ଓଡିଆନ୍ ନ୍ୟୁଜ

78

ଦୁଃଖିନୀ ରାଣୀଙ୍କ ଦୁଃଖ କାହାଣୀ

Team Odian News |

ଦୁଃଖିନୀ ରାଣୀଙ୍କ ଦୁଃଖ କାହାଣୀ 
ବାଲେଶ୍ୱର୪/୮(ଓଡ଼ିଆନ୍‍ ନ୍ୟୁଜ୍‍)): ଅନେକ କୁହନ୍ତି ସମାଜରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହୋଇ ପାରିବେନି, ଜୀବନ ସଂଘର୍ଷରେ ଆଗକୁ ଯାଇ ପାରିବେନି। ହେଲେ ଏ ସମସ୍ତ କଥାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି ବାଲେଶ୍ୱରର ମହିଳା ଅଟୋ ଡ୍ରାଇଭର ଦୁଃଖିନିରାଣୀ ବିନ୍ଧାଣୀ।

ଦୁଃଖିନିରାଣୀ ଅସହ୍ୟ ପାରିବାରିକ କଷଣକୁ ପଛରେ ପକାଇ ଆତ୍ମନିର୍ଭରଶୀଳ ହେବାର ନୂଆ ପନ୍ଥା ଆପଣାଇଛନ୍ତି। ରାତି ପାହିଲେ ଆରମ୍ଭ ହୋଇଯାଏ ତାଙ୍କର ସଂଘର୍ଷ। ୩୫ କିଲୋମିଟର ଦୂର ବାହାନଗା ବ୍ଲକ୍‌ ପଣପଣାରୁ ଅଟୋ ଧରି ସିଧା ବାଲେଶ୍ୱରକୁ ଆସିଥାନ୍ତି ଦୁଃଖିନିରାଣୀ। ଜୀବନ ଗାଡ଼ିକୁ ଆଗେଇ ନେବାକୁ ଏହି ତିନି ଚକିଆ ଗାଡ଼ିର ଷ୍ଟିୟରିଂ ଧରିବା ପରଠୁ ସତେ ଯେମିତି ତାଙ୍କ ଜୀବନରେ ଥିବା ଅସରନ୍ତି ପାରିବାରିକ ଦୁଃଖ ଓ କଷଣ ତାଙ୍କ ନିକଟରୁ ପାଶୋରି ଯାଇଛି।ସେ ବିବାହ କରିଥିଲେ ବି ବିବାହ ଜୀବନରେ ଖୁସି ବୋଲି କ’ଣ ସେ ଜାଣିପାରିଲେ ନାହିଁ। ସ୍ୱାମୀଙ୍କ ସହ ମନୋମାଳିନ୍ୟ କାରଣରୁ ସେ ଦୁଇ ପିଲାଙ୍କୁ ସାଙ୍ଗରେ ଧରି ବାରିପଦାରୁ ବାଲେଶ୍ୱରକୁ ଚାଲି ଆସିଥିଲେ। ଆଉ ଏଠାରେ ତାଙ୍କୁ ମିଳିଥିଲା ବଞ୍ଚିବାର ନୂଆ ପଥ। ନିଜ ଉଦ୍ୟମରେ ସେ ଏକ ଅଟୋ କିଣି ନିଜେ ଏହାକୁ ଚଲାଉଛନ୍ତି। ଗତ ୯ ମାସ ହେଲା ସ୍କୁଲ ପିଲାଙ୍କୁ ନେବା ଆଣିବା କରିବା ସହ ଅସୁବିଧାରେ ପଡିଥିବା ମହିଳା ଓ ସାଧାରଣ ଲୋକଙ୍କୁ ବି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦିଅନ୍ତି ଦୁଃଖିନିରାଣୀ। ଏଭଳି ମହତ କାମରୁ ତାଙ୍କୁ ଆନନ୍ଦ ମିଳେ ବୋଲି ସେ କହିଛନ୍ତି।ପୂର୍ବରୁ ସେ ଏକ ଘରୋଇ କମ୍ପାନୀରେ ସେ କାମ କରୁଥିଲେ। ଏଥଇପାଇଁ ତାଙ୍କୁ ମାସକୁ ୫ରୁ ୭ ହଜାର ଟଙ୍କା ମିଳୁଥିଲା। ହେଲେ ସେ ଅଟୋ ଚଲାଇବା ପରଠୁ ମାସକୁ ୧୫ ହଜାର ଟଙ୍କା ପର‌୍ୟ୍ୟନ୍ତ ଆୟ କରୁଛନ୍ତି। ତାଙ୍କର ଏ ସାହସିକ ମନୋଭାକୁ ବାଲେଶ୍ୱର ଟ୍ରାଫିକ୍ ଥାନା ଅଧିକାରୀ ବି ପ୍ରଂଶସା କରିଛନ୍ତି। ଏମିତିକି ଆଗକୁ ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କ ଭଳି ୩୦ ଜଣ ଅଟୋ ଚାଳକଙ୍କୁ ଏକାଠି କରି ସହରରେ ସ୍ୱତନ୍ତ୍ର ଅଟୋ ସେବା ଆରମ୍ଭ କରିବାକୁ ଯୋଜନା ଥିବା ଟ୍ରାଫିକ୍ ଥାନା ଅଧିକାରୀ କହିଛନ୍ତି।ଦୁଃଖିନିରାଣୀ ଏବେ ବାଲେଶ୍ୱର ସହରରେ ବେଶ୍‌ ପରିଚିତ। ଖାଲି ଯେ ଜଣେ ସଂଘର୍ଷରତ ମା’ ଭାବେ ତାଙ୍କୁ ଏକ ନୂଆ ପରିଚୟ ମିଳିନାହିଁ ବରଂ ପ୍ରତିକୂଳ ପରିସ୍ଥିତିରେ ସମସ୍ୟାରେ ଜର୍ଜରିତ ଦିଗହରା ମହିଳାଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି।