ଓଡିଆନ୍ ନ୍ୟୁଜ

135

ସିସୋର୍‌ ଚିଟଫଣ୍ଡ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଭାତ ବିଶ୍ୱାଳ

Team Odian News |

ସିସୋର୍‌ ଚିଟଫଣ୍ଡ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରଭାତ ବିଶ୍ୱାଳ
କଟକ, ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍): ସିସୋର୍‌ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା କଟକ-ଚୌଦ୍ୱାର ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରଭାତ ହାଇକୋର୍ଟରେ ଜାମିନ ଆବେଦନ କରିଥିବା ସୂଚନା ମିଳିଛି । ସିସୋର ଚିଟଫଣ୍ଡ ସଂସ୍ଥା ସହିତ ଅର୍ଥ ଓ ଜମି କାରବାର ନେଇ ଶ୍ରୀ ବିଶ୍ୱାଳଙ୍କୁ ଗତ ମାସ ୧୮ ତାରିଖରେ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା । ଏହା ପରେ ସିବିଆଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ତାଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଝାରପଡ଼ା ଜେଲ ପଠାଇ ଦେଇଥିଲେ । ଏହା ପରେ ସେ ଖୋର୍ଦ୍ଧା ଜିଲ୍ଲା ଦୌରା ଜର୍ଜଙ୍କ ନିକଟରେ ଜାମିନ ଆବେଦନ କରିଥିଲେ । ସେଠାରେ ମଧ୍ୟ ଗତ ୨୬ ତାରିଖ ଦିନ ତାଙ୍କ ଜାମିନ ଆବେଦନ ନାମ ମଞ୍ଜୁର ହୋଇଥିଲା ।  ଝାରପଡା ଜେଲରେ ପ୍ରଭାତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଭାବ ଏବେ ବି କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।