ଓଡିଆନ୍ ନ୍ୟୁଜ

101

ଆରମ୍ଭ ହେଲା କଶ୍ମୀରରେ ହିଂସା; ପୁଲିସ୍‌କୁ ପଥର ଫିଙ୍ଗିଲେ

Team Odian News |

ଶ୍ରୀନଗର(ଓଡ଼ିଆନ୍‍ ନ୍ୟୁଜ୍‍): ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଅଘୋଷିତ ଜରୁରୀ ପରିସ୍ଥିତି ସମ୍ପର୍କରେ ଏବେ ତଥ୍ୟ ସାମ୍ନାକୁ ଆସିଛି। ପୁଞ୍ଚରେ ପୁଲିସ୍‌ କର୍ମୀମାନଙ୍କୁ ଲୋକମାନେ ପଥର ମାଡ଼ କରିଥିବା ଖବର ମିଳିଛି। ଏଥିରେ ଏକାଧିକ ପୁଲିସ୍‌ କର୍ମୀ ଆହତ ହୋଇଥିବା ବେଳେ ଜଣେ ଅଧିକାରୀ ଗୁରୁତର ହୋଇଛନ୍ତି।

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ଏହି ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ଲଦାଖ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ୧୦୦ରୁ ଅଧିକ ରାଜନେତା ଓ ସ୍ୱେଚ୍ଛାସେବୀଙ୍କୁ ଗିରଫ କରାଯାଇଛି। ଏମାନେ କାଳେ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବେ, ସେହି ଆଶଙ୍କାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କଶ୍ମୀର ପ୍ରସଙ୍ଗରେ ବଡ଼ ଘୋଷଣା କରିଥିଲେ। ସେବେଠାରୁ କଶ୍ମୀର ବାସୀ କେମିତି ଅଛନ୍ତି, ତା’ର ତଥ୍ୟ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। କହିବାକୁ ଗଲେ, ପୂରା କଶ୍ମୀରକୁ ସିଲ୍‌ କରି ଦିଆଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଶ୍ମୀର ଯାଇ ସ୍ଥିତି ସମୀକ୍ଷା କରିବା ସହ ସେଠାରେ ସବୁ କିଛି ଠିକ୍‌ ଠାକ ରହିଥିବା ରିପୋର୍ଟ ଦେଇଥିଲେ।

ଆଜି ଶ୍ରୀନଗରେ କିଛି ଦୋକାନ ଖୋଲିଥିବା ଖବର ମିଳିଛି। ତେବେ ଆଉ କିଛି ସ୍ଥାନରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ବିଶେଷ କରି ପୁଞ୍ଚରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପୁଞ୍ଚର ବାଫଲଇଜ୍‌ଠାରେ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ସଂଘର୍ଷରେ ଏକାଧିକ ଲୋକ ଆହତ ହୋଇଛନ୍ତି।

ସେହିପରି ଜମ୍ମୁ-କଶ୍ମୀରରେ ଆଜି ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କାର୍ଗିଲରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ଏଠାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇଛି।