ଓଡିଆନ୍ ନ୍ୟୁଜ

180

ଶ୍ରୀ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚାରେ ପ୍ରବଳ ଜନସମାଗମ

Team Odian News |

ଶ୍ରୀ ବଳଦେବଜୀଉଙ୍କ ଶ୍ରୀଗୁଣ୍ଡିଚାରେ  ପ୍ରବଳ ଜନସମାଗମ
କେନ୍ଦ୍ରାପଡା ,୫/୭(ଓଡ଼ିଆନ୍‍ ନ୍ୟୁଜ୍‍) :   ନେତ୍ରୋତ୍ସବ ଉପଲକ୍ଷେ  ବୁଧବାର ଶ୍ରୀ ବଳଦେବଜୀଉଙ୍କ ନବଯୈ÷ାବନ ଦର୍ଶନ କରିବାକୁ ପ୍ରବଳ ଭୀଡ ପରିଲକ୍ଷିତ ହୋଇଥିଲା । ସକାଳ ୬ଟାରେ ଜୟ ମଙ୍ଗଳା ଆଳତୀ,୮ଟାରେ ନୀତି ସ୍ନାନ କରାଯିବା ପରେ ନ୍ୟାସ ଓ ହୋମ କରାଯାଇଥିଲା । ମଧ୍ୟାହ୍ନ ୧୨ଟାରେ ବଲ୍ଲଭ ମଣୋହୀ ଭୋଗ କରାଯାଇ ଅପରାହ୍ନ ଗୋଟାଏରେ ମଙ୍ଗଳାର୍ପଣ ଓ ୨ଟାରେ ଖେଚୁଡି ଧୂପ ,ଅପରାହ୍ନ ୫ଟାରେ ଦ୍ୱୀପହର ଧୂପ କରାଯାଇଥିଲା  । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଉଠାଣୀ ଓ ଆରତୀ କରାଯିବା ପରେ ରାତୀ ୮ଟାରେ ବ୍ରହ୍ମ ତାଳଧୂଜ ରଥରେ ନେତ ବନ୍ଧାଯିବା ସହିତ ରଥ ପ୍ରତିଷ୍ଠା କରାଯାଇଥିଲା ।  ରାତ୍ର ୯ଟାରେ ଶ୍ରୀ ଜୀଉମାନଙ୍କୁ  ରାତି ଧୂପ  କରାଯିବାପରେ ୧୧ଟାରେ ବଡସିଂହାର ଓ ପହୁଡଲାଗି କରାଯାଇଥିଲା । ଆଜି ଶ୍ରୀଗୁଣ୍ଡିଚା ଅବସରରେ ସକାଳ ୬ଟାରେ ଜୟମଙ୍ଗଳ ଆଳତୀ,ସକାଳ ୮ଟା ସମୟରେ ନୀତିସ୍ନାନ ବଲ୍ଲଭ,୯ଟାରେ ଖେଚୁଡି ଧୂପ କରାଯାଇ ୧୧ଟାରେ ସେନାପଟା ବନ୍ଧା ଯାଇଥିଲା । ଅପରାହ୍ନ ଗୋଟାଏରେ ମଙ୍ଗଳାର୍ପଣ କରାଯିବା ପରେ ଶ୍ରୀ ଜୀଉମାନଙ୍କୁ ପହୁଣ୍ଡି ବିଜେ କରାଯାଇ ରଥାରୁଢ କରାଯାଇଥିଲା । ଅପରାହ୍ନ ୫ଟା ୨୭ମିନିଟରେ ଶ୍ରୀଜୀଉଙ୍କ ବ୍ରହ୍ମତାଳଧୂଜ ରଥ ଟଣାଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ରଥ ପହଁଚିବାପରେ ସେଠାରେ ରଥ ରହିଥିଲା । ଆସନ୍ତାକାଲି ପୂନର୍ବାର ସେଠାରୁ ରଥ ଟଣାଯିବ । ଏହି ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ଜିଲ୍ଲାପାଳ ସମର୍ଥ ବର୍ମା,ଆରକ୍ଷୀ ଅଧିକ୍ଷକ ନୀତି ଶେଖର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା,ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ,ଟ୍ରଷ୍ଟବୋର୍ଡ ସଦସ୍ୟ ଧିରେନ ସାହୁ,ରଞ୍ଜନ କୁମାର ପୃଷ୍ଟ,ଯଯାତୀ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ଏକ କଂଟ୍ରୋଲ ରୁମ ଖୋଲାଯାଇ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଥିଲା । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ କରାଯିବା ପାଇଁ ୬ଜଣ ପୋଲିସ ଇନିସପେକ୍ଟର,୮ଜଣ ସବଇନିସପେକ୍ଟର,୩୦ଜଣ ଏ.ଏସ.ଆଇ.୪ଜଣ ହାବିଲଦାର,୩୦ଜଣ କନେଷ୍ଟବଳ,୬୦ଜଣ ହୋମଗାର୍ଡଙ୍କ ସମେତ ସାଢେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା,ଏକପାଖିଆ ରାସ୍ତାର ପ୍ରଚଳନ କରାଯାଇଥିଲା । ରଥଦାଣ୍ଡରେ ସି.ସି.ଟି.ଭି.ଲଗାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିଲା । ଏହି ଅବସରରେ ତୁଳସୀକ୍ଷେତ୍ରର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ସୂଚନା  ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ପୁସ୍ତିକାକୁ ରଥଦାଣ୍ଡରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ଜିଲ୍ଲାପାଳ ଶ୍ରୀ ବର୍ମା  ଉନ୍ମୋଚନ କରିଥିଲେ । ଜିଲ୍ଲାପାଳଙ୍କ ସହିତ, ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ,ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଜି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା,ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ରାଜ୍ୟ ଯୁବବିଜେଡି  ସାଧାରଣ ସମ୍ପାଦକ  ରାଜେଶ ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,ରାଜେଶ ପଣ୍ଡା,ଲୋହିତ ମହାନ୍ତି, ପ୍ରମୁଖ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ସହିତ ରଥଦାଣ୍ଡରେ ଉପସ୍ଥିତ ଥିଲେ ।ସେହିଭଳି ପୈାରସଂସ୍ଥା ପକ୍ଷରୁ ମଧ୍ୟ ଏକ ଷ୍ଟଲ ରଥଦାଣ୍ଡରେ ଖୋଲାଯାଇ ରଥଯାତ୍ରା ଦେଖିବାକୁ ଆସିଥିବା ଲୋକମାନଙ୍କୁ ଦହିପାଣି ବିତରଣ କରାଯାଇଥିଲା ।