ଓଡିଆନ୍ ନ୍ୟୁଜ

105

କଶ୍ମୀରବାସୀଙ୍କ ସାଙ୍ଗରେ ବସି ଖାଇଲେ ଜାତୀୟ ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍

Team Odian News |

ନୂଆଦିଲ୍ଲୀ(ଓଡ଼ିଆନ୍‍ ନ୍ୟୁଜ୍‍): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏବେ ହାଇଆଲର୍ଟ ଜାରି କରାଯାଇଛି। ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୂରା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କ ଛାଉଣିରେ ପରିବର୍ତ୍ତନ କରାଯାଇଛି।

ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ସେ କିଛି ସ୍ଥାନୀୟ ଲୋକଙ୍କୁ କେନ୍ଦ୍ର ସରକାର ଘୋଷଣା କରିଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଖାଲି ସେତିକି ନୁହେଁ, କଶ୍ମୀରବାସୀଙ୍କ ହୃଦୟ ଜିତିବା ପାଇଁ ଶ୍ରୀ ଡୋଭାଲ ସେମାନଙ୍କ ସହ ଏକ ସାଧାରଣ ଲୋକ ପରି ଖାଦ୍ୟ ଖାଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି।ଯେଉଁଥିରେ ଡୋଭାଲ୍ ସାଧାରଣ ଲୋକଙ୍କୁ ଦୀର୍ଘ ସମୟ ଧରି ଧାରା ୩୭୦ର ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ ହେବା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଡୋଭାଲଙ୍କ କଥା ଶୁଣି ସାମାନ୍ୟ ଆଶ୍ୱସ୍ତ ଥିବା ଭଳି ଦୃଶ୍ୟମାନ ହେଉଛି। ଏହାପରେ ସମସ୍ତେ ଏକ ରାସ୍ତା କଡ଼ରେ ଥିବା ଦୋକାନରେ ପହଞ୍ଚି ଏକାଠି ଖାଇବା ଆରମ୍ଭ କରୁଛନ୍ତି।

ଏହାପୂର୍ବରୁ କଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ସହ ଡୋଭାଲ ଆଲୋଚନା କରିଥିଲେ। ସୋପିଆନ୍‌ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ସେହିଠାରେ ହିଁ ଡୋଭାଲ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ସେହି ସୋପିଆନର ଲୋକଙ୍କ ସହ ଆଲୋଚନା କରିଥିଲେ। ଡିଜିପି ଦିଲବାଗ ସିଂହ ଏହି ସମୟରେ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ଦିନ ପାଇଁ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌, ମୋବାଇଲ ଓ ଲ୍ୟାଣ୍ଡଲାଇନ୍ ବନ୍ଦ ରହିଛି। ଜମ୍ମୁ-କଶ୍ମୀର ବାହାରେ ଥିବା ଲୋକମାନେ ନିଜ ପରିବାର ସହ କୌଣସି ଯୋଗାଯୋଗ କରିପାରୁ ନାହାନ୍ତି।

କେବେ ସ୍ଥିତିରେ ପରିବର୍ତ୍ତନ ଆସିବ, ସେକଥା ମଧ୍ୟ କେହି କହିପାରୁ ନାହାନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀ କାଳିନ ପରିସ୍ଥିତିର ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ ଖୋଲାଯାଇଛି