଶୀଘ୍ର ସେମାନେ ଦଳ ଛାଡ଼ିବେ । ଯାହାକି ଆଗାମୀ ନିର୍ବାଚନ ପୂର୍ବରୁ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।ସେହିପରି ବିଜେପୁର ଉପ ନିର୍ବାଚନ ପ୍ରସଙ୍ଗକୁ ନେଇ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ଇସ୍ତଫାକୁ ନେଇ ଶ୍ରୀ ପୂଜାରି ପ୍ରତିକ୍ରିୟା ରଖି କହିଛନ୍ତି ଯେ ନାରାୟଣ ଦଳର ଜଣେ ଶୃଂଖଳିତ କର୍ମୀ ଓ ସେ ଜଣେ ଯୋଗ୍ୟ ପ୍ରାର୍ଥୀ । ସେ ଦଳ ଛାଡିବା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ପ୍ରକାଶ କରିଛନ୍ତି । ବିଜେପିରେ ଅଶୋକ ପାଣିଗ୍ରୀହୀଙ୍କ ଯୋଗଦାନ ପରେ ଦଳରେ କିଛି ଅସନ୍ତୋଷ ଦେଖା ଦେଇଥିବାବେଳେ ବର୍ତ୍ତମାନ ଯାଏଁ ଦଳୀୟ ପ୍ରାର୍ଥୀ ଚୟନ କରାଯାଇ ନ ଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି । ଦଳରେ ଆଲୋଚନା ପରେ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା କହିଛନ୍ତି ସୁରେଶ ପୂଜାରୀ । ଆଜି ଆରମ୍ଭ ହୋଇଥିବା କାର୍ୟ୍ୟକାରିଣୀରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।