ଓଡିଆନ୍ ନ୍ୟୁଜ

131

ବିଏସଏଫ କ୍ୟାମ୍ପ ଉପରେ ଆକ୍ରମଣକୁ ନେଇ ଉଠିଲା ପ୍ରଶ୍ନ, କେମିତି ସୁରକ୍ଷା ବ୍ୟବସ୍ଥା ଭେଦ କଲେ ଆତଙ୍କବାଦୀ

Team Odian News |

ବିଏସଏଫ କ୍ୟାମ୍ପ ଉପରେ ଆକ୍ରମଣକୁ ନେଇ ଉଠିଲା ପ୍ରଶ୍ନ, କେମିତି ସୁରକ୍ଷା ବ୍ୟବସ୍ଥା ଭେଦ କଲେ ଆତଙ୍କବାଦୀ

ଶ୍ରୀନଗର,ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍): ଶ୍ରୀନଗର ଅର୍ନ୍ତଜାତୀୟ ବିମାନବନ୍ଦର ନିକଟସ୍ଥ ବିଏସଏଫ କ୍ୟାମ୍ପ ଉପରେ ମଙ୍ଗଳବାର ସକାଳେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଏବେ ଅନେକ ଗମ୍ଭୀର ପ୍ରଶ୍ନ ଉଠିଛି। ଅନେକ ରକ୍ଷା ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି ଯେ କେମିତି ଏକ ସମ୍ବେଦନଶୀଳ ଇଲାକାରେ ସ୍ଥିତ ବିଏସଏଫ କ୍ୟାମ୍ପ ଭିତରକୁ ଆତଙ୍କବାଦୀ ପସିବାକୁ ସକ୍ଷମ ହେଲେ ? କେମିତି ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କବାଦୀ ଭିତରକୁ ପ୍ରବେଶ କଲେ ? ଖୋଦ୍ ଗୃହରାଜ୍ୟ ମନ୍ତ୍ରୀ ହଂସରାଜ ଅହିର ଏହି ବିରାଟ ବଡ଼ ଭୁଲକୁ ସ୍ଵୀକାର କରିଛନ୍ତି। ମାତ୍ର ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଅନ୍ୟ ପଟେ ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଆତଙ୍କବାଦୀମାନେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀନଗର ବିମାନବନ୍ଦରର ଠିକ୍ ବାହାରେ ଥିବା ବିଏସଏଫ କ୍ୟାମ୍ପ ଉପରେ ସକାଳ ପ୍ରାୟ ୪ଟାରେ ଆକ୍ରମଣ କରିଥିଲେ।  କ୍ୟାମ୍ପ ଭିତରକୁ ପସିଥିବା ଆତଙ୍କବାଦୀ ୧୮୨ ତମ ବାଟାଲିୟନ କ୍ୟାମ୍ପ ପରିସରରେ ଏକ କୋଠାରେ ଛପି ଯାଇଥିଲେ।  ଏହି ବାଟାଲିୟନ ଶ୍ରୀନଗର ବିମାନବନ୍ଦରର ରନଓ୍ଵେର ସୁରକ୍ଷା ଦାୟିତ୍ଵରେ ଅଛନ୍ତି।  କ୍ୟାମ୍ପ ନିକଟରେ ପୁରୁଣା ଶ୍ରୀନଗର ବାୟୁସେନା କ୍ଷେତ୍ର ରହିଛି ଯାହାର ପରିଚାଳନା ବାୟୁସେନା କରିଥାନ୍ତି। ଏହି ଇଲାକାରେ ବିଏସଏଫ ଓ ସିଆରପିଏଫର ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଏମିତିରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ ଉଚ୍ଚସ୍ତରୀୟ ସୁରକ୍ଷା ଜୋନରେ ଆତଙ୍କବାଦୀ ସୁରକ୍ଷାକୁ ଭେଦ କରି କେମିତି ଭିତରକୁ ପସିବାକୁ ସକ୍ଷମ ହେଲେ। ଏହି ସୂଚନା ମଧ୍ୟ ସାମ୍ନାକୁ ଆସୁଛି ଯେ ଆତଙ୍କବାଦୀ କୌଣସି ଗାଡିରେ ଆସିନଥିଲେ ବରଂ ସେମାନେ ପାଦରେ ଚାଲି ଚାଲି ଆସିଥିଲେ।  ଆଶଙ୍କା କରାଯାଉଛି ଯେ ବିମାନବନ୍ଦରକୁ ପ୍ରବେଶ କରିବା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଥିଲା। ମାତ୍ର ସିଆରପିଏଫ ଯବାନଙ୍କ କଡ଼ା ସୁରକ୍ଷାକୁ ଦେଖି ଆତଙ୍କବାଦୀ ନିଜ ଲକ୍ଷ୍ୟରେ ସଫଳ ହୋଇପାରିନଥିଲେ। ଏହି ଆକ୍ରମଣ ପଛରେ ଜୈଶ ଏ ମୋହମ୍ମଦର ଅଫଜଲ ଗୁରୁ ସ୍କ୍ଵାର୍ଡର ହାତ ଥିବା କୁହାଯାଉଛି। ମାତ୍ର ଏହାକୁ ନେଇ ସରକାରୀସ୍ତରରେ କୌଣସି ସୂଚନା ନାହିଁ। ଉଲ୍ଲେଖଯୋଗ୍ୟ ୧୮୨ ବାଟାଲିୟନ ବିଏସଏଫ ଶିବିର ଉପରେ ମଙ୍ଗଳବାର ସକାଳ ପ୍ରାୟ ୪ଟାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସୁରକ୍ଷାବଳ ଆତଙ୍କବାଦୀ ଛପି ରହିଥିବା କୋଠାକୁ ଘେରି ଯାଇଥିଲେ। ପ୍ରାୟ ୯ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। କ୍ୟାମ୍ପର ଆଡମିନିଷ୍ଟ୍ରେଟିଭ ବିଲ୍ଡିଂରେ  ଏବେ ମଧ୍ୟ ଜଣେ ଆତଙ୍କବାଦୀ ଛପି ରହିଥିବାର ଅନୁମାନ କରାଯାଉଛି। ଟିଭି ରିପୋର୍ଟ୍ସ ମୁତାବକ ମୃତ୍ୟୁ ଘଟିଥିବା ଆତଙ୍କବାଦୀଙ୍କ ନିକଟରୁ ୫ କିଲୋର ବିସ୍ଫୋଟକ ଜବତ କରାଯାଇଛି। ଏଥିରେ ସ୍ପଷ୍ଟ ହୋଇଛି ଯେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ଉଦ୍ଦେଶ୍ୟରେ ଥିଲେ।