ଓଡିଆନ୍ ନ୍ୟୁଜ

50

‘ପାପା ଗୁଣ୍ଡା ପଠାଇବା ବନ୍ଦ କର’

Team Odian News |

‘ପାପା ଗୁଣ୍ଡା ପଠାଇବା ବନ୍ଦ କର’
ନୂଆଦିଲ୍ଲୀ,୧୧/୭(ଓଡ଼ିଆନ୍‍ ନ୍ୟୁଜ୍‍): ‘ପାପା ଗୁଣ୍ଡା ପଠାଇବା ବନ୍ଦ କର’। ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ ବରଂ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଥିବା ଜଣେ ବିଧାୟକଙ୍କ ଝିଅ ନିଜ ବାପାଙ୍କୁ ଏଭଳି ଗୁହାରି କରୁଥିବା ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା।

ଯୁବତୀ ଜଣକ ହେଲେ ଉତ୍ତରପ୍ରଦେଶର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା।
ସୂଚନା ଅନୁସାରେ, ସାକ୍ଷୀ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଅଭି ନାମକ ଜଣେ ଦଳିତ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି। ଏହା ପରଠୁ ସେମାନଙ୍କୁ ବିଭିନ୍ନ ସମୟରେ ଗୁଣ୍ଡାମାନେ ପିଛା କରୁଥିବା କଥା ସାକ୍ଷୀ କହିଛନ୍ତି। ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ଶେଷରେ ସାକ୍ଷୀ ପୁଲିସ୍‌କୁ ସୁରକ୍ଷା ମାଗିବା ସହ ନିଜ ବାପାଙ୍କୁ ଗୁଣ୍ଡା ନ ପଠାଇବାକୁ ଗୁହାରି କରିଛନ୍ତି।

‘ମାନନୀୟ ବିଧାୟକ ପପୁ ଭରତୌଲ ଜୀ ଓ ଭିକି ଭରତୌଲ ଜୀ ଶାନ୍ତିରେ ରୁହ ଓ ବଞ୍ଚିବାକୁ ଦିଅ। ମୁଁ ସତରେ ବାହା ହୋଇଯାଇଛି। ଏହି ସିନ୍ଦୂରକୁ କୌଣସି ଫ୍ୟାଶନ ପାଇଁ ମୁଁ ଲଗେଇ ନାହିଁ ବରଂ ବିବାହ କରିଛି ବୋଲି ଲଗେଇଛି।’ ବୋଲି ଭାଇରାଲ ହୋଇଥିବା ଭିଡିଓରେ ସାକ୍ଷୀ କହୁଥିବା ଦେଖିବାକୁ ମିଳିଛି।

‘ପାପା, ତୁମେ ମୋ ପଛରେ  ରାଜୀବ ରାଣା ଭଳି ଗୁଣ୍ଡା ପଠାଇବା ବନ୍ଦ କର… ଅଭି(ସାକ୍ଷୀଙ୍କ ସ୍ୱାମୀ) ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରିବା ବନ୍ଦ କର। ମୁଁ ଖୁସିରେ ଓ ସ୍ୱାଧୀନ ଭାବରେ ରହିବାକୁ ଚାହୁଁଛି।’ ବୋଲି ସାକ୍ଷୀ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି।

‘ଏହି ଭିଡିଓ ମାଧ୍ୟମରେ ମୁଁ କହିବାକୁ ଚାହୁଁଛି ଯେ, ଯଦି ଭିବଷ୍ୟତରେ ମୋ ସହ କିମ୍ବା ଅଭି ଏପରିକି ଅଭିଙ୍କ ପରିବାର ଲୋକଙ୍କ ସହ କିଛି ଅଘଟଣ ଘଟେ ଏଥିପାଇଁ ମୋ ପାପା, ଭିକି ଭରତୌଲ ଓ ରାଜୀବ ରାଣା ଦାୟୀ ରହିବେ, ଯେଉଁମାନେ କି ମୋ ପାପାଙ୍କୁ ସାହାଯ୍ୟ କରୁଛନ୍ତି।’