ଓଡିଆନ୍ ନ୍ୟୁଜ

43

ଆସ୍କାରେ ଏନ୍‌କାଉଣ୍ଟର; ଜଣେ ଅପରାଧୀ ଆହତ, ଅନ୍ୟ ଜଣେ ଖସି ପଳାଇଥିବା ସୂଚନା

Team Odian News |

ଆସ୍କାରେ ଏନ୍‌କାଉଣ୍ଟର; ଜଣେ ଅପରାଧୀ ଆହତ, ଅନ୍ୟ ଜଣେ ଖସି ପଳାଇଥିବା ସୂଚନା
 ଆସ୍କା୫/୮(ଓଡ଼ିଆନ୍‍ ନ୍ୟୁଜ୍‍): ଗଞ୍ଜାମ ଜିଲ୍ଲା ଆସ୍କାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଜଣେ ଅପରାଧୀ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି। ଆହତ ଅପରାଧୀ ହେଲା ଗୁରୁପ୍ରସାଦ ସ୍ୱାଇଁ। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସ୍କା ମେଡିକାଲ୍‌ରେ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଖସି ପଳାଇଥିବା ଅପରାଧୀ ହେଲା କାଳୁ ବିଶ୍ୱାଳ।

ଅନ୍ୟପକ୍ଷରେ ଅପରାଧୀଙ୍କ ଗୁଳିମାଡ଼ରେ ୨ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ ଏଏସ୍ଆଇ ଯୁଧିଷ୍ଠିର ମାଝୀ ଏବଂ କନଷ୍ଟେବଲ ହରେକୃଷ୍ଣ ଶବର। ଆଜି ଭୋର ସମୟରେ ଆସ୍କା ଚାରିମାଇଲ ଛକ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିଲା।ପୁଲିସ୍‌ର ସୂଚନା ଅନୁସାରେ, ଅସ୍କା ଥାନା ଅନ୍ତର୍ଗତ ବରଗାଁର ଦୁଇଜଣ ବ୍ୟକ୍ତିଙ୍କୁ ଗୁରୁ ୧୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ଏନେଇ ପୁଲିସ୍‌କୁ ଖବର ମିଳିବା ପରେ ଜାଗା ସ୍ଥିର ହୋଇଥିଲା। ପୂର୍ବ ଯୋଜନା ମୁତାବକ ପୁଲିସ୍‌ ଲୁଚି ରହିଥିଲା। ଯେତେବେଳେ ଟଙ୍କା ନେଣଦେଣ ହେଉଥିଲା ସେହି ସମୟରେ ଗୁରୁ ଓ ତା’ର ସହଯୋଗୀ କାଳୁକୁ କାବୁ କରିବା ପାଇଁ ପୁଲିସ୍‌ ଚେଷ୍ଟା କରିଥିଲା। ହେଲେ ଏମାନେ ପୁଲିସ୍‌କୁ ଦେଖି ସେମାନଙ୍କ ଉପରକୁ ବୋମା ଫୋପାଡ଼ିବା ସହ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଯାହାର ଜବାବରେ ପୁଲିସ୍‌ ପାଲଟା ଗୁଳି ଚାଳଣା କରିଥିଲା। ଏଥିରେ ଗୁରୁ ଆହତ ହୋଇଥିଲା। ଫଳରେ ପୁଲିସ୍ ତାକୁ କାବୁ କରିଥିଲା। ହେଲେ କାଳୁ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।

ଗୁରୁପ୍ରସାଦ ନିକଟରୁ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ପୁଲିସ୍‌ ଜବତ କରିଛି। ଗୁରୁପ୍ରସାଦ ନାଁରେ ହତ୍ୟା, ଡକାୟତି ଭଳି ୧୩ଟି ମାମଲା ରହିଛି।