ଓଡିଆନ୍ ନ୍ୟୁଜ

62

ଦୁଷ୍କର୍ମ ବିରୋଧୀ ନିଆଁ : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସର ରଣ ହୁଙ୍କାର

Team Odian News |

ଦୁଷ୍କର୍ମ ବିରୋଧୀ ନିଆଁ : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଓ କଂଗ୍ରେସର ରଣ ହୁଙ୍କାର
ଭୁବନେଶ୍ୱର ୨୪/୭ଓଡ଼ିଆନ୍‍ ନ୍ୟୁଜ୍‍): ଆଶ୍ରା ଆଳରେ ଆଶ୍ରୟ ଗୃହରେ ନିର୍ଯାତନା ହେଉ କି ପ୍ରଲୋଭନ ଦେଖାଇ କଅଁଳ କଢ଼ିର ଇଜ୍ଜତ ଲୁଟ୍। ସଭ୍ୟ ସମାଜକୁ ଲଜ୍ଜିତ କଲାଣି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା। ରାଲି, ନାରାବାଜି, ବିକ୍ଷୋଭ, ପୋଡ଼ାଜଳା। ଅଣାୟତ ହୋଇପଡ଼ିଥିବା ଦୁଷ୍କର୍ମ ଏବଂ ଆଇନଶୃଙ୍ଖଳା ସ୍ଥିତି ବିରୋଧରେ ଗୃହ ଭିତରେ ଗର୍ଜନ କରିବା ପରେ ଆଜି ଗୃହ ବାହାରେ ଆକ୍ସନମୋଡ୍‌କୁ ଆସିଛନ୍ତି କଂଗ୍ରେସ ଓ ବିଜେପି।ଟ୍ୱିନ୍‌ସିଟି ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିବା ସହ ଭୟଙ୍କର ଆନ୍ଦୋଳନର ଚେତାବନୀ ଦେଇଛି କଂଗ୍ରେସ।

କଂଗ୍ରେସ ସହ ତାଳଦେଇ ବିଜେପି ମଧ୍ୟ ଦୁଷ୍କର୍ମ, ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ତାସହ ଅନୁଗୁଳରେ ମୃତକଙ୍କ ଆଖି ତାଡ଼ିବା, ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ବିଜେପି।

ଏପଟେ ଆଜି ବି ଗୃହ ଭିତରେ ଦେଖିବାକୁ ମିଳିଥିଲା ତମ୍ବିତୋଫାନ୍। ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟରେ ପୁଲିସ ଅଫିସର ବିଜେଡି ନେତାଙ୍କ ଚାଟୁକାର ସାଜିଥିବା ଅଭିଯୋଗ କରିଛନ୍ତି। ରାଜ୍ୟରେ ଦୁଷ୍କର୍ମ ବଢୁଥିବାବେଳେ ଶିଶୁ ନିଖୋଜ ପଛରେ ଦେହ ବ୍ୟବସାୟ ନା ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ସେ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ପ୍ରତିଦିନ ୭ ଜଣ ଦୁଷ୍କର୍ମର ଶୀକାର ହେଉଥିବା କହିବା ସହ ମନ୍ତ୍ରୀଙ୍କ ତଥ୍ୟ ବିଭ୍ରାନ୍ତିକର। ଆବଶ୍ୟକ ପଦକ୍ଷେପ ନନେଲେ ନାବାଳିକା ଦୁଷ୍କର୍ମ ମାମଲା ଏକ ବିପର୍ଯ୍ୟୟ ପାଲଟିବ ବୋଲି କହିଛନ୍ତି ନରସିଂହ।

ସେପଟେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ୨୦୧୯ ମେ ସୁଦ୍ଧା ୯୩୭ ଓ ୨୦୧୮ ମେ ସୁଦ୍ଧା ୯୯୬ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ ଗତବର୍ଷ ଅପେକ୍ଷା ଏବର୍ଷ ୫.୯ ଭାଗ ଦୁଷ୍କର୍ମ ମାମଲା ହ୍ରାସ ପାଇଛି ବୋଲି ବିବୃତି ରଖିଛନ୍ତି ମନ୍ତ୍ରୀ।

ସେହିପରି ଭବାନୀପାଟଣା, ଅନୁଗୁଳ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲା ବିଜେପି।